କାମାକ୍ଷାନଗର : ବାର୍‌ହା ଫାଶରେ ପଡ଼ି ଦନ୍ତା ମଲା

କାମାକ୍ଷାନଗର/ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ପଥରଖମ୍ବ ଗ୍ରାମ ନିକଟ ଧାନ ଜମିରୁ ଆଜି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି l ବାର୍‌ହା ଶିକାର ପାଇଁ ଟଣାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯାଇଛି।

ପ୍ରକାଶ ଯେ, ଆଜି ସକାଳୁ ପଥରଖମ୍ବ ଗ୍ରାମବାସୀ ଗାଁ ନିକଟ ଧାନ ଜମିରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଡିଏଫ୍‌ଓ ପ୍ରକାଶ ଚାନ୍ଦ ଗୁବିନାନୀ, ପଶ୍ଚିମାଞ୍ଚଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁ, ମୁକ୍ତାପଶି ଫରେଷ୍ଟର ଚନ୍ଦ୍ରଶେଖର ବେ‌ହେରା ସଦଳବଳେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ହାତୀଟିର ବୟସ ୧୨ରୁ ୧୩ ବର୍ଷ ମଧ୍ୟରେ ହୋଇଥିବାବେଳେ ଏହାର ତଳପେଟ ପୋଡ଼ିଯାଇଥିଲା। ଫଳରେ ବିଦ୍ୟୁତ୍‌ ତାର ଲାଗି ଦନ୍ତାର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ପଥରଖମ୍ବ ଗ୍ରାମର ବୈରାଗୀ ବିଶ୍ବାଳ ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ଟାଣିଥିବାବେଳେ ଦନ୍ତା ଏହାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ପର୍ଜଙ୍ଗ ପ୍ରାଣୀ ଚିକିତ୍ସକ ଡାକ୍ତର ରଞ୍ଜିତ ସାହୁ ଦନ୍ତାର ଶବ ବ୍ୟବଚ୍ଛେଦ କରିଥିଲେ। ପରେ ମୃତ ହାତୀଟିକୁ ପୋତି ଦିଆଯାଇଥିଲା। ହାତୀ ମୃତ୍ୟୁ ଘଟଣାରେ ବୈରାଗୀଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର