ପାରାଦୀପରେ ଚାଲିଛି ଶତାଧିକ ଭୂତ ଟ୍ରକ୍‌, ୫‌ଦିନ ତଳେ ଧରା ହୋଇଥିଲା ନକଲି ହାଇୱା

ପାରାଦୀପ : ପାରାଦୀପ ବନ୍ଦରରେ ଚାଲିଛି ଶତାଧିକ ଭୂତ ଟ୍ରକ। ଜାଲ୍ ନମ୍ବର ଏବଂ ବିନା କାଗଜପତ୍ରରେ ଅନେକ ଗାଡ଼ି ଚାଲୁଥିଲେ ବି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ଯାଞ୍ଚ ହେଉନାହିଁ କି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପାଞ୍ଚ ଦିନ ତଳେ ଏକ ଜାଲ୍‌ ନମ୍ବରର ହାଇୱା ଜବତ ପରେ ଏହି ଘଟଣା ସାମ୍‌ନାକୁ ଆସିଛି।

ଜାଲ୍ ନମ୍ବରରେ ଚାଲୁଥିବା ଏକ ହାଇୱାକୁ ୫ ଦିନ ତଳେ ବନ୍ଦର ଟ୍ରାଫିକ୍ ବିଭାଗ ଜବତ କରିଥିଲା। ଓଆର-୨୧-୯୧୧୮ ନମ୍ବରର ଏହି ହାଇୱାକୁ ଟ୍ରାଫିକ୍ ବିଭାଗ ଜବତ କରିଥିବାବେଳେ ସମାନ ନମ୍ବରର ଅନ୍ୟ ଏକ ହାଇୱା ସ୍ଥାନୀୟ ବାଲିପ୍ଲଟ୍‌ରେ ଥିବା ଏକ ଗ୍ୟାରେଜ୍‌ରେ ମରାମତି ହେଉଥିଲା। ଦୀର୍ଘଦିନ ଧରି ଏହି ହାଇୱାର ମରାମତି କାର୍ଯ୍ୟ ଚାଲିଥିବାବେଳେ ସମାନ ନମ୍ବରରେ ଆଉ ଏକ ହାଇୱା ବନ୍ଦରରେ ପଣ୍ୟ କାରବାର କରୁଥିଲା। ହାଇୱାର ମରାମତି ଚାଲୁଥିବାରୁ ସେହି ସମୟରେ ଭିନ୍ନ ଗାଡ଼ି ଦ୍ବାରା ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଦ୍ବିତୀୟ ହାଇୱାଟି ନକଲି ନମ୍ବର ଲଗାଇ ଦୀର୍ଘଦିନ ଧରି ବନ୍ଦର ମଧ୍ୟରେ ପଣ୍ୟ କାରବାର କରୁଥିଲେ ମଧ୍ୟ ଏ ସମ୍ପର୍କରେ ବନ୍ଦରର ସୁରକ୍ଷା କର୍ମଚାରୀମାନେ କିପରି ଜାଣି ପାରିଲେ ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ,ମିଳିଥିବ‌ା ସୂଚନା ଅନୁସାରେ ହାଇୱା ଜବତ କରିବାକୁ ପା‌ଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସମ୍ପର୍କରେ ବନ୍ଦର ଟ୍ରାଫିକ୍ ପ୍ରବନ୍ଧକ ଏସ.କେ ମିଶ୍ର କହିଛନ୍ତି ଯେ, ସେ ବ୍ୟକ୍ତିଗତ କାର୍ଯ୍ୟରେ ଛୁଟିରେ ଥିବାରୁ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। କାର୍ଯ୍ୟରେ ଯୋଗ ଦେବା ପରେ ଏହା ଉପରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର