ମାସ୍ ନଥିବାରୁ ଧାନ କିଣୁନି ପାକ୍ସ, ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

କୋଲକାତା-ମୁମ୍ବାଇ ରାସ୍ତାର ଉଭୟ ପଟେ ଅଟକିଛି ଶହଶହ ଗାଡ଼ି

୧୦୪୩ ଚାଷୀଙ୍କ ୩୦ ହଜାର କୁଇଣ୍ଟାଲ ଧାନ ପଡ଼ିଛି
୬୪୧ ଚା‌ଷୀଙ୍କ ଟୋକନ ଅବଧି ଶେଷ

ତେଲକୋଇ/ଜଗମୋହନପୁର : ଆଉ ଦୁଇ ସପ୍ତାହ ପରେ ବିଧିବଦ୍ଧ ଭାବରେ ବନ୍ଦ ହେବ ମଣ୍ଡି। ମାତ୍ର ଟୋକନ ଧରି ବୁଲୁଛି ଚାଷୀ। ଟାର୍ଗେଟ ନଥିବା ଆଳ ଦେଖାଇ ପାକ୍ସ ସମ୍ପାଦକମାନେ ଧାନ କିଣୁ ନାହାନ୍ତି। ଚାଷୀ ଧାନ ବିକି ନ ପାରି ନାନା ହଇରାଣହରକତ ହେଉଛି। ତେଲକୋଇ ବ୍ଲକର ୬୪୧ ଚାଷୀଙ୍କ ଟୋକନ ଅବଧି ଇତି ମଧ୍ୟରେ ସରି ଯାଇଛି। ସେପଟେ ୧୦୪୩ ଜଣ ଚାଷୀ ୩୦ ହଜାର କୁଇଣ୍ଟାଲ ଧାନ ଧରି ବସିଛନ୍ତି। ଧାନ ବିକି ନପାରି ଦୁଃସ୍ଥିତିରେ ଥିବା ଶହଶହ ଚାଷୀ ଆଜି ତାତିଛି। ରାଜରାସ୍ତାକୁ ଓହ୍ଲାଇଛି। ଆଜି ସକାଳ ସାଢେ ଆଠଟା ବେଳେ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋଲକାତା-ମୁମ୍ବାଇ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ମୋଟର ଅଟକି ରହିଛି।

ତେଲକୋଇ ମଣ୍ଡିରେ ସର୍ବାଧିକ ୩୪୦ଜଣ, କାଳିଆହତାରେ ୨୦୫ ଜଣ, ଶିରିଗଡ଼ାରେ ୯୬ ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଛି। ମଣ୍ଡି, ଖଳା ଓ ଘରେ ୧୦୪୩ ଜଣ ଚାଷୀଙ୍କର ପ୍ରାୟ ୩୦ ହଜାର କୁଇଣ୍ଟାଲ ଧାନ ପଡ଼ିଛି। ସର୍ଭେ ଅନୁଯାୟୀ ତେଲକୋଇ ମଣ୍ଡିରେ ୪୪୦ ଚାଷୀଙ୍କ ୧୩ ହଜାର କୁଇଣ୍ଟାଲ, ଶିରିଗଡ଼ାରେ ୪୮୧ ଚାଷୀଙ୍କ୯୪୫୬ କୁଇଣ୍ଟାଲ, କାଳିଆହତା ମଣ୍ଡିରେ ୭୫୪୩କୁଇଣ୍ଟାଲ ୭୭ କେଜି ଧାନ ବିକ୍ରି ନହୋଇ ପଡ଼ିଛି। ଏହିସବୁ ମଣ୍ଡିରେ ୨୮୭୨ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ଆଜିସୁଦ୍ଧା ମାତ୍ର ୧୫୯୩ ଜଣ ଚାଷୀଙ୍କଠାରୁ ୭୧ହଜାର ୩୧୨ କୁଇଣ୍ଟାଲ ଧାନ କିଣାଯାଇଛି।

ରାସ୍ତା ଅବରୋଧ କରାଯିବ ବୋଲି ପୂର୍ବରୁ ଚାଷୀମାନେ ଚେତାବନୀ ଶୁଣାଇଥିଲେ। ଦାବି ପୂରଣ ‌ନହେବାରୁ ଆଜି ଶହଶହ ଚାଷୀ ୪୯ ନମ୍ବର ଜାତୀୟ ରାଜପଥର ଅବରୋଧ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଅପରାହ୍ଣ ପ୍ରାୟ ୧୨ଟା ୧୫ମିନିଟରେ ବିଡିଓ ଦିଲ୍ଲୀପ କୁମାର ବାଡା, ଆଇଆଇସି ପଦ୍ମାସିନୀ ମେହେର, ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ସଂଧ୍ୟା ପର୍ଯ୍ୟନ୍ତ ଏନେଇ କୌଣସି ସମାଧାନର ସୂତ୍ର ଏପର୍ଯ୍ୟନ୍ତ ବାହାରି ପାରି ନ ଥିବା ବେଳେ ଚାଷୀଙ୍କର ତିନିଟି ଦାବିକୁ ପ୍ରଶାସନ ମାନି ନେବାକୁ ପ୍ରତିଶ୍ରୁତି ଦେଇଛି। ଆସନ୍ତାକାଲିଠାରୁ ଧାନ କିଣାଯିବା ସହିତ ଛାମୁଣ୍ଡାକୁ ସ୍ବୟଂଶାସିତ ମଣ୍ଡିରେ ପରିଣତ କରାଯିବ ଏବଂ ଶିବନାରାୟଣପୁର ଗୋଡ଼ାରେ ନୂଆ ଶାଖା ଖୋଲାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

‌ଅବଧି ‌ସରିଯାଇଥିବା ଟୋକନକୁ ବୈଧ, ଆବଶ୍ୟକ ମାସ ଯୋଗାଣ, ସମସ୍ତ ଚାଷୀଙ୍କ ଧାନ କିଣା, ଧାନ କିଣାରେ ଚଞ୍ଚକତା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଟଳ ରହିଛି ଚାଷୀ। ଏଯାଏ ଚାଷୀଙ୍କ ଦାବି ନେଇ କୌଣସି ନିର୍ଯାସ ବାହାରି ପାରି ନଥିବା ବେଳେ ଚାଷୀମାନେ ରାସ୍ତା ଅବରୋଧ କରି ରଖିଛନ୍ତି। ଟୋକନ ଅବଧି ଶେଷ ହୋଇଥିବା ଚାଷୀଙ୍କ ତାଲିକା ସରକାରଙ୍କ ନିକଟକୁ ପଠାଯାଇଛି। ସରକାରୀ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଆରସିଏସ ଅଜୟ କୁମାର ସେଠୀ କହିଛନ୍ତି।

ଚାଷୀ ଅନନ୍ତ ଚରଣ ସାହୁ, ହଟକିଶୋର ସାହୁ, ନୀଳମଣି ନାୟକ, ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧର୍ନୁଜୟ ସିଦ୍ଧୁ, ତେଲକୋଇ ବିଜେପି ମଣ୍ଡଳ ସଭାପତି ସତ୍ୟନାରାୟଣ ସାହୁ, କେନ୍ଦୁଝର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅନନ୍ତ ଚରଣ ସାହୁ ପ୍ରମୁଖ ଯୋଗଦେଇ ରାସ୍ତା ରୋକରେ ସାମିଲ ହୋଇଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ଆନ୍ଦୋଳନରତ ଚାଷୀ ଓ ଜିଲ୍ଲା ପ୍ରଶାସନର ଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି।

ଆଲୋଚନା ବେଳେ ବିଡିଓ ଦିଲୀପ କୁମାର ବାଡା, ଆଇଆଇସି ପଦ୍ମାସିନୀ ମେହେର, ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ, ଏସିଏସଓ ମନମୋହନ ପଟ୍ଟନାୟକ, ବ୍ଲକ ଯୋଗାଣ ନୀରିକ୍ଷକ ଲକ୍ଷ୍ମଣ ମାଝୀ, ତେଲକୋଇ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ କେଶବ ସାହୁ ପ୍ରମୁଖ ସାମିଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର