କଟକରେ ବଢୁଛି ବନ୍ୟା ଆଶଙ୍କା, ପାଣିଘେରରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର

କଟକ : ଫୁଲୁଛି ମହାନଦୀ, କାଠଯୋଡ଼ି। କଟକ ଜିଲ୍ଲାରେ ବଢୁଛି ବନ୍ୟା ଆଶଙ୍କା। ହେକ୍ଟର୍‌ ହେକ୍ଟର୍‌ ଚାଷ ଜମି ଜଳମଗ୍ନ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବାର ଆଶଙ୍କା କରାଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ୬ଲକ୍ଷ ୨୫ହଜାର କ୍ୟୁସେକ୍‌ ଜଳ ମୁଣ୍ଡଳୀରେ ପ୍ରବାହିତ ହେଉଛି। ମୁଣ୍ଡଳୀ ବ୍ୟାରେଜ୍‌ରୁ ନିଷ୍କାସିତ ପାଣିକୁ ମହାନଦୀର ଯୋବ୍ରା ବ୍ୟାରେଜ୍‌ ଓ କାଠଯୋଡ଼ିର ନରାଜ ବ୍ୟାରେଜ୍‌ ଦେଇ ନିଷ୍କାସନ କରାଯାଉଛି। ସଂଧ୍ୟା ସୁଦ୍ଧା ଯୋବ୍ରା ବ୍ୟାରେଜ୍‌ ଦେଇ ୨ଲକ୍ଷ ୭୭ ହଜାର ୨୧୨ କ୍ୟୁସେକ୍‌ ଓ ନରାଜ ବ୍ୟାରେଜ୍‌ ଦେଇ ୩ଲକ୍ଷ ୧୫ ହଜାର ୯୩୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ
ହୁଳୁହୁଳା ସେତୁ ଉପରେ ପ୍ରବାହିତ ହେଲା ବନ୍ୟାଜଳ
ଦଲକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ
ସ୍ଥିତି ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

ହାଡୁଆ ନାଳରେ ବନ୍ୟା ଯୋଗୁଁ ନରସିଂହପୁର ବ୍ଲକ୍‌ ଦେବଭୂଇଁ ପଞ୍ଚାୟତର ଦଲକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ବିଡିଓ ଓ ତହସିଲଦାର୍‌ ସ୍ଥିତି ସମୀକ୍ଷା କରିବା ସହ ଶୁଖିଲା ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ବାଙ୍କୀରେ ମହାନଦୀ ବିପଦ ସଂକେତରୁ ତଳେ ପ୍ରବାହିତ ହେଉଥିଲେ ସୁଦ୍ଧା କିଛି ତଳିଆ ଗାଁରେ ପାଣି ପଶିବା ସ୍ଥିତି ସୃଷ୍ଟି ହୋଇଛି। ହୁଳୁହୁଳା ସେତୁ ଉପରେ ଏକ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହକୁ ଏ ବର୍ଷର ମହାନଦୀର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସ୍ଥାନରେ କାହାରିକୁ ସ୍ଥାନାନ୍ତରିତ କରାଯାଇ ନଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରେ ୯୬୨ମିମି ବର୍ଷା ହୋଇଥିବା ବେଳେ ବାଙ୍କୀ-ଡମପଡ଼ା ବ୍ଳକ୍‌ରେ ସର୍ବାଧିକ ୧୬୨ମିମି ବର୍ଷା ରେକର୍ଡ କରାଯାଇଛି। ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାର ବିଡିଓ ଓ ତହସିଲଦାରମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ୱ ଦିଆଯାଇଛି। ସେମାନେ ଉକ୍ତ ଅଂଚଳ ପରିଦର୍ଶନ କରି ଆବଶ୍ୟକୀୟ ପଦକ୍ଷେପ ନେବେ।

ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ସକାଳେ ମନ୍ଦିର ପରିଦର୍ଶନ କରିଥିବା ବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମା ଭଟ୍ଟାରିକାଙ୍କ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ବୁଲି ବନ୍ୟାଜଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ତିଗିରିଆ ଓ ବାଙ୍କୀ ଅଂଚଳ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ମା ଭଟ୍ଟାରିକାଙ୍କ ମନ୍ଦିରର ଗମ୍ଭୀରା ଭିତରେ  ବନ୍ୟାଜଳ ପ୍ରବେଶ କରିବା ଫଳରେ ଦିନ ସାଢେ ଗୋଟାଏରେ ମାଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ନିକଟସ୍ଥ ରତ୍ନଗିରି ପର୍ବତର ଅସ୍ଥାୟୀ ଗମ୍ଭୀରାକୁ ସେବାୟତମାନେ ସ୍ଥାନାନ୍ତର କରିଛନ୍ତି। ପାଣି ଛାଡ଼ିବା ଯାଏ ଅସ୍ଥାୟୀ ଗମ୍ଭୀରାରେ ମାଙ୍କ ପୂଜାର୍ଚନା ରୀତିନୀତି ଅନୁସାରେ ସମାପନ ହେବ। ପୂଜାରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପାଇଁ ବଡ଼ମ୍ବା ଦେବୋତ୍ତର ବିଭାଗ ତରଫରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମନ୍ଦିରର ବେଢ଼ା ଚାରିପଟେ ଲାଗିଥିବା ଲାଇଟ୍‌ ଓ ଯଜ୍ଞମଣ୍ଡପରେ ଲାଗିଥିବା ଅସ୍ଥାୟୀ ପାଚେରିକୁ ଖୋଲି ଦିଆଯାଉଛି।

ସମ୍ବନ୍ଧିତ ଖବର