ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳକା

ସମ୍ଭାବ୍ୟ ବନ୍ୟା ନେଇ ଆତଙ୍କିତ ତଳିଆ ଅଞ୍ଚଳବାସୀ

ବସ୍ତା-୨/ଗାନ୍ଧିଛକ: ଲଗାଣ ବର୍ଷା ଜାରି ରହିଥିବା ବେଳେ ପୁଣି ଏକ ଲଘୁଚାପ ବସ୍ତା ଅଞ୍ଚଳରେ ଲେକଙ୍କ ନିଦ ହଜାଇ ଦେଇଛି। ଜଳକା ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ଧୀରେ ଧୀରେ ବୃଦ୍ଧି ପାଉଛି।

ଦୁଇଦିନ ଧରି ଲଗାତାର ବର୍ଷା ଫଳରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ୫.୫୦ ମିଟର ଉପରେ ପ୍ରବାହିତ ହୋଇ ଗତକାଲି ଅପରାହ୍ନ ଗୋଟାଏ ସୁଦ୍ଧା ୬.୨୯ ମିଟରରେ ପ୍ରବାହିତ ହୋଇଥିଲା। ପରେ ଅପରାହ୍ନ ୩ଟାଠାରୁ ରାତି ୧୧ଟା ସୁଦ୍ଧା ଏଥିରେ ସାମାନ୍ୟ ହ୍ରାସ ଘଟିଥିଲେ ସୁଦ୍ଧା ମଧ୍ୟରାତ୍ରି ବେଳକୁ ୬.୧୧ ମିଟରରେ ପ୍ରବାହିତ ହେଉଥିଲା। ସକାଳ ୭ଟା ବେଳକୁ ଜଳକା ନଦୀରେ ଜଳସ୍ତର ୫.୯୮ ମିଟରକୁ ହ୍ରାସ ପାଇଥିଲା। ମାତ୍ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପୁଣି ଆଜି ସକାଳେ ଜଳପତ୍ତନ ବୃଦ୍ଧି ପାଇ ଦିନ ଗୋଟାଏ ସୁଦ୍ଧା ନଦୀର ଜଳସ୍ତର ୬. ୨୫ରେ ପହଞ୍ଚିଥିଲା। ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଜଳକା ନଦୀର ଜଳସ୍ତର ୬. ୩୦ ମିଟରରେ ସ୍ଥିର ରହିଛି। ଆଜି ରାତିରେ ପୁଣି ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ଏଡ଼ାଇ ଦିଆଯାଇ ନପାରେ ବୋଲି କୁହାଯାଇଛି। ଜଳକା ନଦୀର ତଳିଆ ଅଞ୍ଚଳ ମଥାନୀ, କୁଡ଼ିଆ, ଚକୁରାଇ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ସମ୍ଭାବ୍ୟ ବନ୍ୟାକୁ ନେଇ ଆତଙ୍କିତ ଥିବା ଦେଖିବାକୁ ମିଳିଛି।

ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଜଳସ୍ତର ବିପଦ ସଂକେତ ଉପରକୁ ଯାଇନଥିଲେ ମଧ୍ୟ ଉପରମୁଣ୍ଡରେ ବର୍ଷା ଯୋଗୁ କ୍ରମଶଃ ଜଳସ୍ତର ବୃଦ୍ଧି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ବସ୍ତା ତହସିଲଦାର ତଥା ଭାରାପ୍ରାପ୍ତ ବିଡିଓ କାର୍ତ୍ତିକ ଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର