ବୁଲା ପ୍ରାଣୀଙ୍କ ଉପରେ କରୋନା ପ୍ରଭାବ : ଯଥେଷ୍ଟ ହେଉନି ବୁଲା ପଶୁଙ୍କୁ ଖାଦ୍ୟ

ବାରିପଦା : କରୋନା ମହାମାରୀର ପ୍ରଭାବ ମଣିଷ ଜାତି ସହିତ ବୁଲା କୁକୁର, ଗାଇଗୋରୁ ଓ ଷଣ୍ଢଙ୍କ ଭଳି ପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିଛି। ଏହା ସେମାନଙ୍କ ନିକଟରୁ ଆହାର ଛଡ଼ାଇ ନେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବଞ୍ଚି ରହିବା ନିମନ୍ତେ ସଂଗ୍ରାମ ଜାରି ରଖିଛନ୍ତି ସେମାନେ । ମଣିଷ ଦେଖିଲେ ସେମାନଙ୍କ ପଛରେ ଗୋଡ଼ାଇବାରେ ଲାଗିଛନ୍ତି । ରାଜ୍ୟସରକାରଙ୍କ ବୁଲା ପଶୁମାନଙ୍କ ପାଇଁ ମହାନଗର ନିଗମ ନିମନ୍ତେ ଦୈନିକ ୨୦ ହଜାର, ପୌରପରିଷଦ ନିମନ୍ତେ ୫ ହଜାର ଓ ବିଜ୍ଞାପିତ କ୍ଷେତ୍ର ପରିଷଦ ନିମନ୍ତେ ୨ ହଜାର ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ସାବ୍ୟସ୍ତ ହୋଇଛି । ଲକ୍‌ଡାଉନ କାରଣରୁ ସମସ୍ତ ଖାଦ୍ୟ ପଦାର୍ଥ ଦୋକାନ ବନ୍ଦ ରହିଛି। ଯାହାକି ଏମାନଙ୍କ ପାଇଁ ବିପଦର କାରଣ ପାଲଟିଛି। ପିଲା ଜନ୍ମ ଦେଇଥିବା କୁକୁର ଖାଦ୍ୟ ଅଭାବରେ କ୍ଷୀର ସୃଷ୍ଟି ହେଉନଥିବାରୁ ନିଜର ପିଲାମାନଙ୍କୁ କ୍ଷୀର ପିଆଇ ପାରୁନାହିଁ । ତାର କରୁଣ ଚାହାଣୀ ଯେ କୌଣସି ମଣିଷର ହୃଦୟକୁ ତରଳାଇ ଦେବ ।

ବାରିପଦା ପୌରପରିଷଦର ୨୮ଟି ୱାର୍ଡରେ ପ୍ରାୟ ସାଢ଼େ ୪ ହଜାରରୁ ୫ ହଜାର ମଧ୍ୟରେ ବୁଲା କୁକୁର ରହିଥିବା ବେଳେ ବୁଲା ଷଣ୍ଢ ଓ ଗାଈଗୋରୁମାନଙ୍କ ସଂଖ୍ୟା ୩/୪ ଶହରୁ ଅଧିକ ହେବ। ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଦୈନିକ ୫ ହଜାର ଟଙ୍କା କୌଣସି କାର୍ଯ୍ୟରେ ଆସି ପାରୁନାହିଁ । ଉକ୍ତ ୫ ହଜାର ଟଙ୍କା ମଧ୍ୟରେ କୁକୁରମାନଙ୍କ ନିମନ୍ତେ ଦୈନିକ ୬୦ କେଜି ଚାଉଳ, ୪ କି.ଗ୍ରାମ ବ୍ରୟଲାର କୁକୁଡ଼ା ମାଂସ, ଭାତ ରନ୍ଧା ପାଇଁ ଗ୍ୟାସ ଓ ସାଜସରଞ୍ଜାମ, ବୁଲା ଷଣ୍ଢ, ଗାଈଗୋରୁମାନଙ୍କ ନିମନ୍ତେ ଧାନ ଓ ଚୁଡ଼ା କୁଣ୍ଡା, ଲୁଣ, ଖାଦ୍ୟକୁ ନେଇ ପ୍ରତ୍ୟେକ ୱାର୍ଡରେ ପହଞ୍ଚାଇବା ନିମନ୍ତେ ପିକ୍ଅପ୍ ଭଡ଼ା, ଡ଼ିଜେଲ ଆଦି ବାବଦରେ ଖର୍ଚ୍ଚ ହୋଇଯାଉଛି। କିନ୍ତୁ ବୁଲା ପଶୁମାନଙ୍କ ନିମନ୍ତେ ବାରିପଦା ପୌରପ୍ରଶାସନ ଯୋଗାଇ ଦେଉଥିବା ଖାଦ୍ୟରେ ସେମାନଙ୍କର ପେଟ କେତେ ପରିମାଣରେ ଭର୍ତ୍ତି ହଉଛି ତାହା ଉପରେ ନଜର ପକାଇବା । ଗୋଟାଏ ବୁଲା କୁକୁରର ଜୀବନ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ କୁକୁର ପିଛା ଦୈନିକ ୧୦୦ ଗ୍ରାମ ଚାଉଳର ଭାତ ଦିଆଯିବ ତେବେ ୪ ହଜାର କୁକୁର ନିମନ୍ତେ ୪ ଲକ୍ଷ ଗ୍ରାମ ଅର୍ଥାତ୍ ୪ କୁଇଣ୍ଟାଲ୍ ଚାଉଳର ଆବଶ୍ୟକ ରହିଛି । ସେହିପରି ଗୋଟାଏ ବୁଲା ଷଣ୍ଢର ଜୀବନ ବଞ୍ଚାଇବା ନିମନ୍ତେ ୧୦ ଲିଟର ତରଳ ଖାଦ୍ୟ ଆବଶ୍ୟକ ରହିଥିବା ବେଳେ ୪ ଶହ ବୁଲା ଷଣ୍ଢ, ଗାଁଗୋରୁମାନଙ୍କ ନିମନ୍ତେ ୪ ହଜାର ଲିଟର ତରଳ ଖାଦ୍ୟ ଦରକାର । ଏହି ସମୟରେ ବୁଲା କୁକୁରମାନଙ୍କ ନିମନ୍ତେ ଦୈନିକ ୬ କି.ଗ୍ରାମ ଚାଉଳର ଭାତ ଓ ବୁଲା ଷଣ୍ଢ, ଗାଈଗୋରୁମାନଙ୍କ ନିମନ୍ତେ ପ୍ରାୟ ହଜାରେ ଲିଟର ମଧ୍ୟରେ ତରଳ ଖାଦ୍ୟ ଯୋଗାଇ ଦିଆଯାଉଛି । ପୁଣି ରୁଟେସନ ଭିତ୍ତିରେ । ଗୋଟାଏ ଦିନ ପୂର୍ବାହ୍ନରେ କିଛି ୱାର୍ଡ଼ରେ ଖାଦ୍ୟ ଦିଆ ଯାଉଥିବା ବେଳେ ଅପରାହ୍ନରେ ଅନ୍ୟ ୱାର୍ଡ଼ରେ ଦିଆଯାଇଛି । ଅର୍ଥାତ୍ ୨୪ ଘଣ୍ଟା ବ୍ୟବଧାନରେ ପାଳି ପଡ଼ୁଛି।

ବୁଲା କୁକୁର ଓ ଗାଈଗୋରୁମାନଙ୍କର ଭୁକିଲା ମୁହଁକୁ ଦେଖିବା ପରେ ପରିବେଶବିତ୍ ତଥା ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ, ପୌରପରିଷଦରେ ପୂର୍ବତନ ଉପଗରପାଳ ଜିତେନ୍ଦ୍ର ମହାନ୍ତି, ସୁନୀଲ ନାୟକ, ପ୍ରତୀକ ଦାଶ, ମଧୁବନ ଅଞ୍ଚଳର ପ୍ରଶାନ୍ତ ଦାସ ଓ ସନ୍ତୋଷ କୁମାର ବରଜ ପ୍ରମୁଖ ରନ୍ଧା ଖାଦ୍ୟ, ବିସ୍କୁଟ ଆଦି କୁକୁର, ଷଣ୍ଢ, ଗାଈଗୋରୁମାନଙ୍କୁ ଖାଇବାକୁ ଦେଉଥିବାର ପରିଲକ୍ଷିତ ହୋଇଛି । ବୁଲା ପଶୁମାନଙ୍କୁ ପିକ ଅପ୍‌ରେ ଖାଦ୍ୟ ନେଇ ୱାର୍ଡ଼ ଗୁଡ଼ିକରେ ଖାଦ୍ୟ ଯୋଗାଇ ଦେବା ଦାୟିତ୍ୱରେ ଥିବା ସଂଗ୍ରାମ ଏନଜିଓର କର୍ମକର୍ତ୍ତା ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି ମାର୍ଚ୍ଚ ୨୪ରେ ଲକ୍ ଡାଉନ ଜାରି ହେବା ପରେ ଏପ୍ରିଲଠାରୁ ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇବା କାର୍ଯ୍ୟ ଆରମ୍ଭ ହେଲା । ଯଦିଓ ଏହା ସମୁଦ୍ରକୁ ଶଙ୍ଖେ ତଥାପି ପଶୁମାନଙ୍କ ଜୀବନ ରକ୍ଷା କରିବାରେ ବିଶେଷ ସହାୟକ ହୋଇପାରିଥିଲା । ଏପ୍ରିଲ ୩ରେ ଖାଦ୍ୟ ଯୋଗାଇବା ବନ୍ଦ ହୋଇ ୫ରୁ ଆରମ୍ଭ ହୋଇଥିଲା ଏବଂ ମେ ୧୭ରୁ ବନ୍ଦ ହୋଇଯାଇଛି ।

ବୁଲାପଶୁମାନଙ୍କୁ ଏହି ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଗଲେ କରୋନା ବିପତ୍ତିକୁ ବଳି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଖାଦ୍ୟ ଅଭାବରୁ ବୁଲାକୁରମାନେ ପାଗଳ ହୋଇ ଜନସାଧାରଣଙ୍କୁ ସିଧାସଳଖ ଆକ୍ରମଣ କରିବେ ଏବଂ ପ୍ରାୟ ୪ରୁ ଅଧିକ ପାଗଳା କୁକୁର କାମୁଡ଼ିବାର ନଜରକୁ ଆସିଛି । ତେଣୁ ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇବା ଦ୍ୱାରା ବୃହତ୍ତର ସାମୂହିକ ସ୍ୱାର୍ଥ ବିଶେଷ ଭାବେ ଜଡ଼ିତ ରହୁଥିବାରୁ ଏ ଦିଗରେ ସରକାର ପୁର୍ନବିଚାର କରିବା ନିମନ୍ତେ ଶ୍ରୀ ଆଚାର୍ଯ୍ୟ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର