ଆଜି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଭବାନୀପାଟଣା ରେଳ ଷ୍ଟେସନରେ ପହଞ୍ଚିବେ ୧୦ଟି ଜିଲ୍ଲାର ୧୬୨୪ ଜଣ ପ୍ରବାସୀ ଶ୍ରମିକ

ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ହେବ
ମଧ୍ୟାହ୍ନ ୧୨ ଟାରୁ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ

ଭବାନୀପାଟଣା : ଗୁଜୁରାଟ ରାଜ୍ୟର ରାଜକୋଟ ସିଟି ଠାରୁ ଟ୍ରେନ ନଂ ୦୯୨୭୭ ଶ୍ରମିକ ଏକ୍ସପ୍ରେସ ଆଜି ସକାଳ ୧ଟା ୯ ମିନିଟରେ ଦଶଟି ଜିଲ୍ଲାର ୧୬୨୬ ଜଣ ଶ୍ରମିକ ଙ୍କୁ ଧରି ବାହାରିଛି । ଆସନ୍ତାକାଲି ଅପରାହ୍ନ ୪ ଟା ୨୫ ମିନିଟରେ ଭବାନୀପାଟଣା ରେଳ ଷ୍ଟେସନରେ ପହଞ୍ଚିବ। ଏଥିପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହ ଆସନ୍ତାକାଲି ସକାଳ ୧୨ ଟା ରୁ ୨୦ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ନିମନ୍ତେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୧୪୪ ଧାରା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭବାନୀପାଟଣା ରେଳ ଷ୍ଟେସନ ର ୫୦୦ ମିଟର ପରିଧି, ରେଳ ଷ୍ଟେସନ ଠାରୁ ଭଙ୍ଗାବାରୀ ଓ ଭାୟା ଓୟୁଏଟି କଲେଜ, ରେଳଷ୍ଟେସନ ଠାରୁ ପରମାନନ୍ଦ ପୁର ଠାରେ ଥିବା କେସିଙ୍ଗା ରାସ୍ତା ଲେବେଲ କ୍ରସିଂ, ରେଳ ଷ୍ଟେସନ ଠାରୁ ମେଡିନିପୁର ଛକ, ରେଳଷ୍ଟେସନ ଠାରୁ ଆମ୍ବେଦକର ଛକ ଯାଏଁ ବଳବତ୍ତର ରହିବ ।

ସେହିଭଳି ଭବାନୀପାଟଣା ଟାଉନ ଥାନାର ସମସ୍ତ ସହର ଏବଂ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ପାଇଁ ଆଜି ସନ୍ଧ୍ୟାରେ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରେନରେ ସମୁଦାୟ ୧୫୪୩ ଜଣ ପୁରୁଷ ଓ ମହିଳା ଦାଦନ ଶ୍ରମିକ ଓ ୮୧ଜଣ ଶିଶୁ ସମେତ ୧୬୨୪ ଜଣ ଆସିବେ । ଗୁଜୁରାଟ ସରକାରଙ୍କ ପକ୍ଷରୁ ୩୫ ଟି ବସ୍ ରେ ଦାଦନ ମାନଙ୍କୁ ଆଣି ଟ୍ରେନ ପାଖରେ ପହଞ୍ଚା ଯାଇଥିଲା । ସେମାନଙ୍କୁ ଖାଦ୍ୟ ପ୍ୟାକେଟ,ପାଣି ବୋତଲ, ଏବଂ ମାସ୍କ,ସାବୁନ, ସାନିଟାଇଜର, କିଟ ସମସ୍ତ ପାସେଞ୍ଜର ଙ୍କୁ ପ୍ରଦାନ କରାଯାଇଛି । ଆବଶ୍ୟକ କାଗଜପତ୍ର ରେଳ କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ କରାଯାଇଛି । ଏହି ଟ୍ରେନରେ ଅନୁଗୁଳ ଜିଲ୍ଲାର ୬୯ ଜଣ, ଭଦ୍ରକ ଜିଲ୍ଲାର ୪୭ ଜଣ, ବୌଦ୍ଧର ୨ ଜଣ, ଢେଙ୍କାନାଳ ଜିଲ୍ଲାର ୯ ଜଣ, ଗଂଜାମ ଜିଲ୍ଲାର ୯୯ ଜଣ, ଯାଜପୁର ଜିଲ୍ଲାର ୯୫ ଜଣ, କେନ୍ଦ୍ରାପଡା ଜିଲ୍ଲାର ୪୯ଜଣ, କଟକ ଜିଲ୍ଲାର ୮୩ ଜଣ, ମୟୁରଭଞ୍ଜ ଜିଲ୍ଲାର ୧୩ ଜଣ ଓ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୧୦୭୭ ଜଣ ସମେତ ୧୫୪୩ ଜଣ ଏହି ଟ୍ରେନରେ ଆସୁଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର