ଚାହିଦା ହରାଉଛି ରାୟଗଡ଼ା ତେନ୍ତୁଳି

ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରକ୍ରିୟାକରଣ କେନ୍ଦ୍ର ଓ ଶୀତଳ ଭଣ୍ଡାର

୧ ଲକ୍ଷ କୁଇଣ୍ଟାଲ୍ ବଦଳରେ ମିଳୁଛି ୨୦ ହଜାର କୁଇଣ୍ଟାଲ୍
ଖୋଲା, ବଜାରରେ ଶାଗମାଛ ଦରରେ ବିକୁଛନ୍ତି ଆଦିବାସୀ
ସ୍ବାଦକୁ ଏବେ ବି ଝୁରୁଛନ୍ତି ଦକ୍ଷିଣ ଭାରତର ବ୍ୟବସାୟୀ

ରାୟଗଡ଼ା : ଏକଦା ଦକ୍ଷିଣ ଭାରତୀୟ ବଜାରରେ ଚମକ ସୃଷ୍ଟି କରିଥିବା ରାୟଗଡ଼ା ତେନ୍ତୁଳି ଏବେ ଚାହିଦା ହରାଇବାକୁ ବସିଲାଣି। ଅଶୀ ଦଶକରେ ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ, ତାମିଲନାଡ଼ୁ, କେରଳ ଭଳି ରାଜ୍ୟକୁ ବାର୍ଷିକ ୧ ଲକ୍ଷ କୁଇଣ୍ଟାଲ୍ ତେନ୍ତୁଳି ରପ୍ତାନୀ ହେଉଥିଲା। ଗଦି ପ୍ରସ୍ତୁତ ପାଇଁ ତେନ୍ତୁଳି କତା ଓ ଅଠା ପ୍ରସ୍ତୁତ ପାଇଁ ମଞ୍ଜି ମଧ୍ୟ ବାହାରକୁ ଯାଉଥିଲା। ଯାହା ଆଦିବାସୀଙ୍କ ଅର୍ଥନୀତିକୁ ସଶକ୍ତିକରଣ କରୁଥିଲା। ଦୁଇ ଦଶନ୍ଧି ହେଲା ରାୟଗଡ଼ା ତେନ୍ତୁଳି ଆଉ ଦକ୍ଷିଣ ଭାରତର ବଜାରରେ ପହଞ୍ଚି ପାରୁନି। ପ୍ରକ୍ରିୟାକରଣ କେନ୍ଦ୍ର, ଶୀତଳ ଭଣ୍ଡାର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ତେନ୍ତୁଳି ଉତ୍ପାଦନ ମଧ୍ୟ ୮୦ ପ୍ରତିଶତ କମିଗଲାଣି।

ଜିଲ୍ଲାର ରାୟଗଡ଼ା, ବିଷମକଟକ, ଚନ୍ଦ୍ରପୁର, ଗୁଡ଼ାରି ବ୍ଲକ ସମେତ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗାଁ ଗୁଡ଼ିକରୁ ସର୍ବାଧିକ ତେନ୍ତୁଳି ଉତ୍ପାଦନ ହେଉଥିଲା। ତେନ୍ତୁଳିର ବଜାରୀକରଣ ପାଇଁ ୧୯୮୦ ମସିହାରେ କୌଣସି ସୁବିଧା ନଥିବାରୁ ରାୟଗଡ଼ାର ବିଶିଷ୍ଟ ବ୍ୟବସାୟୀ ଡି. ସତ୍ୟ ନାରାୟଣ ନିଜ ଉଦ୍ୟମରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜେମାଦେଇପେଣ୍ଠରେ ପ୍ରକ୍ରିୟାକରଣ ୟୁନିଟ୍ ସହ ଶୀତଳ ଭଣ୍ଡାର ନିର୍ମାଣ କରିଥିଲେ। ସେହି ସମୟରେ ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ରାୟଗଡ଼ା ବ୍ଲକର ଡୁକୁମ୍, ଗୁମ୍ମା, ଶେଷଖାଲ ସମେତ ଗୁଡ଼ାରି ବ୍ଲକର ଶିରିଗୁଡା, ଢ଼େପାଗୁଡ଼ା, ଚନ୍ଦ୍ରପୁର ବ୍ଲକର ଚନ୍ଦ୍ରପୁର, ଡାଙ୍ଗସୋରଡ଼ା ଅଞ୍ଚଳର ଆଦିବାସୀ ଉତ୍ପାଦିତ ତେନ୍ତୁଳି ଆଣି ଏଠାରେ ବିକ୍ରି କରୁଥିଲେ। ସେହି ସମୟରେ ତେନ୍ତୁଳି କେଜି ପିଛା ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଥିଲା। ପ୍ରକ୍ରିୟାକରଣ ପରେ ମାସିକ କେବଳ ତାମିଲନାଡ଼ୁକୁ ୨୦ ମେଟ୍ରିକ୍ ଟନ୍ ତେନ୍ତୁଳି ରପ୍ତାନି ହେଉଥିଲା। ପ୍ରକ୍ରିୟାକରଣ ପରେ ତେନ୍ତୁଳିରୁ ବାହାରୁଥିବା କତା ଗଦି ପ୍ରସ୍ତୁତ ପାଇଁ ବିଶାଖାପାଟଣା ଏବଂ ମଞ୍ଜି ଅଠା ପ୍ରସ୍ତୁତ ପାଇଁ ଅନ୍ୟ ରାଜ୍ୟକୁ ଚାଲି ଯାଉଥିଲା। ୨୦୦୦ ମସିହା ପର୍ଯ୍ୟନ୍ତ ଏହି ୟୁନିଟ୍ ଚାଲିଥିବା ବେଳେ ଦକ୍ଷିଣ ଭାରତରେ ବଜାରରେ ଆନ୍ଧ୍ର ତେନ୍ତୁଳି ରାଜ୍‌ କରୁଥିଲା। ଉତ୍କୃଷ୍ଟମାନର ସାଙ୍ଗକୁ ଅତ୍ୟଧିକ ଖଟା ଓ ସ୍ବାଦିଷ୍ଟ୍ ହୋଇଥିବାରୁ ତେନ୍ତୁଳିକୁ ନେବା ପାଇଁ ବାହାର ରାଜ୍ୟ ବ୍ୟବସାୟୀ ଅଗ୍ରୀମ ଟଙ୍କା ଦେଇ ଚାହିଦା ମୁତାବକ ତେନ୍ତୁଳି ନେଉଥିଲେ। ଏବେ କିନ୍ତୁ ରାୟଗଡ଼ା ତେନ୍ତୁଳିର ପୂର୍ବ ଭଳି ଚାହିଦା ଆଉ ନାହିଁ।

ଜଙ୍ଗଲ ନଷ୍ଟ, ରାସ୍ତା ସଂପ୍ରସାରଣ ଯୋଗୁ ବହୁ ଗଛ କଟାଯିବା ସହ ବନ୍ୟା, ବାତ୍ୟାରେ ଉପୁଡ଼ି ପଡ଼ିବା ଯୋଗୁ ୧ ଲକ୍ଷ କୁଇଣ୍ଟାଲ୍ ବଦଳରେ ବାର୍ଷିକ ମାତ୍ର ୨୦ ହଜାର କୁଇଣ୍ଟାଲ୍ ତେନ୍ତୁଳି ଜିଲ୍ଲାରୁ ମିଳୁଛି। ଯାହାର ବିକ୍ରି ବାବଦକୁ ଦି ପଇସା ଲାଭ ପାଇପାରୁନାହାନ୍ତି ଆଦିବାସୀ। ତେନ୍ତୁଳିର ସର୍ବନିମ୍ନ ସହାୟକ ମୂଲ୍ୟ ରାଜ୍ୟ ସରକାର ୩୬ ଟଙ୍କା ନିର୍ଧାରଣ କରିଛନ୍ତି। ଫେବ୍ରୁଆରୀ ମାସରୁ ମେ’୧୫ ପର୍ଯ୍ୟନ୍ତ ତେନ୍ତୁଳି ଉତ୍ପାଦନ ହେଉଥିବା ବେଳେ ଉତ୍ପାଦିତ ତେନ୍ତୁଳି କିଣିବା ଲାଗି ରାୟଗଡ଼ା ଆଦିବାସୀ ଉନ୍ନୟନ ସମୁଦାୟ ନିଗମ (ଟିଡିସିସି)କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଜିଲ୍ଲାର ୨୫ଟି ସ୍ବଂୟ ସହାୟକ ଗୋଷ୍ଠୀ ଜରିଆରେ ଟିଡିସିସି ତେନ୍ତୁଳି କିଣିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଯାବତ୍ ୬ଟି ସ୍ବଂୟ ସହାୟକ ଗୋଷ୍ଠୀ ଜାରିଆରେ ମାତ୍ର ୫୬୧ କୁଇଣ୍ଟାଲ୍ ତେନ୍ତୁଳି କିଣିଛି। ରାୟଗଡ଼ାରେ ଶୀତଳ ଭଣ୍ଡାର ନଥିବାରୁ କିଣିଥିବା ତେନ୍ତୁଳିକୁ ଟିଡିସିସି ଜୟପୁରରେ ରଖିଛି। ଟେଣ୍ଡର ପରେ ଏହି ତେନ୍ତୁଳିକୁ ବିକ୍ରୀ କରାଯିବ ବୋଲି ଟିଡିସିସି ଶାଖା ପରିଚାଳକ ଅଶୋକ ପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ଉତ୍ପାଦନ ଋତୁ ସରି ଆସୁଥିବାରୁ ବଳକା ୧୯ ହଜାର ୫୦୦ କୁଇଣ୍ଟାଲ୍ ତେନ୍ତୁଳିକୁ ଆଦିବାସୀ ଖୋଲା ବଜାରରେ ଶାଗମାଛ ଦରରେ ବିକ୍ରି କରି ଦେଇଛନ୍ତି। ଯାହାର କୌଣସି ହିସାବ ଟିଡିସିସି ପାଖରେ ନାହିଁ। ଲକଡାଉନ୍ ଯୋଗୁ ଉତ୍ପାଦିତ ତେନ୍ତୁଳିକୁ ଆଦିବାସୀ ଆନ୍ଧ୍ର ସମେତ ଓଡ଼ିଶାର ବାହାର ଜିଲ୍ଲା ବ୍ୟବସାୟୀକୁ ବିକ୍ରି କରିଛନ୍ତି। ପରିଶ୍ରମ ଅନୁଯାୟୀ ତେନ୍ତୁଳିର ମୂଲ ମିଳୁନଥିବାରୁ ପୂର୍ବ ଭଳି ବଣ, ପାହାଡ଼ ବୁଲି ଆଦିବାସୀ ତେନ୍ତୁଳି ସଂଗ୍ରହ କରୁନାହାନ୍ତି। ପୂର୍ବରୁ ବେପାରୀ ଅଗ୍ରୀମ ଦେଉଥିବା ଯୋଗୁ ଆଦିବାସୀ ବୁଲି ବୁଲି ତେନ୍ତୁଳି ସଂଗ୍ରହ କରୁଥିଲେ। ବର୍ତ୍ତମାନ ଶ୍ରମ ଅନୁଯାୟୀ ମୂଲ ମିଳୁନଥିବାରୁ ଉତ୍ପାଦନ କମିବା ସହିତ ଚାହିଦା ହରାଉଛି ରାୟଗଡ଼ା ତେନ୍ତୁଳି।

ସମ୍ବନ୍ଧିତ ଖବର