ଓଡ଼ିଶା ଶୁଭ ଦେଇଥିଲା, ଏବେ ଆନ୍ଧ୍ର ଦେଲା

ଫଗୁଣସିନେରି ନିକଟସ୍ଥ କୋଡ଼ମାରେ ରାସ୍ତା ପାଇଁ ଶିଳନ୍ୟାସ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ/ପଟାଙ୍ଗି : ବର୍ଷକ ତଳେ ଯେଉଁ ରାସ୍ତାକୁ ଓଡ଼ିଶା ପକ୍ଷରୁ ଶୁଭ ଦିଆଯାଇଥିଲା, ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନ୍ନା ଦୋରା ସେହି ରାସ୍ତାକୁ ଶୁଭ ଦେଇଛନ୍ତି। ଓଡ଼ିଶା ସୀମାନ୍ତ ତଥା ଜିରୋ ପଏଣ୍ଟରୁ ୧ କିଲୋମିଟର ମଧ୍ୟରେ ଥିବା କୋଡ଼ମା ଅଞ୍ଚଳର ଏହି ରାସ୍ତା ପାଇଁ ୧୧.୩୬ କୋଟି ଟଙ୍କା ଖର୍ଚ୍ଚ କରିବେ ଆନ୍ଧ୍ର ସରକାର। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାସ୍ତା ନିର୍ମାଣ ନ ହେଉଥିବାରୁ ଓଡ଼ିଶାରେ ମିଶିବା ପାଇଁ ଚେତାବନୀ ଦେଇଥିଲେ କୋଡ଼ମାର ଅଞ୍ଚଳବାସୀ। ଏହାପରେ ଏହି ପଡ଼ୋଶୀ ରାଜ୍ୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ରାସ୍ତା କୋଟିଆ ଅଞ୍ଚଳ ସହିତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ୍‌କୁ ଯୋଡ଼ିବ। ଏହି ରାସ୍ତା ହେବାପରେ କୋଡ଼ମା ପଞ୍ଚାୟତର ୨୧ ଖଣ୍ଡ ଗ୍ରାମବାସୀ ସୁବିଧାରେ ସାଲୁର ବ୍ଲକ ଓ ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲା ସଦର ମହକୁମାକୁ ସୁବିଧାରେ ଯାତାୟାତ କରିପାରିବେ। ପୂର୍ବରୁ ଅଞ୍ଚଳର ବିକାଶ ସହିତ ରାସ୍ତା ନିର୍ମାଣ ଦାବି ନେଇ ଏହି ପଞ୍ଚାୟତବାସୀ ଓଡ଼ିଶାରେ ମିଶିବା ପାଇଁ ଯୋଜନା କରିଥିବା ବେଳେ ଆନ୍ଧ୍ର ପ୍ରଶାସନ ନୂଆ ଚାଲ୍‌ ଚଲାଇ ଅଞ୍ଚଳବାସୀଙ୍କୁ ନିଜ ହାତରେ ରଖିବାକୁ ଯୋଜନାକରିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରି ଗାଁ ପାର୍ଶ୍ବରେ ଏକ ସଭା କରିଛି ଜିଲ୍ଲା ପ୍ରଶାସନ। ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ଓ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ପିଡିକା ରାଜାନ୍ନା ଦୋରା ଏଥିରେ ଯୋଗଦେଇଥିଲେ। ମାଓ ପ୍ରଭାବିତ ଅଞ୍ଚଳରେ ଉନ୍ନୟନ ପାଣ୍ଠିରେ ପ୍ରାୟ ୧୧.୩୬ କୋଟି ଟଙ୍କା ବ୍ୟୟ କରି ୧୦.୮ କିଲୋମିଟର ପିଚୁ ରାସ୍ତା ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି,ଏହି ରାସ୍ତା ନିର୍ମାଣ ମାଧ୍ୟମରେ ଓଡ଼ିଶାର ନୂଆ ଅଞ୍ଚଳକୁ ଦଖଲ କରିବା ପାଇଁ ଆନ୍ଧ୍ରର ଭିତିରି ଉଦ୍ଦେଶ୍ୟ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର