ପରିବେଶ ପର୍ଯ୍ୟଟନର ଚାହିଦା ବଢ଼ୁଛି: ବିକଶିତ ହେବ ରାଜ୍ୟର ୧୩ଟି ନୂଆ ପରିବେଶ ପର୍ଯ୍ୟଟନସ୍ଥଳୀ

ତାଲିକାରେ ଅଛି କୋଟିଆ, ମିଳିବ ରାତ୍ରିରହଣିର ସୁବିଧା

ଭୁବନେଶ୍ବର : ରାଜ୍ୟରେ ଏବେ ୫୦ଟି ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ଏଥିରେ କିଛି ସ୍ଥାନରେ ରାତ୍ରି ରହଣିର ସୁବିଧା ରହିଛି। ଏବେ ଏହି ତାଲିକାରେ ଆଉ ୧୩ଟି ନାମ ଯୋଡ଼ି ହେବାକୁ ଯାଉଛି। ଏଥିରେ ବହୁଚଚ୍ଚିତ କୋଟିଆ ଗ୍ରାମପୁଞ୍ଜକୁ ବି ସ୍ଥାନ ଦିଆଯାଇଛି। ରାତ୍ରି ରହଣିର ସୁବିଧା ଥାଇ ବିକଶିତ କରାଯିବାକୁ ଥିବା ୧୦ଟି ପରିବେଶ ପର୍ଯ୍ୟଟନସ୍ଥଳୀ ହେଲା କୋରାପୁଟର କୋଟିଆ ଓ ଦେଓମାଳି ପାହାଡ଼, କଳାହାଣ୍ଡିର ଜକାମ, ଉତ୍ତର ଶିମିଳିପାଳର ନଅଣା, ଫୁଲବାଣୀର ସିଲଭିକଲଚର ଗାର୍ଡେନ, ପୁରୀର ଅସ୍ତରଙ୍ଗ ମୁହାଣ, ରାଇରଙ୍ଗପୁରର ଖଡ଼ଖାଇ, ଗଞ୍ଜାମର ମହେନ୍ଦ୍ରଗିରି, କେନ୍ଦୁଝରର କାଞ୍ଜିପାଣି ଘାଟ ଓ ହଦଗଡ଼ ଡ୍ୟାମ। ପର୍ଯ୍ୟଟକଙ୍କ ଦିନରେ ବୁଲିବା ନିମନ୍ତେ ବିକଶିତ ହେବାକୁ ଥିବା ତିନିଟି ପର୍ଯ୍ୟଟନସ୍ଥଳୀ ହେଲା କୋରାପୁଟର ରାଣୀ ଡୁଡୁମା, କଟକର ଧଳତଙ୍ଗଡ଼ ଓ ନୟାଗଡ଼ ଜଙ୍ଗଲ ଡିଭିଜନର ଝାଡ଼େଶ୍ୱରୀ ମନ୍ଦିର ନିକଟସ୍ଥ ଭଣ୍ଡାରପାହାଡ଼।

ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରିବେଶ ପର୍ଯ୍ୟଟନସ୍ଥଳୀର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଶ୍ରୀ ମହପାତ୍ର ଗୁରୁତ୍ବାରୋପ କରିଥିଲେ। ପର୍ଯ୍ୟଟକମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହ ସେମାନଙ୍କୁ ଉଚ୍ଚମାନର ଆତିଥେୟତା ପ୍ରଦାନ ‌ପାଇଁ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବନ୍ୟପ୍ରାଣୀ ପିସିସିଏଫ ଶଶି ପଲ୍ କହିଥିଲେ ଯେ, ରାଜ୍ୟରେ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରାଗଲାଣି। ଗତ ୫ ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୧୪୨ ପ୍ରତିଶତ ବୃଦ୍ଧି ହୋଇଛି । ୨୦୧୭-୧୮ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୧,୫୦୦ ଥିବାବେଳେ ଏହା ୨୦୨୧-୨୨ରେ ୭୦,୨୧୬ରେ ପହଞ୍ଚିଛି। ସେହିପରି ପରିବେଶ ପର୍ଯ୍ୟଟନରୁ ୨୦୧୭-୧୮ରେ ରାଜସ୍ୱ ୩.୪୦କୋଟି ଟଙ୍କା ମିଳୁଥିବାବେଳେ ୨୦୨୧-୨୨ରେ ଏହା ୧୦.୫୨କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର