ଚାଉଳ ରପ୍ତାନି ଉପରେ ଲାଗିବ କଟକଣା: ମହଙ୍ଗା ହେବା ପରେ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଓ ‌ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଗହମ, ଅଟା ପରେ ଏବେ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ଭାରତ ସରକାର ବିଚାର କରୁଛନ୍ତି। ଭାରତ ହେଉଛି ବିଶ୍ବର ସର୍ବବୃହତ ଚାଉଳ ରପ୍ତାନିକାରୀ। କିନ୍ତୁ ଗତ କିଛି ଦିନ ଭିତରେ ଚାଉଳ ମୂଲ୍ୟରେ ବୃଦ୍ଧି ହୋଇଥିବାରୁ ତାହାକୁ ନଜରରେ ରଖି ଚାଉଳ ରପ୍ତାନି ଉପରେ ସାମୟିକ ପ୍ରତିବନ୍ଧକ ଲଗାଇବା ବିଷୟରେ ସରକାର ବିଚାର କରୁଛନ୍ତି। ଭଙ୍ଗା ଚାଉଳର ରପ୍ତାନିକୁ ନିଷିଦ୍ଧ କରିବା ଲାଗି ସରକାର ଭାବୁଛନ୍ତି। ଭାରତ ରପ୍ତାନି କରୁଥିବା ଚାଉଳ ମଧ୍ୟରୁ ୨୦% ହେଉଛି ଭଙ୍ଗା ଚାଉଳ। ଭଙ୍ଗା ଚାଉଳକୁ ପଶୁ ଖାଦ୍ୟ ଓ ଇଥାନଲ୍ ପ୍ରସ୍ତୁତ କରିବା ଲାଗି ବ୍ୟବହାର କରାଯାଇଥାଏ। ରପ୍ତାନି କଟକଣାକୁ ନେଇ ଗମ୍ଭୀରତାର ସହ ଆଲୋଚନା ହୋଇଛି ଓ ଖୁବ୍‌ଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି।
ବିଶ୍ବ ଚାଉଳ ବ୍ୟବସାୟରେ ଭାରତର ଭାଗ ୪୦ ପ୍ରତିଶତ ରହିଛି। ରପ୍ତାନି ଉପରେ ଭାରତ କଟକଣା ଲଗାଇଲେ ଏହା ବିକ୍ରି କରୁଥିବା ଚାଉଳ ଉପରେ ନିର୍ଭରଶୀଳ ଦେଶଗୁଡ଼ିକରେ ଖାଦ୍ୟ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବିଶେଷ କରି ଉପସାଗରୀୟ ଦେଶଗୁଡ଼ିକ ଅଧିକ ସମସ୍ୟା ଭୋଗିବେ। ଦୁନିଆର ୯୦ ପ୍ରତିଶତ ଚାଉଳ ଏସିଆ ମହାଦେଶରେ ବ୍ୟବହାର କରାଯାଉଛି। ଭାରତ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଲେ ଚୀନ୍ ସର୍ବାଧିକ ପ୍ରଭାବିତ ହେବ କାରଣ ତାହା ଅଧିକ ଚାଉଳ ମଗାଉଥିଲା।

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ସାରା ବିଶ୍ବରେ ଖାଦ୍ୟ ସମଗ୍ରୀ ଦର ଆକାଶଛୁଆଁ ସ୍ତରକୁ ବୃଦ୍ଧି ପାଇଛି। ଯୁଦ୍ଧ ଲଢ଼ୁଥିବା ଏହି ଦୁଇ ଦେଶ ବିଶ୍ବର ଏକ ପଞ୍ଚମାଂଶ ଗହମ ଆବଶ୍ୟକତା ପୂରଣ କରୁଥିଲେ। ସେଠାରୁ ଶସ୍ୟ ଅନ୍ୟ ଦେଶକୁ ଯାଇପାରୁନଥିବାରୁ ଗହମ ମହଙ୍ଗା ହୋଇଛି। ଅଧିକ ଲାଭ ପାଇବା ଆଶାରେ ଭାରତର ବ୍ୟବସାୟୀମାନେ ବାହାରକୁ ଗହମ ପଠାଇବା ‌ପରେ ଦେଶ ଭିତରେ ତାହା ମହଙ୍ଗା ହୋଇଥିଲା। ସେଥିପାଇଁ ସରକାର ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ। ଏସିଆରେ ଗହମ ଅଭାବ ଯୋଗୁଁ ଯେଉଁ ସଙ୍କଟ ଦେଖାଦେଇଥିଲା ତାହାକୁ ଭରଣା କରିବାରେ ଚାଉଳ ସହାୟକ ହୋଇଥିଲା। ଯେହେତୁ ଚାଉଳକୁ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଅଧିକାଂଶ ଦେଶ ଏସିଆର ତେଣୁ ଏଠାରେ ଆଉ ଗହମର ଅଭାବ ପରିଲକ୍ଷିତ ହୋଇନଥିଲା। ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ଯେତିକି ଜମିରେ ଧାନ ଚାଷ ହେଉଥିଲା ତାହାର ପରିମାଣ ହ୍ରାସ ପାଇଛି। ତେଣୁ ଧାନ ଉତ୍ପାଦନ କମ୍ ହେବ ବୋଲି ଆକଳନ କରାଯାଉଛି। ଏଭଳି ପରିସ୍ଥିତିରେ ଯଦି ଚାଉଳ ରପ୍ତାନି ଉପରେ ରୋକ ଲଗାନଯିବ ତେବେ ଆଗାମୀ ଦିନରେ ତାହାର ଅଭାବ ଦେଖାଦେବା ଓ ତାହା ମହଙ୍ଗା ହୋଇଯିବାର ମଧ୍ୟ ଆଶଙ୍କା ରହିଛି। ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ପାଇଁ ୨୦୦୮ରେ ଚାଉଳର ଟନ୍ ପିଛା ଦାମ୍ ୧୦୦୦ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ତାହା ବର୍ତ୍ତମାନ ମୂଲ୍ୟ ତୁଳନାରେ ପ୍ରାୟ ଦୁଇ ଗୁଣା ଅଧିକ ଥିଲା। ସେହି ସମୟରେ ଭାରତ ଓ ଭିଏତନାମ ପକ୍ଷରୁ ଚାଉଳ ରପ୍ତାନି ଉପରେ ରୋକ ଲଗାଯାଇଥିଲା। ସେଥିପାଇଁ ସେଭଳି ସଙ୍କଟ ସୃଷ୍ଟି ହୋଇଥିଲା। ସେହି ସମୟରେ ସାରା ବିଶ୍ବରେ ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।

ସମ୍ବନ୍ଧିତ ଖବର