ୱାଡି ପ୍ରକଳ୍ପ ନାଁରେ ଡିଏମଏଫ ଅନୁଦାନ ଲୁଟିନେଲେ; ୮୧.୪୩ କୋଟିର ଫଳ ବଗିଚାରୁ ଗଛ ଉଭାନ୍

କେଉଁଠି ଜଳିଗଲା, କେଉଁଠି ହାତୀ ଖାଇଯିବାର ସଫେଇ 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ନାଁରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏବଂ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି)ର କୋଟି କୋଟି ଟଙ୍କା ହରିଲୁଟ୍ର ସାଂଘାତିକ ଅଭିଯୋଗ ସବୁ ରହିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା କେବେ ତଦନ୍ତ ମଧ୍ୟ ହୋଇ ନାଥହିଁ। ଏହାକୁ ସୁଯୋଗ ମଣି କାର୍ଯ୍ୟ ନିର୍ବାହୀ ସଂସ୍ଥାର ଅସାଧୁ ଅଧିକାରୀ ଓ ସହଯୋଗୀ ସଂସ୍ଥା ଏବେ ବି କୋଟି କୋଟି ଅନୁଦାନକୁ ଆଖି ବୁଜି ହଡ଼ପ କରି ଚାଲିଛନ୍ତି।

ନିକଟରେ କୋଇଡ଼ା ଓ ହେମଗିର ବ୍ଲକ୍ରେ ଡିଏମଏଫ ଅନୁଦାନରେ କାର୍ଯ୍ୟକାରୀ ହୋଇଥିବା ୱାଡି ପ୍ରକଳ୍ପ (ଫଳବଗିଚା)ର ବିକଳ ଚିତ୍ର ସାମ୍ନାକୁ ଆସିଥିଲା। ଫଳ ବଗିଚା ସୃଷ୍ଟି କରିବା ନାଁରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ କେବଳ କୋଇଡ଼ା କି ହେମଗିର ବ୍ଲକ୍ ନୁହେଁ, ଜିଲ୍ଲାର କୁତ୍ରା, କୁଆଁରମୁଣ୍ଡା, ଲହୁଣୀପଡ଼ା, ରାଜଗାଙ୍ଗପୁର ବ୍ଲକ ସହ ବୀରମିତ୍ରପୁର ୱାଡି ପ୍ରକଳ୍ପରୁ ମଧ୍ୟ ସେହି ସମାନ ଅଭିଯୋଗ ଆସିଛି। ଏସବୁ ବ୍ଲକରେ ୮୧.୪୩ କୋଟିର ଫଳ ବଗିଚା ସୃଷ୍ଟି କରାଯାଇଥିବା ପ୍ରକଳ୍ପ ସୂଚନା ଫଳରେ ଦର୍ଶାଯାଇଥିବା ବେଳେ ଏବେ ସେଥିମଧ୍ୟରୁ ଅନେକ ବଗିଚାରୁ ଗଛଗୁଡ଼ିକ ଉଭାନ୍ ହୋଇଯାଇଛି। ପଡ଼ିଆ ସବୁ ଖାଲି ପଡ଼ିଛି। ଅଭିଯୋଗ ହୋଇଛି, ଆଦୌ ଚାରା ନଲଗାଇ ବା କେଉଁଠି କେଉଁଠି କାଁଭାଁ ଗୋଟେ, ଯୋଡ଼େ ଚାରା ଲଗାଇ ଅନୁଦାନ ରାଶିକୁ ହଡ଼ପ କରି ନିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ପାଣ୍ଠିରୁ ଖଣି ପ୍ରଭାବିତ ଏହି ୬ଟି ବ୍ଲକ ସମେତ ବୀରମିତ୍ରପୁରରେ ୱାଡି ପ୍ରକଳ୍ପ ପାଇଁ ୧୧ କୋଟି ୬୩ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ବ୍ଲକର ଆଦିବାସୀଙ୍କ ଖାଲି ପଡ଼ିଥିବା ପ୍ରାୟ ୫ ଶହ ଏକର ରୟତି ଜମିରେ ପର୍ଯ୍ୟାୟକ୍ରମେ ଗୋଷ୍ଠୀଗତ ଫଳ ବଗିଚା କରି ତାର ଯତ୍ନ ନେବା, ବୁଲା ଗାଈଗୋରୁ ଓ ବନ୍ୟପ୍ରାଣୀ ଠାରୁ ସୁରକ୍ଷା ପାଇଁ ଜମି ଚାରିପଟେ ତାରବାଡ଼ ଦେବା, ଗଛରେ ନିୟମିତ ପାଣି ସିଂଚନ ପାଇଁ ପ୍ରତି ୨୦ ଏକରରେ ୪ ଟି ସୋଲାର ଗଭୀର ନଳକୂପ ଖୋଳାଯାଇ ପ୍ରତ୍ୟେକ ଗଛ ମୂଳକୁ ପାଇପ୍ ବିଛା ଯିବା, ଏକର ପିଛା ୫୦/୬୦ ଫଳ ଗଛଗୁଡ଼ିକ ବଢିବା ପାଇଁ ନିୟମିତ ସାର ଖତ ପ୍ରୟୋଗ, ଜମିରୁ ଘାସବୁଦା ନିୟମିତ ସଫା କରାଯିବା, ଦୁଇ ଧାଡ଼ିରେ ଲଗାଯାଇଥିବା ଫଳ ଗଛ ମଝି ଜମିରେ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପନିପରିବା, ଫୁଲ ଆଦି ଚାଷ କରି ହିତାଧିକାରୀମାନଙ୍କୁ ଉପାର୍ଜନକ୍ଷମ କରାଯିବା ଏହାର ଲକ୍ଷ୍ୟ ରହିଛି।

ପ୍ରକଳ୍ପ ଆଧାରିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ବ୍ୟବସ୍ଥା ଆଦିବାସୀ ହିତାଧିକାରୀଙ୍କ ପାଇଁ ସଂପୂର୍ଣ୍ଣ ଦେୟମୁକ୍ତ ଅଟେ। କେବଳ ସେତିକି ନୁହେଁ, ଏହି ପ୍ରକଳ୍ପ ସହ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ ସାମିଲ କରାଯାଇ ଅନ୍ୟାନ୍ୟ ଜବକାର୍ଡଧାରୀ ଶ୍ରମିକଙ୍କ ଉପାର୍ଜନକୁ ମଧ୍ୟ ଏଥିରେ ଯୋଡ଼ାଯାଇଛି। କିନ୍ତୁ ଲକ୍ଷ୍ୟ କେବଳ କାଗଜପତ୍ରରେ। ଫଳବଗିଚାର ବାସ୍ତବସ୍ଥିତି ଅତି ଶୋଚନୀୟ। ମାର୍ଗଦର୍ଶିକା ଅନୁଯାୟୀ କାମ ନକରି କେବଳ କାଗଜପତ୍ରରେ ସବୁ ଠିକଠାକ ଦେଖାଇ ଯୋଜନାର ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ରହିଛି। ସାରଖତ, ଘାସସଫା, ମରାମତିର ନିୟମିତ ରକ୍ଷଣାବେକ୍ଷଣ ଏବଂ ଜଳସେଚନ ହେଉ ନଥିବାରୁ ବଗିଚାରେ ଘାସଲଟା ଭରି ଯାଇଛି। କାଗଜପତ୍ରରେ ଠିକଠାକ ଦେଖାଇ କୋଟି କୋଟି ଟଙ୍କା ହଡ଼ପ କରି ନେଇଛନ୍ତି ଅଧିକାରୀ ଓ ସଂସ୍ଥା। କୋଇଡା ବ୍ଲକର ପାଟମୁଣ୍ଡା ପଞ୍ଚାୟତ ବଲଡିହି ଗ୍ରାମରେ ୨୦୨୧-୨୨ ଆର୍ଥିକ ବର୍ଷରେ ଆଦିବାସୀଙ୍କ ଖାଲି ପଡିଥିବା ୧୪ ଏକର ଜମିରେ ୧ କୋଟି ୮୩ ଲକ୍ଷ ୪୬ ହଜାର ୨୫୧ ଟଙ୍କା ବ୍ୟୟରେ ୱାଡି ପ୍ରକଳ୍ପରେ ଆମ୍ବ ଓ ଲିଚୁ ବଗିଚା କରାଯାଇଥିବା ଦର୍ଶାଯାଇଥିଲା। ଉଦ୍ୟାନ କୃଷି ବିଭାଗ ଜରିଆରେ ବେସରକାରୀ ସଂସ୍ଥା ଏସଜିୟୁପି ପ୍ରକଳ୍ପ କାମ ଶେଷ କରିଥିଲା। ଏପରିକି ଅଡିଟ୍ ମଧ୍ୟ ସରିଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ୧୪ ଏକର ଜମିକୁ କେବଳ ତାର ଜାଲି ଘେରାଯିବା ଛଡ଼ା ଆଉ କିଛି ହୋଇନାହିଁ । ବଗିଚାରେ ଗୋଟିଏ ବି ଚାରା ଲଗା ଯାଇ ନାହିଁ, ପୂରା ପଡ଼ିଆ ଖାଲି। ଉତ୍ତରରେ ଗଛ ସବୁକୁ ହାତୀ ଖାଇଦେଲେ ବୋଲି ସଫେଇ ଦେଇଥିଲା ସଂସ୍ଥା।

ସେହିପରି ହେମଗିର ବ୍ଲକ୍ର ୭ଟି ସ୍ଥାନରେ ସୁନ୍ଦରଗଡ଼ ଉଦ୍ୟାନ ବିଭାଗର ତତ୍ତ୍ବାବଧାନରେ କେନ୍ଦୁଝରର ଏସ. ଜି. ଫାଉଣ୍ଡେସନ ସଂସ୍ଥା ମାଧ୍ୟମରେ ୧୩ଟି ୱାଡ଼ି ପ୍ରକଳ୍ପ ଚାଲିଛି। ଲଇକେରାର ୪ଟି ସ୍ଥାନରେ ମୋଟ ୩୯.୯୮୨ ହେକ୍ଟର, କୋଡବାହାଲରେ ୨ଟି ମୋଟ ୧୮ ହେକ୍ଟର, ଡୁଙ୍ଗୁରିଡିହି, ସୁରୁଲତା, ବିଶ୍ବନାଥପୁର ଓ ବାଦିବାହାଲରେ ଗୋଟିଏ ଲେଖାଏଁ ଯଥାକ୍ରମେ ୧୦ ହେକ୍ଟର, ୧୦.୮୯ ହେକ୍ଟର, ୫୨.୨୧ ହେକ୍ଟରରେ ଫଳ ଉଦ୍ୟାନ କରାଯାଇଛି। ସେଥିମଧ୍ୟରୁ ବ୍ଲକର ଛତିଶଗଡ଼ ସୀମାନ୍ତ ଟପରିଆର ୩ଟି ସ୍ଥାନରେ ମୋଟ ୩୦.୧୭ ହେକ୍ଟର ଜମିରେ ଫଳବଗିଚା କରାଯାଇଥିଲା। ଏଥିପାଇଁ ପ୍ରାୟ କୋଟିଏ ଟଙ୍କା ବ୍ୟୟ ହୋଇଥିବା ବେଳେ ବଗିଚାରେ ଆମ୍ବ, ଲେମ୍ବୁ, କମଳା ଚାରା ଲଗାଯାଇଥିଲା। କିନ୍ତୁ ମାର୍ଗଦର୍ଶିକା ଅନୁଯାୟୀ କାମ ନକରି କେବଳ କାଗଜପତ୍ରରେ ସବୁ ଠିକଠାକ ଦେଖାଇ ଯୋଜନାର ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଥିଲା। ଠିକ୍ ଏହି ସମୟରେ ୩୦ ହେକ୍ଟରର ୱାଡି ପ୍ରକଳ୍ପ ଜଳିଗଲା। ପ୍ରକଳ୍ପରେ ଲାଗିଥିବା ୨୫ ଶହରୁ ଉର୍ଦ୍ଧ୍ବ ଆମ୍ବ, ଲେମ୍ବୁ, କମଳା ଗଛ ଜଳିଗଲା। ଉଦ୍ୟାନ ବିଭାଗ ଓ ପ୍ରକଳ୍ପ ଦାୟିତ୍ବରେ ଥିବା ବେସରକାରୀ ସଂସ୍ଥାକୁ ଦୁର୍ନୀତି ଲୁଚାଇବା ପାଇଁ ବଡ଼ ମଉକାଟେ ପାଇଗଲେ ବୋଲି ଚର୍ଚ୍ଚା ହୋଇଥିଲା। କୁତ୍ରା ବ୍ଲକର ତେଲିଘନାରେ ସେବକ ସଂସ୍ଥା ମାଧ୍ୟମରେ ୨୪.୯୪ ହେକ୍ଟର ଜମିରେ ଆମ୍ବ ବଗିଚା କରାଯାଇଥିବା ବେଳେ ସେଥିରେ ଜଳସେଚନ, ଗଭୀର ନଳକୂପ, ସୌରଚାଳିତ ପମ୍ପ, ବୁନ୍ଦା ଜଳସେଚନ ଆଉ କାମ କରୁ ନାହିଁ। ଗଭୀର ନଳକୂପ ଅଚଳ ହୋଇ ଯାଇଥିବା ବେଳେ ବୁନ୍ଦା ଜଳସେଚନ ପାଇପ୍ ଉଭାନ ହୋଇଯାଇଛି। ବଗିଚାର ଖାଲି ସ୍ଥାନରେ ଅର୍ଥକାରୀ ଫସଲ ଉତ୍ପାଦନ ବ୍ୟବସ୍ଥା ରହିଛି। ଏଥିରେ ମନରେଗା ଶ୍ରମିକମାନଙ୍କୁ ନିୟୋଜିତ କରାଯିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏଠାରେ ଶ୍ରମିକ ବଦଳରେ ଟ୍ରାକ୍ଟରରେ କାମ କରାଯାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର