ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ମହୁଲବାହାଲି ଛକଠାରେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା ଦେବାରୁ ବେଲପଡ଼ା ଥାନା ତରାଗାଁର ସୁବାସ ତାଣ୍ଡି (୪୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ କଣ୍ଟାବାଞ୍ଜି ଆର୍‌ଏମ୍‌ସି ଗୋରୁ ବଜାରରେ ୩୦ଟି ଗୋରୁ ବିକି ବାଇକ୍‌ ଯୋଗେ ଫେରୁଥିଲେ। ତାଙ୍କ ପକେଟରେ ଥିବା ପ୍ରାୟ ୪ ଲକ୍ଷ ଟଙ୍କା କୁଆଡ଼େ ଗଲା ବୋଲି ଏବେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ସୁବାସ ବୁଧବାର ୩୦ ଗୋଟି ଗୋରୁ ଆଣି କଣ୍ଟାବାଞ୍ଜି ଗୋରୁ ବଜାରରେ ବିକିଥିଲେ। ପରେ ବାଇକ୍‌ରେ କଂଟାବାଞ୍ଜିରୁ ବାହାରି ମହୁଲବାହାଲି ଛକ ଦେଇ ତାଙ୍କ ପିଉସୀଘର ବାଦୀମାଲକୁ ଯାଉଥିଲେ। ମହୁଲବାହାଲି ଛକଠାରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର୍ ମାରିଥିଲା। ଘଟଣାସ୍ଥଳରେ ସୁବାସଙ୍କ ମୃତ୍ୟୁ ଘଟିଥିଲା। ତୁରେକେଲା ପୁଲିସ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିଲା। ସଂପର୍କୀୟଙ୍କ କହିବା ଅନୁସାରେ ଗୋରୁ ବିକ୍ରି ବାବଦ ୪ଲକ୍ଷ ଟଙ୍କା ତାଙ୍କ ପକେଟରେ ରହିଥିଲା। ଏହାକୁ ନେଇ ତୁରେକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ପଚାରିବାରୁ ‘ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆମ ପୁଲିସ କର୍ମଚାରୀ ମଧ୍ୟ ସେଠାରେ ଅଛନ୍ତି। ଏହାର ତଦନ୍ତ ପରେ ସତ ଜଣାପଡ଼ିବ।’ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର