ବୋରୱେଲ୍‌ରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ଛଛାନପାଲି ବାଳନିକେତନକୁ ଗଲା ବିଜୟିନୀ

ମା’କୁ ନେଇ ମୁହଁ ଖୋଲୁନି ପୁଲିସ

ସମ୍ବଲପୁର: ଭିମ୍‌ସାର୍‌ ଝିଅ ବିଜୟିନୀ ଛଛାନପାଲିସ୍ଥିତ ବାଳନିକେତନକୁ ଯାଇଛି। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବା ପରେ ଗୁରୁବାର ଭିମ୍‌ସାର ପକ୍ଷରୁ ବିଜୟିନୀଙ୍କୁ ବୁର୍ଲା ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ପକ୍ଷରୁ ବିଜୟିନୀଙ୍କିୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ରେ ହାଜର କରାଯାଇଥିଲା। ଶିଶୁ ମଙ୍ଗଳ ସମିତି ବିଜୟିନୀକୁ ଛଛାନପାଲିସ୍ଥିତ ବାଳନିକେତନକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲା। ବିଜୟିନୀ ୩ ମାସ ଯାଏ ସେହି ବାଳନିକେତନରେ ରହିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଜନ୍ମ କରିବାର କିଛି ସମୟ‌ ପରେ ବୋରୱେଲକୁ ଫିଙ୍ଗିବା ଭଳି ଜଘନ୍ୟକାଣ୍ଡ ଭିଆଇଥିବା ମହିଳାଙ୍କୁ ଠାବ କରାଯିବା ପରେ ବି ତାଙ୍କ ସଂପର୍କରେ ପୁଲିସ ମୁହଁ ଖୋଲୁନାହିଁ।

ଭିମ୍‌ସାରରେ ଚିକିତ୍ସିତ ହେଉଥିବା ବିଜୟିନୀ ସୁସ୍ଥ ହୋଇ ବାହାରିବା ପରେ ଗୁରୁବାର ଦିନ ଭିମ୍‌ସାର୍‌ ପକ୍ଷରୁ କେକ୍‌ କଟାଯାଇ ମିଠା ବଣ୍ଟା ଯାଇଥିଲା। ଉଦ୍ଧାର ହେବା ଦିନଠାରୁ ବିଜୟିନୀ ଏହି ଡାକ୍ତରଖାନାରେ ରହିଥିବା ବେଳେ ପୂରା ଭିମ୍‌ସାର ତାଙ୍କୁ ଆପଣାର କରିଦେଇଥିଲା। ଡାକ୍ତରଙ୍କ ଠାରୁ ଆରମ୍ଭ କରି ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ବିଜୟିନୀ ସହ ପ୍ରାୟ ସମସ୍ତେ ଜଡ଼ିତ ଥିଲେ। ଏମିତିକି ଭିମସାର୍‌କୁ ନିଜ ନବଜାତକକୁ ଚିକିତ୍ସା ପାଇଁ ଆଣିଥିବା କେତେକ ମହିଳା ବିଜୟିନୀଙ୍କ ପାଇଁ ନିଜ କ୍ଷୀର ଦାନ କରିଥିଲେ। ଗୁରୁବାର ବିଜୟିନୀଙ୍କୁ ବିଦାୟ ଦେବା ବେଳେ ପୂରା ଭିମ୍‌ସାର ଏକ ପ୍ରକାର ଭାବ ବିହ୍ବଳ ହୋଇଯାଇଥିଲା। ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବିମଳକୃଷ୍ଣ ପଣ୍ଡା, ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ଦୋରା, ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ, ଶିଶୁ ବିଭାଗର ମୁଖ୍ୟ ପ୍ରଫେସର ପ୍ରକାଶ ପଣ୍ଡା, ପ୍ରଫେସର ସୁବାସ ମାଝୀ, ଡାକ୍ତର ବୀରେନ୍ଦ୍ର ପ୍ରଧାନ, ଡାକ୍ତର ସୁଜିତ ମେହେର, ଡାକ୍ତର ଶଙ୍କର ରାମଚନ୍ଦାନୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟିନୀଙ୍କ ପାଇଁ ପୋଷାକ ଓ ଅନ୍ୟ ସାମଗ୍ରୀ ଭିମ୍‌ସାରର ଅଧିକାରୀମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଲାରିପାଲି ଜଂଗଲରେ ପରିତ୍ୟକ୍ତ ବୋର୍‌ୱେଲ୍‌ ଭିତରୁ ଡିସେମ୍ବର ୧୨ ତାରିଖ ଦିନ ଏକ ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ଉଦ୍ଧାର ହେବା ପରେ ଶିଶୁକନ୍ୟା ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ରହିଥିଲା। ନୂଆବର୍ଷ ଦିନ ଭିମ୍‌ସାର୍‌ ପକ୍ଷରୁ ଶିଶୁକନ୍ୟାର ଏକୋଇଶା ଓ ନାମକରଣ କରାଯାଇ ବିଜୟିନୀ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସମ୍ବଲପୁର ପୁଲିସ ପକ୍ଷରୁ ବିଜୟିନୀଙ୍କ ମା’ଙ୍କ ପରିଚୟ ମିଳିଥିବା ପ୍ରକାଶ କରାଯାଇଥିଲା। ଶିଶୁକନ୍ୟାକୁ ଜନ୍ମଦେବା ପରେ ତାଙ୍କ ମା’ ବୋର୍‌ୱେଲ୍‌ ଭିତରେ ପକାଇ ଚାଲିଯାଇଥିଲେ ବୋଲି ପୁଲିସ ସମ୍ମୁଖରେ ସ୍ବୀକାର କରିଥିବା କୁହାଯାଇଥିଲା। ତାଙ୍କ ମା’ଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ପୁଲିସ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରୁ ମହିଳା ଜଣକ ଡିସ୍‌ଚାର୍ଜ ହୋଇସାରିଥିବା ବେଳେ ଏବେ ସେ କେଉଁଠି ଅଛନ୍ତି ଜଣାପଡ଼ି ନାହିଁ। ସମ୍ବଲପୁର ପୁଲିସର ବରିଷ୍ଠ ଅଧିକାରୀମାନେ ମହିଳାଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି। କିନ୍ତୁ ମହିଳା ଜଣକ ଏବେ କେଉଁଠାରେ ଅଛନ୍ତି, ସେ ନେଇ ପୁଲିସ ମୁହଁ ଖୋଲୁନାହିଁ।

ସମ୍ବନ୍ଧିତ ଖବର