ବିବାଦରେ ଫସିଲା ‘ଗୁରୁପ୍ରିୟା’ : ୭୪ କୋଟିର ଅନୁକମ୍ପା ଅଭିଯୋଗ ଆଣିଲେ ଏଜି

ଭୁବନେଶ୍ୱର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଯୋଡ଼ୁଥିବା ଗୁରୁପ୍ରିୟା ସେତୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏପଟେ ଏହାର ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ଦୁଇଟି ସରକାରୀ ସଂସ୍ଥା ମୁହାଁମୁହିଁ ହେଲେଣି। ପ୍ରକଳ୍ପ କାର୍ଯ୍ୟରେ ଠିକାଦାରଙ୍କୁ ଅହେତୁକ ଅନୁଗ୍ରହ ପ୍ରଦର୍ଶନ କରାଯାଇଛି ବୋଲି ପ୍ରିନ୍‌ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ତାଙ୍କ ଚିଠା ରିପୋର୍ଟରେ ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ପ୍ରିନ୍‌ସିପାଲ୍‌ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ (ପିଏଜି)ର ପୁରୀ ସ୍ଥିତ ଇକୋନୋମିକ୍‌ ସେକ୍ଟର-୨ ପକ୍ଷରୁ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଏକ ଚିଠି ଲେଖାଯାଇଛି। ପାଖାପାଖି ୭୩ କୋଟି ୯୧ଲକ୍ଷ ଟଙ୍କାର ଅନୁଗ୍ରହ ପ୍ରଦର୍ଶନ କରାଯାଇଥିବା କୁହାଯାଇଛି।

ଏହା ଉପରେ ପୂର୍ତ୍ତ ବିଭାଗ ତନାଘନା ଆରମ୍ଭ କରିଛି। ଅଡିଟ୍‌ ଆପତ୍ତି ଉପରେ ଅଗଷ୍ଟ ୮ ତାରିଖ ମଧ୍ୟରେ ବିଶଦ ତଥ୍ୟ ରଖିବା ଲାଗି ମୁଖ୍ୟଯନ୍ତ୍ରୀଙ୍କୁ ବିଭାଗର ଅନୁଶାସନ ସଚିବ ଗତକାଲି ଚିଠି ଲେଖି ଜଣାଇଛନ୍ତି। ତେବେ ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଡିଟ୍‌ ରିପୋର୍ଟ ଉପରେ ବିଭାଗ ତାର ମତାମତ ପ୍ରିନ୍‌ସିପାଲ୍‌ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟକୁ ଅବଶ୍ୟ ଦେବ। ଏହା ଏକ ଚିଠା ରିପୋର୍ଟ। ପ୍ରକଳ୍ପରେ କିଛି ବି ଅନିୟମିତତା ହୋଇନାହିଁ ବା କାହାକୁ ଅନୁଗ୍ରହ ପ୍ରଦର୍ଶନ କରାଯାଇନାହିଁ। ତେବେ କୌଣସି ପରିସ୍ଥିତିରେ ବି ଏହି ସେତୁକୁ ଅନ୍ୟ ସେତୁ ସହିତ ତୁଳନା କରାଯାଇପାରିବ ନାହିଁ। କାରଣ ଏକ ବିଶେଷ ପରିସ୍ଥିତିରେ ଏହି ସେତୁ ନିର୍ମାଣ ହୋଇଛି। ୬୦ ଫୁଟ ପାଣି, ଉଭୟ ପଟରେ ନକ୍ସଲ ଭୟ, ତା ସହିତ ସ୍ଥାନୀୟ ଅଞ୍ଚଳକୁ ଗମନାଗମନ ସୁବିଧା ନଥିବା କାରଣରୁ ଏହି ପୋଲ ବର୍ଷ ବର୍ଷ ଧରି କେବଳ ସ୍ୱପ୍ନରେ ଥିଲା। ଏକ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସେତୁ ନିର୍ମାଣ ହୋଇଛି ଓ ସମଗ୍ର ଦେଶ ଏହାକୁ ପ୍ରଶଂସା କରିଛି। ଅଡିଟ୍‌ ରିପୋର୍ଟରେ କୁହାଯାଇଛି, ପ୍ରତି ନିର୍ମାଣ କାର୍ଯ୍ୟର କେଉଁଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେବ, ସେ ସଂକ୍ରାନ୍ତରେ ୨୦୦୬ରେ ସରକାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଏହି କ୍ରମରେ ୨୦୧୪ ମସିହା ଫେବ୍ରୁଆରି ମାସରେ ଗୁରୁପ୍ରିୟା ସେତୁ ପାଇଁ ୧୦୪ କୋଟି ୩୮ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପରେ ଇଞ୍ଜିନିୟରିଂ, ପ୍ରୋକ୍ୟୋରମେଣ୍ଟ ଓ କନଷ୍ଟ୍ରକସନ୍‌ ବା ଇପିସି ମୋଡ୍‌ରେ ଏହାର ମୂଲ୍ୟ ୧୧୫ କୋଟି ୮୦ଲକ୍ଷ ଟଙ୍କା ଆକଳନ ହେଲା। ଏଥିରେ ପାଞ୍ଚବର୍ଷ ପାଇଁ ନିର୍ମାଣକାରୀ ସଂସ୍ଥା ତଦାରଖ କରିବା ବ୍ୟବସ୍ଥା ଥିଲା। ମାତ୍ର ସେପ୍‌ଟେମ୍ବର ମାସରେ ଏହି ପ୍ରକଳ୍ପକୁ ୧୭୨ କୋଟି ୫୮ଲକ୍ଷ ଟଙ୍କାରେ ଏଖ ନିର୍ଦିଷ୍ଟ କଂପାନିକୁ ଦିଆଗଲା। ଅଡିଟ୍‌ ଟିମ୍‌ କହିଛି, ୨୦୧୮ ସୁଦ୍ଧା ଠିକାଦାର ୧୬୯ କୋଟି ୪୮ଲକ୍ଷ ଟଙ୍କାର କାମ କରିସାରିଥିବା କୁହାଯାଇଛି। ମାତ୍ର ଅଡିଟ୍‌ ଅନୁଧ୍ୟାନ ବେଳେ ଜଣାଯାଇଛି ଯେ ଓପିଡବ୍ଲୁଡି କୋର୍ଡର ଖୋଲା ଉଲ୍ଲଂଘନ ହୋଇଛି। ଯେମିିତିକି ବୋଟ୍‌ ଓ ତରୀ ଦ୍ୱାରା ନିର୍ମାଣ ସାମଗ୍ରୀ ବା ସରଞ୍ଜାମ ପରିବହନ ବାବଦକୁ ଠିକାଦାରଙ୍କୁ ଅଧିକ ୨୪ କୋଟି ଟଙ୍କା ଦିଆଯାଇଛି। ଯଦିଓ ଆକଳନ ବେଳେ ନିର୍ମାଣ ସାମଗ୍ରୀ ପରିବହନ ଖର୍ଚ୍ଚ ସାମିଲ ରହିଛି, ଏ ଅର୍ଥ କାହିଁକି ଦିଆଗଲା ତାହା ବୁଝାପଡୁନାହିଁ। ସେହିଭଳି ଗାର୍ଡରରେ ଆଉ ୪ କୋଟି ଟଙ୍କା ବିନିଯୋଗ ହୋଇଛି। କଟକର ମହାନଦୀ ଉପରେ ନୂଆପାଟଣାକୁ ସଂଯୋଗ କରାଯାଇଥିବା ପୋଲ ଏବଂ ସମ୍ବଲପୁର ନିକଟସ୍ଥ ମାଣ୍ଡେଲା ଛକ ନିକଟରେ ସାମଗ୍ରୀ ପରିବହନ ପାଇଁ ଅର୍ଥ ବରାଦ ହୋଇନଥିବା ବେଳେ ଏଠାରେ କାହିଁକି ବୋଲି ଅଡିଟ୍‌ ପ୍ରଶ୍ନ କରିଛି।

ପୂର୍ତ୍ତ ବିଭାଗ କହିଲା ଅନ୍ୟ ପ୍ରକଳ୍ପ ସହିତ ତୁଳନୀୟ ନୁହେଁ
ଦୁଇ ସରକାରୀ ସଂସ୍ଥା ମୁହାଁମୁହିଁ

ଅଡିଟ୍‌ ଆହୁରି ଦର୍ଶାଇଛି, ୨୦୧୩ ଜୁଲାଇ ୫ ତାରିଖରେ ପୂର୍ତ୍ତ ବିଭାଗ ଯେଉଁ ସଂକଳ୍ପ ଜାରି କରିଛନ୍ତି ସେଥିରେ ନିର୍ମାଣ ସାମଗ୍ରୀ, ଶ୍ରମିକ, ଓ ମେସିନ ଆଦି ଖର୍ଚ୍ଚ ବାବଦକୁ ୭.୫% ଲାଭାଂଶ ଦେବା କଥା କୁହାଯାଇଛି। ମାତ୍ର ଏ କ୍ଷେତ୍ରରେ ଏହାର ପରିମାଣ ୨୫% ଛୁଇଁଥିବା ଦେଖାଯାଉଛି। ଏହାଦ୍ୱାରା ଠିକାଦାର ଅଧିକ ୧୬ କୋଟି ୮୭ଲକ୍ଷ ଟଙ୍କା ନେଇଛନ୍ତି ବୋଲି ଅଡିଟ୍‌ ଦର୍ଶାଇଛି। ଅଡିଟ୍‌ କହିଛି, ଅଧିକ ଖର୍ଚ୍ଚ ସଂପର୍କରେ ସେମାନେ ମାଲକାନଗିରି ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିଥିଲେ। ସଂପୃକ୍ତ ଯନ୍ତ୍ରୀ ଜୁନ୍‌ ୧୮ ତାରିଖରେ ସଂପୃକ୍ତ ଅଧିକାରୀ କହିଛନ୍ତି, ନିୟମ ଅନୁସାରେ ଠିକାଦାରଙ୍କୁ ଅର୍ଥ ପ୍ରଦାନ କରାଯାଇଛି ଓ କେନ୍ଦ୍ର ସରକାରଙ୍କ ନିୟମାବଳୀକୁ ଏ କ୍ଷେତ୍ରରେ ପାଳନ କରାଯାଇଛି। ମାତ୍ର ଏହା ଗ୍ରହଣଯୋଗ୍ୟ ନୁହେଁ, ବୋଲି ଅଡିଟ୍‌ ଦର୍ଶାଇଛି। ବିଭିନ୍ନ କ୍ଷେତ୍ରରେ ଠିକାଦାରକୁ ପାଖାପାଖି ୭୪ କୋଟି ୧୯ଲକ୍ଷ ଟଙ୍କାର ଅହେତୁକ ଅନୁଗ୍ରହ ଦେଖାଯାଇଥିବା ଅଡିଟ୍‌ ଜଣାଇଛି।

ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ଗୁରୁପ୍ରିୟା ଆମ ପାଇଁ ଚାଲେଞ୍ଜ୍‌ ଥିଲା। ଏହାକୁ ଓଡ଼ିଶା ଅତିକ୍ରମ କରିଛି ଓ ସମଗ୍ର ଭାରତ ବର୍ଷରେ ପ୍ରଶଂସା କରାଯାଉଛି। ଅଡିଟ୍‌ ଯାହା ଆପତ୍ତି କରିଛନ୍ତି, ତାକୁ ପଢିବା ପରେ ଉତ୍ତର ଦିଆଯିବ। ପୂର୍ତ ବିଭାଗର କହିବା କଥା ହେଉଛି, ଏହି ସେତୁ କୌଣସି ନିର୍ଦିଷ୍ଟ ସଂସ୍ଥା ଅନୁକମ୍ପାରେ ଦିଆଯାଇନାହିଁଁ। ବରଂ ବହୁ ସଂସ୍ଥା ବିଡିଂରେ ଭାଗ ନେଇଥିଲେ ଓ ସଂପୃକ୍ତ ଠିକାଦାର ସର୍ବନିମ୍ନ ଦର୍ଶାଇ ନେଇଛନ୍ତି। ଏମିତିରେ ବି ଏହି ପୋଲ ନିର୍ମାଣ ହେବାର ବଡ଼ କାରଣ ଥିଲା, ସେଥିରେ ଥିବା ବୈଷୟିକ ଓ ଭୌଗୋଳିକ ସମସ୍ୟା। ଏଣୁ କୌଣସି ସଂସ୍ଥା ଏଥିରେ ଭାଗ ନେଉନଥିଲେ ଓ ଏଥିରେ ଅର୍ଧ ଶତାଦ୍ଦୀ ବିତିଗଲା। ଏବେ ସରକାର ଠିକାଦାରଙ୍କୁ ଅନୁଗ୍ରହ ଦେଖାଇନାହାନ୍ତି, ବରଂ ଏହି ପୋଲ ନିର୍ମାଣ ପାଇଁ ଯାହା ଆବଶ୍ୟକତା ଥିଲା, ତାକୁ ହିଁ କରାଯାଇଛି।

ସମ୍ବନ୍ଧିତ ଖବର