ହୋଟେଲ୍‌କୁ ଭିତ୍ତିଭୂମି ମାନ୍ୟତା ଦିଆଯାଉ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ଏଚ୍ଏଆଇ

ଭୁବନେଶ୍ବର: ଦେଶରେ ହୋଟେଲ୍ ଶିଳ୍ପକୁ ଭିତ୍ତିଭୂମି ମାନ୍ୟତା ଦେବାକୁ ଦାବି କରିଛି ହୋଟେଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ(ଏଚ୍ଏଆଇ)। ଏହି ସଂଗଠନର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟମାନେ ନୂଆଦିଲ୍ଲୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଷନ୍ ରେଡ୍ଡିଙ୍କୁ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଛନ୍ତି। ଏଚ୍ଏଆଇର ଅବୈତନିକ ସମ୍ପାଦକ ତଥା ସ୍ବସ୍ତି ଗ୍ରୁପ୍ର ସିଏମ୍‌ଡି ଜେ କେ ମହାନ୍ତି ମନ୍ତ୍ରୀଙ୍କୁ ଦେଶର ହୋଟେଲ୍ ଶିଳ୍ପର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ଦ୍ବାଦଶ ପଞ୍ଚବାର୍ଷିକୀ ଯୋଜନା ପାଇଁ ପର୍ଯ୍ୟଟନ ଉପରେ ସଂସଦୀୟ ଗୋଷ୍ଠୀ ଏକ ରିପୋର୍ଟ ଦେଇଥିଲେ। ଏଥିରେ ଦେଶରେ ହୋଟେଲ୍ ରୁମ୍ କମ୍ ଥିବା ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସଂକ୍ରାନ୍ତୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ଦେଶରେ ହୋଟେଲ୍ ରୁମ୍ କ୍ଷମତା ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଗୁରୁତ୍ବ ଦେଇ କାର୍ଯ୍ୟକାରୀ କରିବାର ସମୟ ଆସିଛି।

ଦେଶରେ ହୋଟେଲ୍ ଶିଳ୍ପର ଅଭିବୃଦ୍ଧି ପାଇଁ ପ୍ରସ୍ତାବ ଦେଇ ଶ୍ରୀ ମହାନ୍ତି କହିଥିଲେ ଯେ ଆୟକର ଆଇନ୍ ଧାରା ୮୦୧/ଏ ଅଧୀନରେ ହୋଟେଲ୍କୁ ଭିତ୍ତିଭୂମି ମାନ୍ୟତା ଦିଆଗଲେ ୧୦ ବର୍ଷ ପର୍ଯ୍ୟନ୍ତ ଲାଭର ଶତ ପ୍ରତିଶତ ଆୟକର ଛାଡ଼ ହେବ। ଭିତ୍ତିଭୂମି ମାନ୍ୟତା ପାଇଲେ ଆତିଥେୟତା କ୍ଷେତ୍ର ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ, ଭିତ୍ତିଭୂମି ଋଣ ପରି କିଛି ଆର୍ଥିକ ପ୍ରୋତ୍ସାହନ ପାଇପାରିବ। ଜାତୀୟ ପର୍ଯ୍ୟଟନ ନୀତି ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ଭାରତକୁ ବିଶ୍ବର ଶ୍ରେଷ୍ଠ ସ୍ଥାନ ଭାବେ ପ୍ରସ୍ତୁତ କରାଯିବ। ଆନ୍ତର୍ଜାତିକ ସ୍ତରର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବ। ଭାରତ ପାଇଁ ପର୍ଯ୍ୟଟନ ଏକ ବଡ଼ ସମ୍ଭାବନା ଅଟେ, ଯାହାକୁ ବ୍ୟବହାର କରି ଦେଶର ବିକାଶ, ନିଯୁକ୍ତି, ଅର୍ଥନୀତି ଓ ବୈଦେଶିକ ବିନିମୟକୁ ତ୍ବରାନ୍ବିତ କରାଯାଇପାରିବ। ପର୍ଯ୍ୟଟନ ଦେଶର ଅର୍ଥନୀତିକୁ ଗତିଶୀଳ କରିପାରିବ। ଦକ୍ଷିଣ-ପୂର୍ବ ଏସିଆରେ ଆମର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଆତିଥେୟତା କ୍ଷେତ୍ରରେ ଅଧିକ କ୍ଷମତା ଥିବାରୁ ସେଠାରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହେଉଛି। ଆମ ଦେଶରେ ବର୍ତ୍ତମାନ ଦିଲ୍ଲୀ, ରାଜସ୍ଥାନ, ଗୋଆ, କେରଳ, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ ହିଁ ଅଧିକ ହୋଟେଲ୍ ରୁମ୍ ରହିଛି। ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ଥିଲେ ବି ଯଥେଷ୍ଟ ଗୁଣାତ୍ମକ ହୋଟେଲ୍ ନ ଥିବାରୁ ପର୍ଯ୍ୟଟକଙ୍କ ଆଗମନ କମ୍ ରହୁଛି। ତେଣୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ରାଜ୍ୟଗୁଡ଼ିକ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ।

ସମ୍ବନ୍ଧିତ ଖବର