ରାଞ୍ଚିରେ ଇଡି ଚଢ଼ଉ: ମିଳିଲାଣି ନଗଦ ୩୦ କୋଟି

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଚାକର ଘରେ ଟଙ୍କାର ପାହାଡ଼

ରାଞ୍ଚି: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଚଢ଼ଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବିପୁଳ ଟଙ୍କା ଠାବ କରିଛି। ଦୀର୍ଘ ୧୨ ଘଣ୍ଟା ହେଲା ଗଣା ଚାଲିଛି, ତଥାପି ସରୁନାହିଁ। ଏହି ଟଙ୍କାକୁ ୬ଟି ମେସିନରେ ଗଣାଯାଉଛି।। ଏପରିକି ଟଙ୍କା ଗଣିବା ସମୟରେ ଅନେକ ମେସିନ ଖରାପ ହୋଇଯିବାରୁ ତାହାକୁ ବଦଳାଇ ନୂଆ ମେସିନ ଅଣାଯାଇଛି। ୧୨ ଘଣ୍ଟାରେ ୬ଟି ମେସିନ ୩୦ କୋଟି ଟଙ୍କା ଗଣି ସାରିଲାଣି। ଏହି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଯେଉଁ ବ୍ୟକ୍ତିଙ୍କ ଘରୁ ଉକ୍ତ ଟଙ୍କା ଜବତ ହୋଇଛି ତାଙ୍କ ନାମ ହେଲା ଜାହାଙ୍ଗୀର। ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କର ସେ ହେଉଛନ୍ତି ଘରୋଇ ସହାୟକ।

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଚାକର ଘରେ ଟଙ୍କାର ପାହାଡ଼
୧୨ ଘଣ୍ଟା ହେଲା ଗଣା ଚାଲିଛି, ନିୟୋଜିତ ହୋଇଛି ୬ ମେସିନ

ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ସହ ଜଡ଼ିତ ପ୍ରାୟ ଅଧ ଡଜନ ଠିକଣାରେ ଆଜି ଏହି ଚଢ଼ଉ ହୋଇଛି। ସରକାରୀ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ହୋଇଥିବା ଦୁର୍ନୀତି ମାମଲାରେ ଗତବର୍ଷ ଶ୍ରୀ ରାମ ଗିରଫ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଇଡି ପକ୍ଷରୁ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଇଡିର ଅନ୍ୟ ଟିମ୍ ବାରିଆଟୁ, ମୋରହାବାଡ଼ି ଓ ବୋଡିଆ ଅଞ୍ଚଳରେ ଚଢ଼ଉ ଚଳାଇଛି। ଯନ୍ତ୍ରୀଙ୍କ ସହ ଜଡ଼ିତ ଝାଡ଼ଖଣ୍ଡର ରାଞ୍ଚି, ଜାମସେଦ୍‌ପୁର ଓ ଅନ୍ୟ କେତେକ ସ୍ଥାନ ଏବଂ ବିହାର ଓ ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଚଢ଼ଉ ଜାରି ରହିଛି। ଝାଡ଼ଖଣ୍ଡରେ ନିର୍ବାଚନ ପୂର୍ବରୁ ଇଡି ଉକ୍ତ ବିପୁଳ ପରିମାଣର ଟଙ୍କା ଜବତ ଘଟଣାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାରେ କଂଗ୍ରେସ ମନ୍ତ୍ରୀଙ୍କ ସଂପୃକ୍ତି ବିଷୟ ବିଜେପି ଦର୍ଶାଇଛି। ଝାଡ଼ଖଣ୍ଡ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡି କହିଛନ୍ତି, ଯଦି ଜଣେ ମନ୍ତ୍ରୀଙ୍କ ସଚିବଙ୍କ ଘରୁ ଏତେ ଟଙ୍କା ଜବତ ହେଉଛି ତାହେଲେ ମନ୍ତ୍ରୀଙ୍କ ଘରୁ କେତେ ମିଳିବ। ମନ୍ତ୍ରୀ ଆଲମଗିରି ଆଲମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ ସେ ଝାଡ଼ଖଣ୍ଡ ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନିକଟରେ ଦାବି କରିଛନ୍ତି। ଏହି ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିବାକୁ ଯୋଜନା ଥିଲା ବୋଲି କୁହାଯାଉଛି। ନିର୍ବାଚନ ଆୟୋଗ ଏ ନେଇ ପଦକ୍ଷେପ ନେବା ଦରକାର ବୋଲି ଝାଡ଼ଖଣ୍ଡ ବିଜେପି ମୁଖପାତ୍ର ପ୍ରତୁଲ ସହଦେବ କହିଛନ୍ତି।

୭୦ ବର୍ଷୀୟ ଆଲମଗିର ଆଲମ ଜଣେ କଂଗ୍ରେସ ନେତା ଏବଂ ଝାଡ଼ଖଣ୍ଡ ବିଧାନସଭାରେ ପାକୁର ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଶ୍ରୀ ଆଲମ୍ କହିଛନ୍ତି ଯେ ତଦନ୍ତ ଚାଲିଥିବାରୁ କିଛି ମନ୍ତବ୍ୟ ଦେବା ଠିକ୍ ହେବନାହିଁ। ସେ କହିଛନ୍ତି, ସଞ୍ଜୀବ ଲାଲ ଜଣେ ସରକାରୀ କର୍ମଚାରୀ। ସେ ମୋର ବ୍ୟକ୍ତିଗତ ସଚିବ। ସେ ପୂର୍ବରୁ ଅନ୍ୟ ଦୁଇ ପୂର୍ବତନ ମନ୍ତ୍ରୀଙ୍କର ମଧ୍ୟ ବ୍ୟକ୍ତିଗତ ସଚିବ ଥିଲେ। ଅନେକ ସରକାରୀ କର୍ମଚାରୀ ଅଛନ୍ତି ଏବଂ ଆମେ ସାଧାରଣତଃ ଅଭିଜ୍ଞତା ଆଧାରରେ ବ୍ୟକ୍ତିଗତ ସଚିବ ନିଯୁକ୍ତ କରିଥାଉ। ଇଡି ତଦନ୍ତ ଶେଷ ହେବା ପୂର୍ବରୁ ଚଢ଼ଉ ଉପରେ ମନ୍ତବ୍ୟ ଦେବା ଠିକ୍ ନୁହେଁ। ଏହି ଟଙ୍କା ସହିତ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର