ବ୍ରହ୍ମପୁର ଓ ନବରଙ୍ଗପୁରରେ ‘ବିଜୟ ସଂକଳ୍ପ ସମାବେଶ’ରେ ଗର୍ଜିଲେ ମୋଦୀ: ‘ବିଜେଡି ଯିବ, ଓଡ଼ିଶାରେ ବିଜେପି ସରକାର’

ଓଡ଼ିଶାରେ ବିଜେଡି ଅସ୍ତ ହୋଇସାରିଛି, ଜୁନ୍ ୪ ଏକ୍ସପାରି ଡେଟ୍, ୬ରେ ମୁଖ୍ୟମନ୍ତ୍ରୀ ଚୟନ, ୧୦ରେ ଶପଥ ଗ୍ରହଣ ଉତ୍ସବ

ବ୍ରହ୍ମପୁର/ଗୋଳନ୍ଥରା/ନବରଙ୍ଗପୁର: ‘ବିଜେପି ଯାହା କହେ, ତାହା କରିକି ଦେଖାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରି ଡେଟ୍‌ ଲେଖାଅଛି। ଆଉ ମାସେ ପରେ ଅର୍ଥାତ ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା’। ଓଡ଼ିଶାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଢଙ୍ଗରେ ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସିଧା ସିଧା ଜଣାଇ ଦେଇଛନ୍ତି ଯେ ଏଥର ବିଜେପିର ନଜର କେବଳ ଲୋକସଭା ଆସନ ଉପରେ ନାହିଁ, ବରଂ ମୁଖ୍ୟମନ୍ତ୍ରୀ ଚୌକି ଉପରେ ବି ରହିଛି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଜୟ ଜଗନ୍ନାଥ କାର୍ଡ ଖେଳିବାକୁ ମଧ୍ୟ ଭୁଲିନଥିଲେ।
ଆଜି ପ୍ରଧାନମନ୍ତ୍ରୀ ପ୍ରଥମେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇଥିଲେ। ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ଯେଭଳି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ନରମ ମନୋଭାବ ପ୍ରଦର୍ଶନ କରିଥିଲେ, ଆଜି ସେମିତି ନଥିଲା। ବରଂ ରାଜ୍ୟ ସରକାରଙ୍କ ଉପରେ ସିଧା ଆକ୍ରମଣ କରିଥିଲେ। ବିଜେଡିର ୨୫ ବର୍ଷର ଶାସନ ବିଫଳ ହୋଇଛି ବୋଲି କହି ସମାଲୋଚନା କରିଥିଲେ ମୋଦୀ। ଧନୀ ଓଡ଼ିଶାର ଜନତା ଗରିବ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଗର୍ଜିଥିଲେ ଯେ ଏଠାରେ
ଚାଷ ନାହିଁ କି ରୋଜଗାର ନାହିଁ। ଯୁବକଙ୍କୁ ରୋଜଗାର ପାଇଁ ବାହାର ରାଜ୍ୟ ଯିବାକୁ ପଡ଼ୁଛି। ୨୫ବର୍ଷର ଶାସନର ବାସ୍ତବତା ହେଲା ବିଜେଡି ଲୋକଙ୍କ ସମସ୍ୟାର ସମାଧାନ କରିପାରୁନି। ତେଣୁ କୌଣସି ଅଣଓଡ଼ିଆ ନୁହନ୍ତି, ଜଣେ ଓଡ଼ିଆ ତଥା ବିଜେପିରୁ ହିଁ ଜଣେ ଏଥର ମୁଖ୍ୟମନ୍ତ୍ରୀ ହେବେ ଏବଂ ଲୋକଙ୍କର ବିକାଶ କରିବେ। ଏହା ସହ ବିଜେପି ସରକାର ଆସିଲେ ଓଡ଼ିଶା ପାଇଁ କି କି ଯୋଜନା କାର୍ଯ୍ୟକାରୀ କରିବ, ତାହାର ତାଲିକା ବି ଦେଇଥିଲେ ପ୍ରଧାନମନ୍ତ୍ରୀ।

ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ଆୟୋଜିତ ସମାବେଶରେ ଜୟ ଜଗନ୍ନାଥ ସମ୍ବୋଧନ କରି ମୋଦୀ ପ୍ରଚାର ଆରମ୍ଭ କରିଥିଲେ। ସେ କହିଥିଲେ, ଓଡ଼ିଶାରେ ଏଥର ଦୁଇଟି ଯଜ୍ଞ ଏକା ସାଙ୍ଗରେ ହେଉଛି। ଗୋଟିଏ ଯଜ୍ଞ ଦେଶରେ ସୁଦୃଢ଼ ସରକାର ଗଠନ କରିବା ପାଇଁ ଚାଲିଥିବା ବେଳେ ଦ୍ବିତୀୟଟି ଓଡ଼ିଶାରେ ବିଜେପି ସରକାର ତିଆରି କରିବା ପାଇଁ ହେଉଛି। ପ୍ରଧାନମନ୍ତ୍ରୀ ଓଡ଼ିଆରେ କହିଥିଲେ, ‘ଓଡ଼ିଶାରେ ଏଥର ପ୍ରଥମଥର ପାଇଁ ଡବଲ୍‌ ଇଂଜିନ୍‌ ସରକାର ହେବ। ବିଜେପି ସଂକଳ୍ପ ପତ୍ରରେ ଯୁବକ, ମହିଳା, ବୟସ୍କଙ୍କ ପାଇଁ ଯାହା ପ୍ରତିଶ୍ରୁତି ଦେଇଛି, ତାହା ପୂରଣ କରାଯିବ। ଏହା ହେଉଛି ‘ମୋଦୀ ଗ୍ୟାରେଣ୍ଟି’।’ ମୋଦୀ କହିଥିଲେ, ଓଡ଼ିଶାରେ ବିଜେଡି ଅସ୍ତ ହୋଇ ସାରିଛି ଏବଂ ଲୋକମାନେ ବିଜେପି ଉପରେ ଆସ୍ଥା ରଖିଛନ୍ତି। ଓଡ଼ିଶାରେ ପାଖାପାଖି ୫୦ବର୍ଷ କଂଗ୍ରେସ ଓ ପ୍ରାୟ ୨୫ବର୍ଷ ବିଜେଡି ଶାସନ କରିଛି। ଓଡ଼ିଶାରେ ସମସ୍ତ ପ୍ରକାର ଖଣିଜ ଦ୍ରବ୍ୟ, ଜମି, ପାଣି, ବିସ୍ତୀର୍ଣ୍ଣ ସାମୁଦ୍ରିକ ଉପକୂଳ ରହିଛି। ସେହିପରି ରେଶମ ସହର ବ୍ରହ୍ମପୁର ଏକ ପ୍ରସିଦ୍ଧ ବାଣିଜ୍ୟିକ କେନ୍ଦ୍ର ସହିତ ସଂସ୍କୃତି ଓ ଐତିହ୍ୟ ସବୁ କିଛି ରହିଛି। ସବୁ କିଛି ଥିବା ସତ୍ତ୍ବେ ଧନୀ ଓଡ଼ିଶାର ଜନତା ଗରିବ କାହିଁକି ହେଲେ? ଏଥିପାଇଁ କଂଗ୍ରେସ ଓ ବିଜେଡି ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସବୁଠାରୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି, ଏଥିପାଇଁ ଦାୟୀ କିଏ? ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। ହିଞ୍ଜିଳିରେ ଆବଶ୍ୟକ ଶୀତଳଭଣ୍ଡାର ନାହିଁ, ପାଣିର ସୁବିଧା ନାହିଁ। ଓଡ଼ିଶାରେ ବିକାଶ ପାଇଁ ମୋଦୀ ସରକାର କେବେ ବି ବଜେଟ୍‌ର ଅଭାବ କରିନାହିଁ। କଂଗ୍ରେସ ସରକାର ଅମଳରେ ୧୦ ବର୍ଷରେ ଓଡ଼ିଶାକୁ ୧ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ମୋଦୀ ସରକାର ୧୦ବର୍ଷରେ ଓଡ଼ିଶାକୁ ୩.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। କେନ୍ଦ୍ରର ଯୋଜନାକୁ ବିଜେଡି ସରକାର ଲାଗୁ କରୁନାହିଁ, ନହେଲେ ନିଜର ବୋଲି ପ୍ରଚାର କରୁଛି। କେନ୍ଦ୍ର ସରକାର ଓଡ଼ିଶାକୁ ‘ଜଳ ଜୀବନ ମିସନ’ ପାଇଁ ୧୦ହଜାର କୋଟି ଟଙ୍କା ଦେଇଛନ୍ତି। ହେଲେ ଓଡ଼ିଶା ସରକାର ତା’ର ସଦ୍‌ବିନିଯୋଗ କରିପାରି ନାହିଁ। ଗାଁରେ ରାସ୍ତା ତିଆରି ପାଇଁ ମୋଦୀ ସରକାର ଟଙ୍କା ଦେଇଛି। ମାଗଣା ଚାଉଳ ପାଇଁ ଅର୍ଥ ମଂଜୁର କରୁଛି। କିନ୍ତୁ ବିଜେଡି ସରକାର ତାହା ନିଜର ବୋଲି ପ୍ରଚାର କରୁଛି। ଏପରିକି ଆୟୁଷ୍ମାନ ଯୋଜନାକୁ ମଧ୍ୟ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନାହିଁ।

ଓଡ଼ିଶାରେ ବିଜେଡି ଅସ୍ତ ହୋଇସାରିଛି, ଜୁନ୍ ୪ ଏକ୍ସପାରି ଡେଟ୍
୬ରେ ମୁଖ୍ୟମନ୍ତ୍ରୀ ଚୟନ, ୧୦ରେ ଶପଥ ଗ୍ରହଣ ଉତ୍ସବ
ଅଣଓଡ଼ିଆ ନୁହେଁ, ବିଜେପିରୁ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ
ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶା ୧ ନମ୍ବର ହେବ
ଧନୀ ଓଡ଼ିଶାର ଜନତା ଗରିବ କାହିଁକି ବୋଲି କୈଫିୟତ ମାଗିଲେ

କେନ୍ଦ୍ର ସରକାର ଗର୍ଭବତୀଙ୍କ ପାଇଁ ୬ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛି, କିନ୍ତୁ ଓଡ଼ିଶାରେ ତାହା ଲାଗୁ ହେଉନାହିଁ। ଓଡ଼ିଶାର ମା’ମାନେ ବିଜେଡି ସରକାରକୁ କ୍ଷମା କରିବେ ନାହିଁ। ବିଜେପି ସରକାର ସୁଭଦ୍ରା ଯୋଜନାରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛି। ଓଡ଼ିଶାରେ ୨୫ଲକ୍ଷ ମହିଳାଙ୍କୁ ‘ଲକ୍ଷପତି ଦିଦି’ କରିବା ପାଇଁ ସଂକଳ୍ପ ନେଇଛି। ଓଡ଼ିଆ ଯୁବକଙ୍କ ମଧ୍ୟରେ ପ୍ରତିଭାର ଅଭାବ ନାହିଁ। ସୁରତରେ ପାଦେ ପାଦେ ଓଡ଼ିଆ ରହୁଛନ୍ତି। ସେହି ଯୁବକମାନଙ୍କୁ ସୁଯୋଗ ମିଳିଲେ ଓଡ଼ିଶାକୁ ଦେଶର ୧ନମ୍ବର ରାଜ୍ୟରେ ପରିଣତ କରି ପାରିବେ। ବିଜେପିକୁ ଥରେ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ, ୫ବର୍ଷରେ ଓଡ଼ିଶାକୁ ଦେଶର ଏକ ନମ୍ବର କରି ଦେଖାଇବି, ଏହା ହେଉଛି ମୋଦୀ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାରେ ଡବଲ୍‌ ଇଂଜିନ୍‌ ସରକାର ଗଠନ ହେ‌ଲେ ଦ୍ରୁତଗତିରେ ବିକାଶ ଚାଲିବ। ଆମର ଫୋକସ୍‌ ଓଡ଼ିଶାର କୋଷ୍ଟାଲ୍‌ ଇକୋନୋମି ଉପରେ। କୋଷ୍ଟାଲ୍‌ ସର୍କିଟ୍‌ ଯୋଜନାରେ ବିଚ୍‌ ଟୁରିଜିମ୍‌ ଉପରେ କାମ ଚାଲିଛି। ବିଜେପି ଗଞ୍ଜାମ ଜିଲ୍ଲାକୁ ଦେଶର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ପ୍ରୟାସ କରୁଛି। ଓଡ଼ିଶାକୁ ବିଜେପି ଦେଶର ତିନି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତାଲିକାରେ ରଖିବା ପାଇଁ ଉଦ୍ୟମ ଜାରି ରଖିଛି। ଆଜି ବିଜେପି ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସଂକଳ୍ପ ନେଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ଦୁଇ ସାଂସଦ ଓ ୭ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରିବାକୁ ସେ ଆହ୍ବାନ କରିଥିଲେ। ସମାବେଶରେ ପ୍ରଧାନମନ୍ତ୍ରୀ କିଛି ଲୋକଙ୍କ ଠାରୁ ଉପହାର ଗ୍ରହଣ କରିଥିଲେ। ଯେଉଁମାନେ ଏହା ପ୍ରଦାନ କରିଛନ୍ତି, ସେମାନଙ୍କୁ ଓଡ଼ିଆରେ ଚିଠି ଲେଖିବେ ବୋଲି ମୋଦୀ କହିଥିଲେ। ଆଜିର ସମାବେଶରେ କନିଷି ଅଞ୍ଚଳ ଜନସମୁଦ୍ର ପାଲଟି ଯାଇଥିଲା। ସଭାମଞ୍ଚରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ କେ. ଅନୀଲ କୁମାର, ବିଭୂତି ଭୂଷଣ ଜେନା, ମନୋରଞ୍ଜନ ଦ୍ୟାନସାମନ୍ତରା, କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର, କେ.ନାରାୟଣ ରାଓ, ପ୍ରଶାନ୍ତ ମଲ୍ଲିକ, ଗୋକୁଳାନନ୍ଦ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ସେଠୀ, ଉତ୍ତମ ପାଣିଗ୍ରାହୀ, ସରୋଜ ପାଢ଼ୀ, ପ୍ରତାପ ନାୟକ ଓ ନୀଳମଣି ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ।

ନବରଙ୍ଗପୁର ଚିକିଲି ପଡ଼ିଆରେ ଆୟୋଜିତ ସମାବେଶରେ ଆଦିବାସୀ କାର୍ଡ ଖେଳିଥିଲେ ମୋଦୀ। ୧୦ବର୍ଷରେ ମୋଦୀ ଆଦିବାସୀ କଲ୍ୟାଣ ବଜେଟ୍ ୫ଗୁଣ ବଢ଼ାଇଛନ୍ତି। ୪ଶହ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣକୁ ୧୦ବର୍ଷ ବଢ଼ାଯାଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୭ପ୍ରତିଶତ ଏସ୍‌ସି, ଏସ୍‌ଟି ଓ ଓବିସି ସ୍ଥାନ ପାଇଛନ୍ତି। ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଓଡ଼ିଶା ଦେଇଛି। ନଭେମ୍ବର ୧୫ରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଜନଜାତିଙ୍କ ଅଭିବୃଦ୍ଧି ନିମନ୍ତେ ୨୪ହଜାର କୋଟି ଟଙ୍କା ଦିଆଯାଇଛି। ଶ୍ରୀଜଗନ୍ନାଥ କ୍ଷେତ୍ରକୁ ଭବ୍ୟ ରୂପ ଦିଆଯିବ, ଏଥିପାଇଁ ଆଜି ଗ୍ୟାରେଣ୍ଟି ଦେଉଛି। ଅଧିକରୁ ଅଧିକ ଘରକୁ ଯାଇ ମୋଦୀଙ୍କ ଏହି ଗ୍ୟାରେଣ୍ଟି ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ସନ୍ଦେଶ ଦେଇଥିଲେ। ସେହିଭଳି ପଡ଼ୋଶୀ ଛତିଶଗଡ଼ର ଉଦାହରଣ ଦେଇ ସେମାନେ ଧାନରେ କେତେ ଟଙ୍କା ପାଉଛନ୍ତି, ଓଡ଼ିଶାରେ କେତେ ମିଳୁଛି, ତାର ତୁଳନାତ୍ମକ ଚିତ୍ର ରଖି ଓଡ଼ିଶାରେ ସେବା କରିବାକୁ ସୁଯୋଗ ଦେବା ଲାଗି ନିବେଦନ କରିଥିଲେ। ସମାବେଶରେ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ, କୋରାପୁଟ ଲୋକସଭା ପ୍ରାର୍ଥୀ କାଳୀରାମ ମାଝୀ, କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ଯୋଗ ଦେଇଥିଲେ। ସେହିପରି ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପ୍ରାର୍ଥୀ ଗୌରୀଶଙ୍କର ମାଝୀ, ଝରିଗାଁ ପ୍ରାର୍ଥୀ ନରସିଂହ ଭତ୍ରା, ଡାବୁଗାଁ ପ୍ରାର୍ଥୀ ସୋମନାଥ ପୂଜାରୀ, ଜୟପୁର ପ୍ରାର୍ଥୀ ଗୌତମ ସାମନ୍ତରା‌ୟ, କୋଟପାଡ଼ ପ୍ରାର୍ଥୀ ରୁପୁ ଭତ୍ରା, କୋରାପୁଟ ପ୍ରାର୍ଥୀ ରଘୁରାମ ମାଛ, ପଟାଙ୍ଗି ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି, ଲକ୍ଷ୍ମୀପୁର କୈଳାସ କୁଲେସିକା, ବିଷମକଟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୃକା, ଗୁଣପୁର ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ, ଧର୍ମଗଡ଼ ପ୍ରାର୍ଥୀ ସୁଧୀର ପାଟଯୋଶୀ ଓ ନର୍ଲା ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର