ନବୀନଙ୍କ ପାଲଟା ଆକ୍ରମଣ: ଦିନରେ ସ୍ବପ୍ନ ଦେଖୁଛି ବିଜେପି, ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ନିର୍ବାଚନ ବେଳେ ସେମାନଙ୍କର ଓଡ଼ିଶା କଥା ମନେ ପଡ଼େ, ଜୁନ ୯ରେ ନବୀନଙ୍କ ଶପଥ ଗ୍ରହଣ: ପାଣ୍ଡିଆନ

ଭବାନୀପାଟଣା/ ନୂଆପଡ଼ା/ ଖଡ଼ିଆଳ: ‘ବିରୋଧୀ ମିଛ ପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନଙ୍କର ଓଡ଼ିଶା ପ୍ରତି କିମ୍ବା ଓଡ଼ିଶାବାସୀଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ। ନିର୍ବାଚନ ସମୟରେ ସେମାନଙ୍କର ଓଡ଼ିଶା କଥା ମନେପଡ଼େ।’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ନିର୍ବାଚନୀ ସଭାରେ ବିଜେପିକୁ କଡ଼ା ଜବାବ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ବେଳେ ଏଭଳି ଶବ୍ଦ ପ୍ରୟୋଗ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ସରକାର ଗଠନ କଥାକୁ ହାଲ୍‌କାରେ ଉଡ଼ାଇ ଦେଇଛନ୍ତି ନବୀନ। କହିଛନ୍ତି ଯେ ବିଜେପି ଦିନରେ ସ୍ବପ୍ନ ଦେଖିବା ଆରମ୍ଭ କଲାଣି। ଅନ୍ୟପକ୍ଷରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କିନ୍ତୁ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ମଞ୍ଚରେ ଗର୍ଜିଛନ୍ତି ପାଣ୍ଡିଆନ। କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ଓଡ଼ିଶାରେ ଡବଲ ଇଞ୍ଜିନ ଦରକାର ନାହିଁ, ଯାହା ମଝିରେ ବନ୍ଦ ହୋଇଯିବ। ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ବୋମା ଫୁଟୁଛି, ଗୁଳି ଶବ୍ଦ ଶୁଭୁଛି। ନବୀନ ଓଡ଼ିଶାରେ ଶାନ୍ତି ଅଛି। ସେମାନେ ବିଜେଡି ସରକାରର ଦୁର୍ବଳତା ଖୋଜୁଛନ୍ତି। ହେଲେ ୨୫ ବର୍ଷରେ ମୁଖ୍ୟମନ୍ତ୍ରୀ ବାଛିପାରିଲେ ନାହିଁ। ଯାହାକୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଘୋଷଣା କରିବେ, ୧୦ ପ୍ରତିଶତ ବି ଭୋଟ୍ ମିଳିବ ନାହିଁ। ଓଡ଼ିଶାବାସୀ ନବୀନଙ୍କ ସହିତ ଅଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସବୁଠାରୁ ଉଲ୍ଳେଖନୀୟ ହେଲା ଯେ ବିରୋଧୀଙ୍କ ନାମ ନନେଇ ଶ୍ରୀ ପାଣ୍ଡିଆନ ମଞ୍ଚରେ ଘୋଷଣା କରିଥିଲେ ଯେ ଜୁନ୍ ୯ ତାରିଖ ଦିନ ବିଜେଡି ସରକାର ଗଠନ ହେବ ଏବଂ ସେଦିନ ସକାଳ ୧୧ଟା ୩୦ରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀ ପାଣ୍ଡିଆନଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜମିଛି।

ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ନିର୍ବାଚନ ବେଳେ ସେମାନଙ୍କର ଓଡ଼ିଶା କଥା ମନେ ପଡ଼େ
ଜୁନ ୯ରେ ନବୀନଙ୍କ ଶପଥ ଗ୍ରହଣ: ପାଣ୍ଡିଆନ
ଡବଲ ଇଞ୍ଜିନ ରାଜ୍ୟରେ ଗୁଳି, ବୋମା ଶବ୍ଦ ଶୁଭୁଛି

ଆଜି ଶ୍ରୀ ପଟ୍ଟନାୟକ ନିର୍ବାଚନୀ ସଭାରେ ଯୋଗଦେଇ କହିଥିଲେ, ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା, ମିସନ ଶକ୍ତି , ମମତା ଯୋଜନା, ଲକ୍ଷ୍ମୀ ବସ୍‌ ଯୋଜନା, ନୂଆ- ଓ, ୫ଟି’ ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ସମେତ ବିଭିନ୍ନ ଯୋଜନା ଦ୍ୱାରା ଲୋକେ ଉପକୃତ ହେଉଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାଗୁଡ଼ିକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚଳାଇଛି। ବିଜେପି ତା’ର ନିର୍ବାଚନ ଇସ୍ତାହାରରେ କହିଛି ଯେ ସରକାର ଆସିଲେ ଜୁନ୍‌ ୧୦ ପରେ ସମସ୍ତ ଯୋଜନାକୁ ବନ୍ଦ କରିଦେବ। ତେଣୁ ଉଭୟ ବିଧାୟକ ଓ ସାଂସଦ ନିମନ୍ତେ ଯୋଡ଼ି ଶଙ୍ଖକୁ ଆପଣମାନେ ଆଶୀର୍ବାଦ କରନ୍ତୁ। ଏହାଦ୍ବାରା ବିରୋଧୀମାନେ ଏହି ଯୋଜନା ଗୁଡ଼ିକୁ ବନ୍ଦ କରିବାକୁ ସାହସ କରି ପାରିବେ ନାହିଁ। ସେହିଭଳି ବିଜେଡି ନେତା ଭି. କେ. ପାଣ୍ଡିଆନ କହିଲେ ଯେ ବିଜେପି ବାରମ୍ବାର ଡବଲ ଇଞ୍ଜିନ ସରକାର କଥା କହୁଛି। କିନ୍ତୁ ଏହା କାମ ଦେବନାହିଁ। ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି ସେହି ସବୁ ରାଜ୍ୟ ୨୦ ବର୍ଷ ପଛକୁ ଚାଲିଯାଇଛି। ଆୟୁଷ୍ମାନ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେବଳ ବିପିଏଲ୍‌ ପରିବାରକୁ ମିଳିଥାଏ, କିନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସବୁ ପରିବାରକୁ ସେବା ମିଳିଥାଏ। ଆୟୁଷ୍ମାନ ଯୋଜନା କମ୍ପାନିମାନଙ୍କ ଦୟା ଉପରେ ନିର୍ଭର କରିଥାଏ। ଆପଣମାନଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଆସନ୍ତା ଜୁନ୍‌ ୯ ତାରିଖରେ ଶପଥ ଗ୍ରହଣ କରି ଇତିହାସ ରଚିବେ। ତେଣୁ ଏବେ କେବଳ ନବୀନ ଇଞ୍ଜିନ ଓଡ଼ିଶାରେ ଚାଲିବ। ଓଡ଼ିଶାରେ ନବୀନ ବାବୁଙ୍କ ଗ୍ୟାରେଣ୍ଟି କେବେ ଫେଲ୍‌ ମାରିନାହିଁ। ବିଜେପି ଇସ୍ତାହାରରେ ଯୁବ ଗୋଷ୍ଠୀଙ୍କ ପାଇଁ କୌଣସି ସୁଯୋଗ ନାହିଁ। କିନ୍ତୁ ଆମ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ୯୫% ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି। ଏ ସବୁ କେବଳ ନବୀନ ଇଞ୍ଜିନ ହିଁ କରିପାରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଓଡ଼ିଶାରେ ୨୪ ବର୍ଷ ହେଲାଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି। ବିଜେପି ନେତାମାନଙ୍କୁ ପଚାରନ୍ତୁ ସେମାନେ ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିଛନ୍ତି କି? ସେମାନଙ୍କ ସବୁ କଥା ଛଳନାରେ ଭରପୂର ବୋଲି ସେ କହିଥିଲେ।

ଭବାନୀପାଟଣାରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଉଦ୍‌ବୋଧନ ଦେଇଥିବା ବେଳେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଧାନସଭା ପ୍ରାର୍ଥୀ ଲଳିତା ନାଏକ (ଭାବନୀପାଟଣା), ପ୍ରଦୀପ ଦିଶାରୀ (ଲାଞ୍ଜିଗଡ଼), ମନୋରମା ମହାନ୍ତି (ନର୍ଲା), ଦିବ୍ୟ ଶଙ୍କର ମିଶ୍ର (ଜୁନାଗଡ଼) ଓ ପୁଷ୍ପେନ୍ଦ୍ର ସିଂହଦେଓ (ଧର୍ମଗଡ଼) ଉଦ୍‌ବୋଧନ ଦେଇଥିଲେ। ପୁପିନ୍ଦର ସିଂ ମଞ୍ଚ ପରିଚାଳନା କରିଥିଲେ। ଏହି ସଭା ପରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର ନିମନ୍ତେ ଖଡ଼ିଆଳ ଯାଇଥିଲେ। ଖଡ଼ିଆଳରେ ଆୟୋଜିତ ନିର୍ବାଚନୀ ସଭାରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ନିଆଲ, ବିଧାନସଭା ପ୍ରାର୍ଥୀ ଅଧୀରାଜ ପାଣିଗ୍ରାହୀ (ଖଡ଼ିଆଳ), ରାଜେନ୍ଦ୍ର ଢୋଲକିଆ (ନୂଆପଡ଼ା) ଏବଂ ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ ଓ ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର