ପୁରୀ ସମୁଦ୍ରକୂଳରେ ସିଆରଜେଡ୍‌ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ : ୧୪୪ ଧାରା ସତ୍ତ୍ବେ ଚାଲିଛି ନିର୍ମାଣ, କାର୍ଯ୍ୟାନୁଷ୍ଠାନ ପାଇଁ ଡରୁଛନ୍ତି ଅଫିସର

ପୁରୀ : ପୁରୀ ସମୁଦ୍ରକୂଳ ସିଆରଜେଡ୍‌ ଅଞ୍ଚଳରେ ୩୪ଟି ବେଆଇନ କୋଠା ନିର୍ମାଣ ଚାଲିଛି। ଏ ସଂପର୍କରେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସଦସ୍ୟ ସଚିବ ରାଜ୍ୟ ଉପକୂଳ ଅଞ୍ଚଳ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ସଦସ୍ୟ ସଚିବ ତଥା ପରିବେଶ ନିର୍ଦ୍ଦେଶକଙ୍କୁ ଜଣାଇଛନ୍ତି। ତାହାର ନକଲ ଜିଲ୍ଳାପାଳ ଏବଂ ଉପଜିଲ୍ଲାପାଳଙ୍କୁ ମଧ୍ୟ ଦିଆଯାଇଛି। ସମସ୍ତଙ୍କ ପାଖରେ ରହିଛି ବେଆଇନ ନିର୍ମାଣର ତାଲିକା। ହେଲେ ତାଲିକା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରୀ ପଦାଧିକାରୀ ଡରୁଛନ୍ତି। ଏମିତିକି ପରିବେଶ ନିର୍ଦ୍ଦେଶକ ବି। ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ଆଇନକୁ ଠକିବାରେ ଲାଗିଛନ୍ତି।

ପୁରୀ ସମୁଦ୍ରକୂଳରେ ସିଆରଜେଡ୍‌ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରି ଏକାଧିକ କୋଠା ନିର୍ମାଣ ହେଉଥିବା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ବେଆଇନ ନିର୍ମାଣର ତାଲିକା କରିଥିଲେ। କିଏ କେଉଁ ପ୍ରକାର ଆଇନ୍ ଉଲ୍ଲଙ୍ଘନ କରୁଛି ତାହା ଦର୍ଶାଇଥିଲେ। ସେହି ତାଲିକାକୁ ପିକେଡିଏ ପରିବେଶ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ସହ ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ବି ଦେଇଥିଲେ। ସେଥିରେ ସିପସରୁବାଲି ମୌଜାର ସମୁଦ୍ରକୂଳରେ ଥିବା ପ୍ଲଟ୍‌ ନଂ ୩୬୦/୪୨୮ରେ ଚାଲିଥିବା ବେଆଇନ ନିର୍ମାଣ ଉପରେ ୧୪୪ ଧାରା ଜାରି କରିଥିଲେ ଉପଜିଲ୍ଳାପାଳ। ମାତ୍ର ୧୪୪ ଧାରା ସତ୍ତ୍ବେ ସେଠାରେ ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ। କେବଳ ସେତିକି ନୁହେଁ, ସବୁଠି ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ସେଗୁଡ଼ିକୁ ରୋକିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ। ପରିବେଶ ନିର୍ଦ୍ଦେଶକ ତଥା ରାଜ୍ୟ ଉପକୂଳ ଅଞ୍ଚଳ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିକଟରେ ଏ ସଂପର୍କିତ ଏକ ଅଭିଯୋଗ ପଡ଼ିବା ପରେ ସେ ପୁନର୍ବାର ଅନୁଧ୍ୟାନ କରିବାକୁ ଚିଠି ଦେଇ ବେଆଇନ ନିର୍ମାଣକାରୀଙ୍କ ସହ ମୂଲଚାଲ କରିବାକୁ ବାଟ ଖୋଲି ଦେଇଛନ୍ତି। ସିଆର୍‌ଜେଡ୍‌ ବିଜ୍ଞପ୍ତି ଅନୁଯାୟୀ, କୌଣସି ବେଆଇନ୍‌ ନିର୍ମାଣକୁ ରୋକିବା ଲାଗି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସିଧାସଳଖ ନିର୍ଦ୍ଦେଶ ଦେବେ। ନିର୍ମାଣକାରୀଙ୍କ ବିରୋଧରେ ପରିବେଶ ସୁରକ୍ଷା ଆଇନ୍‌ରେ ମାମଲା ରୁଜୁ କରିବେ। ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ହେବା ପରେ ଉଲ୍ଲଙ୍ଘନକାରୀଙ୍କୁ ଗିରଫ କରାଯିବାର ବାଟ ଖୋଲିଯିବ। ମାତ୍ର ପ୍ରଶାସନ ତାହା କରୁନାହିଁ। ଏହି କାର୍ଯ୍ୟ କାହିଁକି ପ୍ରଶାସନ କରିନାହିଁ, ସେ ନେଇ ପରିବେଶ ନିର୍ଦ୍ଦେଶକ ବା ଓସିଜେଡ୍‌ଏମଏର ସଦସ୍ୟ ସଚିବ କେବେ ମଧ୍ୟ ପ୍ରଶ୍ନ କରିନାହାନ୍ତି।

ସମ୍ବନ୍ଧିତ ଖବର