ଶୀତଳଭଣ୍ଡାରରେ ଶିଳ୍ପ କରିଡର ବାଇପାସ୍‌ : ଜମି ଅଧିଗ୍ରହଣକୁ ବିତିଲା ସାଢ଼େ ୪ ବର୍ଷ, ଟ୍ରାଫିକ୍‌ ସମସ୍ୟାରେ ଫସିଛନ୍ତି ଅନୁଗୁଳବାସୀ

ଅନୁଗୁଳ : ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପାଂଚଳ ଭାବେ ଜଣାଶୁଣା ଅନୁଗୁଳରେ ଶିଳ୍ପ କରିଡର ବାଇପାସ୍‌ ନିର୍ମାଣ ପ୍ରକଳ୍ପ ଶୀତଳଭଣ୍ଡାରକୁ ଠେଲି ହୋଇଯାଇଛି। ପ୍ରଶାସନର ଅବହେଳା ଯୋଗୁଁ ଜମି ଅଧିଗ୍ରହଣର ସାଢ଼େ ୪ ବର୍ଷ ପରେ ବି ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରି ନାହିଁ।

ପ୍ରାକୃତିକ ସଂପଦରେ ଭରପୂର ଅନୁଗୁଳ ଜିଲ୍ଲାରେ ରହିଛି ଅନେକ ଖଣିଖାଦାନ। ଗଢ଼ି ଉଠିଛି ଅନେକ ଶିଳ୍ପାନୁଷ୍ଠାନ। ଅନୁଗୁଳ ସହର ଦେଇ ୫୫ ନମ୍ବର ଜାତୀୟ ରାଜପଥ ଯାଇଛି। ଏଥିଯୋଗୁଁ ଅଧିକାଂଶ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ବାରଂବାର ଦୁର୍ଘଟଣା ଘଟି ଜୀବନହାନି ହେଉଛି। ସେହିପରି ଛେଣ୍ଡିପଦା ପଟୁ ଆସୁଥିବା ମାଲବେ‌ାଝେଇ ଭାରୀଯାନଗୁଡ଼ିକ ଅନୁଗୁଳ ସହର ଭିତର ଗାନ୍ଧୀ ମାର୍ଗ ଦେଇ ଯାଇଥିବା ଜାତୀୟ ରାଜପଥରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି। ପ୍ରତିଦିନ ଗାନ୍ଧୀ ମାର୍ଗ ରାସ୍ତାରେ ଶତାଧିକ ଭାରୀଯାନ ଯାତାୟାତ କରୁଛି। ଗାନ୍ଧୀ ମାର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର ସମେତ ଅନେକ ଶିକ୍ଷାନୁଷ୍ଠାନ ରହିଛି। ଘନ ଜନବସତି ଅଂଚଳ‌ ଦେଇ ଯାଇଥିବା ଗାନ୍ଧୀ ମାର୍ଗର ଉଭୟ ପାର୍ଶ୍ବରେ ବ୍ୟବସାୟିକ ପ୍ରତିଷ୍ଠାନ ବି ରହିଛି। ଏସବୁକୁ ଦୃଷ୍ଟିରେ ରଖି ଶିଳ୍ପ କରିଡର ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଏକ ପ୍ରକଳ୍ପ ହାତକୁ ନିଆଯାଇଥିଲା।

ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ଥିବା ଅନୁଗୁଳ ଆର୍‌ଟିଓ କାର୍ଯ୍ୟାଳୟ ନିକଟରୁ ଅନୁଗୁଳ-ଛେଣ୍ଡିପଦା ରାସ୍ତାକୁ ମଝିକା ଗାଁ ନିକଟରେ ଏହି ବାଇପାସ୍‌ ରାସ୍ତା ସଂଯୋଗ କରିବାର ଯୋଜନା ରହିଛି। ବାଇପାସ୍‌ ନିର୍ମାଣ ପାଇଁ ୪(୧) ବିଜ୍ଞପ୍ତି ପ୍ରକାଶନ ପରେ ୨୦୧୫ ସେପ୍ଟେମ୍ବର ସୁଦ୍ଧା ଜରାସିଂହା, କୁଶାସିଂହା, କରଡ଼ାଗାଡ଼ିଆ, ପରତରା ଆଦି ଗାଁର ପ୍ରାୟତଃ ଲୋକ ଜମି ଅଧିଗ୍ରହଣ ବାବଦକୁ ନିଜ ପ୍ରାପ୍ୟ ପାଇ ସାରିଛନ୍ତି। ତେବେ ମଝିକା ଗାଁର ଜମି ଅଧିଗ୍ରହଣ ହୋଇପାରି ନାହିଁ। ପ୍ରଶାସନର ଅବହେଳା ଯୋଗୁଁ ଠିକ୍‌ ସମୟରେ ୬(୧)ବିଜ୍ଞପ୍ତି ଜାରି ହୋଇପାରିଲା ନାହିଁ। ଫଳତଃ ଏହି ପ୍ରକଳ୍ପ ଶୀତଳଭଣ୍ଡାରକୁ ଠେଲି ହୋଇଯାଇଛି। ପ୍ରକଳ୍ପ ଅଗ୍ରଗତି ହୋଇପାରୁ ନାହିଁ। ଅପରପକ୍ଷରେ ଏହି ପ୍ରକଳ୍ପର ବହୁ ପରେ ନିଷ୍ପତ୍ତି ହୋଇଥିବା ଉକ୍ତ ଜାତୀୟ ରାଜପଥର ରନ୍ତଲେଇ-ବଅଁରପାଳ ବାଇପାସ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରନ୍ତଲେଇ-ବଅଁରପାଳ ବାଇପାସ୍‌ ସହିତ ଶିଳ୍ପ କରିଡର ବାଇପାସ୍‌ ରାସ୍ତା ନିର୍ମାଣ ହେଲେ ଅନୁଗୁଳ ସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହିତ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରନ୍ତା। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିବାର୍ହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ, ଜମି ଅଧିଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ। ଆଉ ଗୋଟିଏ ଗାଁ ମଝିକା‌ରେ ଜମି ଅଧିଗ୍ରହଣ ବାକି ରହିଛି। ପୂର୍ତ୍ତ ବିଭାଗକୁ ଜମି ହସ୍ତାନ୍ତର ହେଲେ ତୁରନ୍ତ ଡିପିଆର୍‌ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର