ଏମ୍‌କେସିଜି ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଡାକ୍ତରଙ୍କୁ ଓରିଜିନାଲ ସାର୍ଟିଫିକେଟ୍‌ ଫେରାଅ

କଟକ: ସ୍ନାତକୋତ୍ତର (ପିଜି) ପାସ୍ କରିଥିବା ଡାକ୍ତରଙ୍କ ଓରିଜିନାଲ ସାର୍ଟିଫିକେଟ୍‌ ଅଟକାଇ ରଖିବା ପାଇଁ ବିଶ୍ବବିଦ୍ୟାଳୟ ଓ ‌ସରକାରୀ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଆଇନଗତ କ୍ଷମତା ନାହିଁ। ଓରିଜିନାଲ ସାର୍ଟିଫିକେଟ୍‌ ଜଣେ ବ୍ୟକ୍ତିଙ୍କ ମୂଲ୍ୟବାନ ସଂପତ୍ତି। ଦୁଇ ସପ୍ତାହ ଭିତରେ ଆବେଦନକାରୀ ଡାକ୍ତରଙ୍କ ଓରିଜିନାଲ ସାର୍ଟିଫିକେଟ୍‌ ଫେରାଇବାକୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍‌ ତଥା ଅଧ୍ୟକ୍ଷ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପିଜି ପାସ୍ କରିଥିବା ଡାକ୍ତରଙ୍କ ଓରିଜିନାଲ ସାର୍ଟିଫିକେଟ୍‌ ରଖିବା ପରିବର୍ତ୍ତେ କର୍ତ୍ତୃପକ୍ଷ ସେମାନଙ୍କ ନିକଟରୁ ଲିଖିତ ପ୍ରତିଶ୍ରୁତି (ଅଣ୍ଡରଟେକିଂ) ନେଇପାରିବେ। ପିଜି ପାଠ୍ୟକ୍ରମ ଶେଷ କରିବା ପରେ ଡାକ୍ତରଜଣକ ସଂପୃକ୍ତ ଅନୁଷ୍ଠାନରେ ଦୁଇବର୍ଷର କାର୍ଯ୍ୟ ଅବଧି (ବଣ୍ଡ୍ ପିରିୟଡ) ସଂପୂର୍ଣ୍ଣ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେଇପାରିବେ। ସାର୍ଟିଫିକେଟ୍‌ ହସ୍ତାନ୍ତର ପୂର୍ବରୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ୨୦୧୭, ଫେବ୍ରୁଆରି ୩ର ବିଜ୍ଞପ୍ତି ଅନୁସାରେ ଆବେଦନକାରୀଙ୍କୁ ଏ ସଂପର୍କିତ ଘୋଷଣାନାମା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ନିକଟରେ କରାଯାଇଥିବା ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ କହିପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହ ଆବେଦନକାରୀ ଏହି ନିର୍ଦ୍ଦେଶର ସାର୍ଟିଫାଏଡ୍‌ କପି ଏମକେସିଜି ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଦାଖଲ କରିବେ। ଏହାପରେ ଏହି ନିର୍ଦ୍ଦେଶ ଦୁଇ ସପ୍ତାହ ଭିତରେ କାର୍ଯ୍ୟକାରୀ ପାଇଁ ଏମ୍‌କେସିଜି ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ପ୍ରଭୁ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ୧୨୬ଜଣ ଡାକ୍ତରଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆବେଦନକାରୀ ନାମ ଲେଖାଇବା ବେଳେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ଓରିଜିନାଲ ସାର୍ଟିଫିକେଟ୍‌ ଓ ଅନ୍ୟାନ୍ୟ ନଥିପତ୍ର ଯାଞ୍ଚ ପାଇଁ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ସାର୍ଟିଫିକେଟ୍‌ ଆଉ ଆବେଦନକାରୀଙ୍କୁ ଫେରସ୍ତ ଦିଆଯାଇ ନଥିଲା। ଏହାପରେ ଆବେଦନକାରୀମାନେ ବିଭିନ୍ନ ବିଭାଗରରେ ସଫଳତାର ସହିତ ପିଜି ପାସ୍ କରିଥିଲେ। ପିଜି ପାସ୍ ସାର୍ଟିଫିକେଟ୍‌ ମଧ୍ୟ ଆବେଦନକାରୀଙ୍କୁ ପ୍ରଦାନ କରାଯାଇ ନଥିଲା।

ସମ୍ବନ୍ଧିତ ଖବର