କମ୍ପ୍ୟୁଟରୀକରଣରେ ବାଧକ ସାଜିଛି ଇଣ୍ଟରନେଟ୍ ନେଟ୍ୱର୍କ: ୪୫୮ ସମବାୟ ସମିତିରେ ନାହିଁ ସୁବିଧା
ଋଣ କାରବାର ପାଇଁ ହେବ ସମସ୍ୟା, ଶୃଙ୍ଖଳିତ ଧାନ ସଂଗ୍ରହ ନେଇ ପ୍ରଶ୍ନବାଚୀ
ଭୁବନେଶ୍ବର: ସମବାୟ ସମିତିର କମ୍ପ୍ୟୁଟରୀକରଣରେ ବାଧକ ସାଜିଛି ଇଣ୍ଟରନେଟ୍ ନେଟ୍ୱର୍କ। ରାଜ୍ୟର ୪୫୮ ସମବାୟ ସମିତିରେ ହୋଇ ପାରିନି କମ୍ପ୍ୟୁଟରୀକରଣ। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବା ନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୪୨ ସମବାୟ ସମିତିରେ କମ୍ପ୍ୟୁଟରୀକରଣ କାର୍ଯ୍ୟ ଶେଷ ହୋଇଛି। ଖରିଫ ଏବଂ ରବି ଧାନ ସଂଗ୍ରହ ପ୍ରାପ୍ୟ ପ୍ରଦାନ ସହିତ ସର୍ବାଧିକ ଋଣ କାରବାରକୁ ସମିତିର କମ୍ପ୍ୟୁଟର ମାଧ୍ୟମରେ ପରିଚାଳନା କରାଯାଉଛି। ମାତ୍ର ଏହି ସର୍ଭର କେତେ ଠିକ ଭାବେ କାର୍ଯ୍ୟ କରିବ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ଅପରପକ୍ଷରେ କମ୍ପ୍ୟୁଟର ସମବାୟ ବ୍ୟାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମବାୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ସମୁଦାୟ ୨୭୧୦ଟି ସମବାୟ ସମିତିରୁ ୨୬୦୦ଟି ଜରିଆରେ କୃଷି ଋଣ, ସାର, ବିହନ କାରବାର ଏବଂ ଧାନ ସଂଗ୍ରହ କାର୍ଯ୍ୟ କରାଯାଉଛି। କମ୍ପ୍ୟୁଟରୀକରଣ ହୋଇଥିବା ୨୧୪୨ ମଧ୍ୟରୁ କେବଳ ୮୦୦ ସ୍ଥାନରେ ସ୍ବତନ୍ତ୍ର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହୋଇଛନ୍ତି। ବାକି ସ୍ଥାନରେ ସମିତିର ଡାଟା ଏଣ୍ଟ୍ରି ଅପରେଟର ଅତିରିକ୍ତ ଭାବରେ ଏହି କାର୍ଯ୍ୟ ସମ୍ଭାଳିବେ। ସୂଚନା ଅନୁଯାୟୀ, ଚାଷ ଏବଂ ଚାଷୀଙ୍କ ସୁବିଧା ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ ସମବାୟ ସମିତି ସୁବିଧା ସହିତ କମ୍ପ୍ୟୁଟରୀକରଣ ଭଳି ଅନ୍ୟାନ୍ୟ ସୁବିଧା ରହିଲେ କେନ୍ଦ୍ର ପକ୍ଷରୁ ଅନୁଦାନ ପ୍ରଦାନର ଘୋଷଣା ହୋଇଛି। ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଏହି ସଫଳତା ହାସଲ କରିଥିବା ନେଇ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ନେଟ୍ୱର୍କ ସହିତ ବିଭିନ୍ନ ପ୍ରକାର ଭିତ୍ତିଭୂମି ସମସ୍ୟା ଯୋଗୁଁ ପ୍ରତି ପଞ୍ଚାୟତରେ ସମିତି ଗଠନ ରାଜ୍ୟ ସରକାରଙ୍କ ପାଇଁ ସହଜ ହେଉନାହିଁ। ତେଣୁ ଦୁଇଟି ପଞ୍ଚାୟତରେ ଗୋଟିଏ ସମିତି ପାଇଁ ସମବାୟ ବିଭାଗ କାର୍ଯ୍ୟ ଆରମ୍ଭ କରିଛି।
ବର୍ତ୍ତମାନର ମୁଖ୍ୟ ଚ୍ୟାଲେଞ୍ଜ ହେଉଛି, ରାଜ୍ୟର ୬୦୯୯ ଗାଁରେ ମୋବାଇଲ ନେଟୱର୍କ ନାହିଁ କିମ୍ବା ଏହା ଅତି ଦୁର୍ବଳ ସ୍ଥିତିରେ ରହିଛି। ତେଣୁ ଏହାର ସମାଧାନ ପାଇଁ ନେଟୱର୍କ ନଥିବା ସମିତିକୁ ସମବାୟ ବ୍ୟାଙ୍କ ବିକଳ୍ପ ବ୍ୟବସ୍ଥା ଦେଇଛି। ଅନ୍ୟଦିଗରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯାଏ। ସମବାୟ ବ୍ୟାଙ୍କର ସର୍ଭର ଜରିଆରେ ସମସ୍ତ ସମିତି ଏଥିରେ ଯୋଡ଼ି ହୋଇଛନ୍ତି। ଏତେ ସଂଖ୍ୟକ ଚାଷୀଙ୍କୁ ଋଣ ପ୍ରଦାନର କ୍ଷମତା ସର୍ଭର ପାଖରେ କେମିତି ରହିବ ତାହା ଗୁରୁତ୍ବପୂର୍ଣ୍ଣ। ଆହୁରି ମଧ୍ୟ ଆଜି ଠାରୁ ବରଗଡ଼, ଆସନ୍ତାକାଲି ଠାରୁ ସମ୍ବଲପୁର ଏବଂ ପରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଯିବ। କମ୍ପ୍ୟୁଟରୀକରଣ ପରେ ସମିତି ଜରିଆରେ ଚାଷୀ ଗୋଟିଏ ସ୍ଥାନରୁ ଋଣ ଏବଂ ଧାନ ବିକ୍ରି ପ୍ରାପ୍ୟ ପାଇପାରିବେ। ରାଜ୍ୟରେ ଖରିଫରେ ୫୭ ଲକ୍ଷରୁ ଊର୍ଧ୍ବ ଧାନ ସଂଗ୍ରହ କରାଯାଏ। ପ୍ରତିବର୍ଷ ଏହା ବଢ଼ିଚାଲେ। ଚାଷୀମାନେ କେବଳ ସମିତି ସହିତ ଅନ୍ୟ ବ୍ୟାଙ୍କ ମାନଙ୍କରୁ ମଧ୍ୟ ପ୍ରାପ୍ୟ ଉଠାନ୍ତି। ବର୍ତ୍ତମାନ ଗୋଟିଏ ସ୍ଥାନରୁ ଏତେ କୋଟି ଟଙ୍କା ପ୍ରାପ୍ୟ ଏବଂ ଏଟିଏମ ଜରିଆରେ ଉଠାଣ ସୁବିଧା କେଭଁ ଭଳି ଚାଷୀଙ୍କୁ ଦିଆଯାଇ ପାରିବ ତାହା ମଧ୍ୟ ସରକାରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ।
ପେକ୍ସ ସଂଘ ସଭାପତି ଦିଗାମ୍ବର ନାଏକ କହିଛନ୍ତି, କମ୍ପ୍ୟୁଟରୀକରଣକୁ ପେକ୍ସ ସଂଘ ସ୍ବାଗତ କରେ। ହେଲେ ୨୧୪୨ ନୁହେଁ ବରଂ ୧୫୦୦ ସମିତିକୁ କମ୍ପ୍ୟୁଟରୀକରଣ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହେଉ ନାହାନ୍ତି। ସରକାର ସମବାୟ ସମିତିକୁ କୌଣସି ସ୍ବତନ୍ତ୍ର ଅନୁଦାନ ଦିଅନ୍ତି ନାହିଁ। ତେଣୁ କମ୍ପ୍ୟୁଟରୀକରଣର ଏହି କାର୍ଯ୍ୟ ସମ୍ଭାଳିବା ମଧ୍ୟ ସମିତି ପାଇଁ ଚ୍ୟାଲେଞ୍ଜ ଅଟେ। ସମବାୟ ବିଭାଗ ଡେପୁଟି ରେଜିଷ୍ଟ୍ରାର କହିଛନ୍ତି, ସମବାୟ ସମିତି କମ୍ପ୍ୟୁଟରୀକରଣ ନେଇ ସରକାର କୌଣସି ଭୁଲ ତଥ୍ୟ ଦେଇ ନାହାନ୍ତି।