ଝାଡ଼ଖଣ୍ଡୀ ହାତୀ ଉପଦ୍ରବ: କୂଅରେ ଖସିପଡ଼ିଲା ଦନ୍ତା

ଜଳେଶ୍ବର/ବସ୍ତା-୨: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦ ବ୍ଲକ୍‌ର କୂଅରେ ଏକ ହାତୀ ଖସିପଡ଼ିଥିଲା। ଜେସିବି ସାହାଯ୍ୟରେ ବନ ବିଭାଗ ୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଦନ୍ତାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରୁ ୭୦ଟି ହାତୀ ଆସି ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌କୁ ପ୍ରବେଶ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ପଲ ମଧ୍ୟରୁ ୫୩ଟି ହାତୀ ବେତନାସିଆ, କାନ୍ଥି, ଚିଞ୍ଚଲଗଡିଆ, କଲରାପାଲ ଗ୍ରାମଦେଇ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ବ୍ରାହ୍ମଣଦା ଓ ସଦାନନ୍ଦପୁର ଗାଁ ଚାଷଜମିରେ ପଶିଥିଲେ।

ଗ୍ରାମର ୩ଟି ଉଠା ଜଳସେଚନ ପ୍ରକଳ୍ପକୁ ଭାଙ୍ଗିଦେଇଥିଲେ। ଏଥିସହିତ ଉଭୟ ଗ୍ରାମର ପ୍ରାୟ ୨୦ ଏକରରୁ ଊର୍ଦ୍ଧ୍ବ ଜମିର ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିଲେ। ଅନ୍ୟପଟେ ଗୋଟିଏ ଦନ୍ତା ହାତୀ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ପୋଡ଼ାପଡ଼ା ଗ୍ରାମଧାନ ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲା। ଖବର ପାଇ ମୟୂରଭଞ୍ଜ ଡିଏଫ୍‌ଓ ଏ ଉମା ମହେଶଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ରବିନାରାୟଣ ମହାନ୍ତି ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଦନ୍ତାକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର