ଧରାକୋଟ : ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଧରାକୋଟ ବ୍ଲକ୍ର ଶିକ୍ଷକ ସନାତନ ନାୟକଙ୍କୁ ଶୁକ୍ରବାର ଦିନ ପୁଲିସ ଗିରଫ କରିଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ପ୍ରକାରେ ଗତ ୧୩/୫/୨୦୧୧ ମସିହାରେ ସନାତନ ଧରାକୋଟ ବ୍ଲକ୍ ଅନ୍ତର୍ଗତ ଓଳମ୍ବା ପଞ୍ଚାୟତ ନୂଆବାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାସହାୟକ ଭାବେ ନିଯୁକ୍ତି ପାଇଥିଲେ। ୧୩/୫/୨୦୧୭ ମସିହାରେ ତାଙ୍କ ଚାକିରି ନିୟମିତ ହୋଇଥିଲା। ଏ ନେଇ ଅଭିଯୋଗ ପରେ ଧରାକୋଟ ବିଇଓ କୋରେଶ ସେଠୀ ଏହାର ତଦନ୍ତ କରିବା ବେଳେ ସଂପୃକ୍ତ ଶିକ୍ଷକଙ୍କ ଯୁକ୍ତ ଦୁଇ ଓ ସିଟି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ଏ ସମ୍ପର୍କରେ ବିଇଓ ଶ୍ରୀ ସେଠୀ ବଡ଼ଗଡ଼ ଥାନାରେ ଅଗଷ୍ଟ ୨୫ ତାରିଖରେ ଏତଲା ଦେବା ପରେ ଧରାକୋଟ ପୁଲିସ ସହାୟତାରେ ବଡ଼ଗଡ଼ ପୁଲିସ ନକଲି ଶିକ୍ଷକ ସନାତନଙ୍କୁ ଗିରଫ କରିଛି । ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁରଜ୍ କୁମାର ଝାଙ୍କର ପ୍ରକାଶ କରିଛନ୍ତି।