ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଜଷ୍ଟିସ୍ ଏସ.ମୂରଲୀଧରଙ୍କ ନାମ ସୁପାରିସ କଲା ସୁପ୍ରିମକୋର୍ଟ କଲିଜିୟମ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ନିଯୁକ୍ତି ପାଇଁ ଜଷ୍ଟିସ୍ ଏସ.ମୂରଲୀଧରଙ୍କ ନାମ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‌କଲେଜିୟମ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଏବେ ପଞ୍ଜାବ ଓ ହରିୟାନା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ ମୂରଲୀଧର କାର୍ଯ୍ୟରତ ଅଛନ୍ତି।

‌୧୯୮୪ରେ ସେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ ଜଷ୍ଟିସ ମୂରଲୀଧର । ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ ସେ । ବହୁ ଜନସ୍ବାର୍ଥ ଆବେଦନ ଓ ମୃତ୍ୟୁ ଦଣ୍ଡ ସଂପର୍କିତ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସେ ଜାତୀୟ ମାନବାଧିକାର କମିସନ୍ ଓ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ। ଡିସେମ୍ବର ୨୦୦୨ରୁ ୨୦୦୬ ମେ ପର୍ଯ୍ୟନ୍ତ ଲ’ କମିସନରେ ସେ ଅସ୍ଥାୟୀ ସଦସ୍ୟ ଥିଲେ। ୨୦୦୬, ମେ ୨୯ରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ  ପଞ୍ଜାବ ଓ ହରିୟାନା ହାଇକୋର୍ଟ‌କୁ ତାଙ୍କର ବଦଳି ହୋଇଥିଲା। ୨୦୦୦, ମାର୍ଚ୍ଚ ୬ରେ ସେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର