ଜିଲ୍ଲା ଦାବିରେ ସଂଘର୍ଷ ସମିତିର ଜରୁରୀ ବୈଠକ: ୨୫ରେ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଜିଲ୍ଲା ଦାବି ନେଇ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ହରିଭବନଠାରେ ଅନୁଷ୍ଠିତ ହୋଇଛି। ସଭାପତି ଶେଷଦେବ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବୈଠକରେ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ତଥା ଆଖପାଖ ଗାଁର ଲୋକମାନେ ଯୋଗ ଦେଇ ଜିଲ୍ଲା ଦାବିକୁ ତୀବ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଧାନସଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା କଣ୍ଟାବାଞ୍ଜି ଏକ ରାଜସ୍ୱ ଜିଲ୍ଲା ଭାବେ ଫିଟ୍ ଅଛି ବୋଲି କହିଥିଲେ। ଏହା ପରେ ଜିଲ୍ଲା ସଂଘର୍ଷ ସମିତି ଏବଂ ନିର୍ବାଚନମଣ୍ଡଳୀର ସମସ୍ତ କର୍ମକର୍ତ୍ତା ଏକଜୁଟ ହୋଇଥିବା ଦେଖିବାକୁ ମିଳିଛି।

ସଂଘର୍ଷ ସମିତି ପକ୍ଷରୁ ଆଗମୀ ୨୫ତାରିଖ ଶନିବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଂଟାବାଞ୍ଜି ସହରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିବା ସହ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ପାଇଁ ଡାକରା ଦିଆଯାଇଛି। ଆମ୍ବୁଲାନ୍ସ, ସ୍କୁଲ ବସ୍‌, ଅଗ୍ନିଶମ, ପାଣି, ବିଦ୍ୟୁତ୍‌ ବିଭାଗ ଆଦି ଜରୁରୀ ସେବା ଗାଡ଼ିକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଯାନବାହନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା ମଧ୍ୟ ବୈଠକରେ ଯୋଗଦେଇ ସଂଘର୍ଷ ସମିତିର ସମସ୍ତ କାର୍ଯ୍ୟକ୍ରମ ଓ ଦାବିରେ ଏନ୍‌ଏସି ସହଯୋଗ କରିବା ସହ ସମସ୍ତ କାଉନସିଲ୍‌ରଙ୍କ ସମର୍ଥନ ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଂପାଦକ ଦୁଃଖୀଶ୍ୟାମ ଗୁରୁ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସଦସ୍ୟ ବିଦେଶୀ ବେହେରା, ବେଦବ୍ୟାସ ନାଗ, ସହଦେବ ନାଗ, ଚିନ୍ମୟ ଯୋଷୀ, ପ୍ରେମ ବାଗ, ସଂଜୟ ଗାନ୍ଧୀ, ନରେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ନେତା ଲକ୍ଷ୍ମଣ ବାଗ, ବଙ୍ଗୋମୁଣ୍ଡା ବିଜେଡି ନେତା ଉଦ୍ଧବ ବେହେରା, ଚାଉଳଶୁଖା ସମିତି ସଭ୍ୟ ଗିରିରାଜ ସିଂହ ମାଝୀ ପ୍ରମୁଖ ଜିଲ୍ଲା ଦାବି ତଥା ବନ୍ଦ ପାଳନକୁ ସଫଳ କରିବା ସେ ନେଇ ମତ ଦେଇଥିଲେ।

ସମ୍ବନ୍ଧିତ ଖବର