କୁନ୍ଦୁଲି ମାମଲା: ତଦନ୍ତ ଆରମ୍ଭ କଲା ଏନ୍‌ଏଚ୍‌ଆର୍‌ସି

କୋରାପୁଟ/ ପଟ୍ଟାଙ୍ଗି : କୁନ୍ଦୁଲି ଗଣ ଦୁଷ୍କର୍ମ ଓ ପୀଡିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ କୋରାପୁଟରେ ପହଞ୍ଚିଛି ଜାତୀୟ ମାନବାଧିକାର କମିଶନଙ୍କ ଏକ ୫ଜଣିଆ ଟିମ। ଏହି ଟିମ ଏଠାରେ ୮ତାରିଖ ପର୍ଯ୍ୟନ୍ତ ରହି ମାମଲାର ତଦନ୍ତ କରିବ। ଡିଏସପି ରବି ସିଂହଙ୍କ ନେତୃତ୍ୱରେ ଏହି ଟିମ୍‌ ଆଜି କୋରାପୁଟରେ ପହଞ୍ଚିବା ପରେ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି। ଆଜି ତଦନ୍ତର ପ୍ରଥମ ଦିନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ କିଛି ପୁଲିସ ଅଧିକାରୀଙ୍କ ସହ ଏହି ଟିମ୍‌ ଆଲୋଚନା କରିଛି। ପରେ ଡିଏସପି ରବି ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଜନସାଧାରଣ ଏହି ମାମଲା ସଂପର୍କିତ କୌଣସି ତଥ୍ୟ ଟିମ୍‌କୁ ପ୍ରଦାନ କରି ପାରିବେ। ୮ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଟିମ୍‌ କୋରାପୁଟରେ ରହୁଥିବାରୁ ତଦନ୍ତରେ ଲୋକମାନେ ଚାହିଁଲେ ସାହାଯ୍ୟ କରିପାରିବେ। ପୁଲିସ, ଡାକ୍ତର ଓ କାଉନସେଲରଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଜାତୀୟ ମାନବ ଅଧିକାର କମିଶନ ପକ୍ଷରୁ ସରଜମିନ ତଦନ୍ତ ଆରମ୍ଭ ହେବା ନେଇ ପୀଡିତାଙ୍କ ଗାଁ ମୂଷାଗୁଡାରେ ନୋଟିସ୍‌ ଟଙ୍ଗା ଯାଇଛି। ଆସନ୍ତକାଲି ସକାଳ ୧୦ଟାରେ ଜାତୀୟ ମାନବ ଅଧିକାର କମିଶନ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ଏହି ସମୟରେ ପୀଡିତାଙ୍କ ମା ଉପସ୍ଥିତ ରହି ଆବଶ୍ୟକୀୟ ପ୍ରମାଣ ଉପସ୍ଥାପନ କରିବାକୁ ମଧ୍ୟ ନୋଟିସ୍‌ରେ ଲେଖା ହୋଇଛି।

ସମ୍ବନ୍ଧିତ ଖବର