ବଡ଼ ମେଡିକାଲ୍‌ରେ କୁନ୍ଦୁଲି ତାତି : ମାନସିକ ରୋଗ ଓ୍ଵାର୍ଡକୁ ସ୍ଥାନାନ୍ତର ହେବେ ପୀଡ଼ିତା

ଘରକୁ ନେବା ପାଇଁ ଜିଦ୍‌ରେ ମା’, ସାଂସଦ, ବିଧାୟକଙ୍କ ଧାରଣା

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ସମସ୍ତ ମେଡିକାଲ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲାବେଳେ ତାଙ୍କର ସାଇକାଟ୍ରିକ୍‌ ଥେରାପିର ଆବଶ୍ୟକତା ଥିବା ଡାକ୍ତରୀ ବୋର୍ଡ ନିଷ୍ପତ୍ତି ନେଇଛି। ତେଣୁ ଆସନ୍ତାକାଲି ତାଙ୍କୁ ମେଡିସିନ୍‌ ଆଇସିୟୁରୁ ମାନସିକ ରୋଗ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯିବ। ସେଠାରେ ଅନ୍ୟୁନ ୧୦ ଦିନ ପର୍ଯ୍ୟନ୍ତ ଚିକିତ୍ସା ଓ କାଉନସେଲିଂ ଚାଲିବ। ସେ ସଂପୂର୍ଣ୍ଣ ସୁସ୍ଥ ହେଲେ ତାଙ୍କୁ ଡିସ୍‌ଚାର୍ଜ କରାଯିବା ନେଇ ବିଚାର କରାଯିବ ବୋଲି ବୋର୍ଡ ଆବାହକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କର ବାନ୍ତିରେ ରକ୍ତ ପଡ଼ିଥିବା ଅଭିଯୋଗ ହେବା ପରେ ତାଙ୍କୁ କୋରାପୁଟରୁ କଟକ ବଡ଼ ମେଡିକାଲ୍‌କୁ ଅଣାଯାଇଥିଲା। ଏଠାରେ ଏଣ୍ଡୋସ୍କୋପି ସହିତ ଅଲ୍‌ଟ୍ରାସାଉଣ୍ଡ, ଇସିଜି, ଇଇଜି, ଇକୋ, ଏକ୍ସ-ରେ, ରକ୍ତ, ମଳ ଇତ୍ୟାଦି ପରୀକ୍ଷା କରାଯାଇଥିଲା। କେବଳ ସାଇକାଟ୍ରିକ୍‌ ପରୀକ୍ଷାକୁ ଛାଡ଼ିଦେଲେ ଅନ୍ୟ ସବୁକିଛି ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେଣୁ ତାଙ୍କୁ ମାନସିକ ରୋଗ ଡାକ୍ତରଙ୍କ ଚିକିତ୍ସାରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଙ୍କୁ ସରକାର, ଡାକ୍ତର ମିଳିତଭାବେ ମାରିଦେବାକୁ ବସିଛନ୍ତି। ଘରକୁ ଗଲେ ସେ ଠିକ୍‌ ହୋଇଯିବ ବୋଲି ପୀଡ଼ିତାଙ୍କ ମା’ ଆଜି ଗଣମାଧ୍ୟମ ଆଗରେ ଚିତ୍କାର କରି କହିଥିଲେ। ତେଣୁ ତାଙ୍କୁ ତୁରନ୍ତ ଘରକୁ ନେଇଯିବାକୁ ସେ ଆସିଛନ୍ତି। ଯଦି ଝିଅକୁ ନଛାଡ଼ନ୍ତି ତାହେଲେ ଏଠାରେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତାଙ୍କ ମା’ ଧମକ ଦେଇଛନ୍ତି। ଆଜି ଏସ୍‌ସିବି ମେଡିକାଲ୍‌ରେ ପୀଡ଼ିତାଙ୍କ ମା’ଙ୍କ ସହିତ ଭାଇ, ଖୁଡ଼ୀ ମଧ୍ୟ ଆସିବା ସହ ପୀଡ଼ିତାଙ୍କୁ ସାଙ୍ଗରେ ନେବା ପାଇଁ ଜିଦ୍‌ ଧରି ବସିଥିଲେ। ଆଇସିୟୁ ଭିତରେ ପୀଡ଼ିତାଙ୍କୁ ଭେଟିବାକୁ ସେମାନଙ୍କୁ ଅନୁମତି ଦିଆଯାଇଥିଲାବେଳେ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଝିଅର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଅନ୍ୟପକ୍ଷରେ ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ ଏବଂ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ମଧ୍ୟ ବଡ଼ ମେଡିକାଲ୍‌ରେ ପହଞ୍ଚି ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରିବା ପାଇଁ ଅଡି ବସିଥିଲେ। ମେଡିକାଲ୍‌ କର୍ତ୍ତୃପକ୍ଷ ତାଙ୍କ ଦାବି ନମାନିବାରୁ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ପୀଡ଼ିତାଙ୍କୁ ନ୍ୟାୟ ଦେବା ସହିତ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବିଧାୟକ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ପୁଲିସ୍‌ ପକ୍ଷରୁ ପ୍ରକୃତ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି। ପୀଡ଼ିତା ଦୁଇଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ କୋରାପୁଟ ଜିଲ୍ଲା ପ୍ରଶାସନ ଏହାକୁ ଟଙ୍କା ପାଇବା ଲୋଭରେ ବାହାନା କରାଯାଉଥିବା ହୀନ ଆରୋପ ଲଗାଉଛନ୍ତି। ତେଣୁ ସଂପୃକ୍ତ ସରକାରୀ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଉ ବୋଲି ବିଧାୟକ ଶ୍ରୀ ସଗରିଆ ଦାବି କରିଛନ୍ତି।

ସେହିପରି ପୀଡ଼ିତାଙ୍କ ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆହ୍ଵାନ ଦେଇଛନ୍ତି। ପୀଡ଼ିତାଙ୍କୁ ଘରକୁ ନନେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି। ଉଭୟ ରାଜନେତାଙ୍କ ସହିତ କିଛି ସାମାଜିକ କର୍ମୀ ମଧ୍ୟ ଏହି ଧାରଣାରେ ଯୋଗଦେଇଥିଲାବେଳେ ସୃଷ୍ଟି ହୋଇଥିବା ପରିସ୍ଥିତି ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି। ତଥାପି ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର