କୁଶଭଦ୍ରା ମୁହାଣ ମୁହଁ ଦିଗ ବଦଳିବ

ଭୁବନେଶ୍ବର : କୋଣାର୍କ-ପୁରୀ ମେରାଇନ୍‌ ଡ୍ରାଇଭ୍‌ରେ ସମୁଦ୍ର କୂଳ ଲଙ୍ଘିବା ପରେ ଏଠାରେ କୁଶଭଦ୍ରା ନଦୀର ମୁହାଣର ଦିଗ ବଦଳାଇବାକୁ ଜଳସମ୍ପଦ ବିଭାଗ ଯୋଜନା କରିଛି। କୋଣାର୍କରେ ଯେଉଁ ସ୍ଥାନରେ ଇକୋ ରିଟ୍ରିଟ୍ ହୁଏ ସେଠାରେ ସମୁଦ୍ର କୂଳ ଲଙ୍ଘିଥିବାରୁ ଚଳିତବର୍ଷ ଇକୋ-ରିଟ୍ରିଟ୍ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ନୂଆ ନଈ ମୁହାଣକୁ ଇକୋ-ରିଟ୍ରିଟ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲେ ହେଁ ଏହା ଅଧିକ ଆକର୍ଷଣୀୟ ହୋଇପାରିବନି ବୋଲି ରିପୋର୍ଟ ମିଳିବା ପରେ ଜଳସମ୍ପଦ ବିଭାଗ ଏବେ କୁଶଭଦ୍ରା ନଦୀ ମୁହାଣ ମୁହଁ ଦିଗ ବଦଳାଇବାକୁ ନିଷ୍ପତ୍ତି ନେଇଛି।

tripadvisor.com

ଯୋ‌ଜନା ଅନୁଯାୟୀ, କୁଶଭଦ୍ରା ମୁହାଣର ପ୍ରାୟ ୨୦୦ମିଟର ପର୍ଯ୍ୟନ୍ତ ନଦୀ ଗର୍ଭକୁ ସମୁଦ୍ର କୂଳ ସମାନ୍ତରାଳରେ ଖୋଳି ଏଠାରେ ପଥର ପ୍ୟାକିଂ କରାଯିବ। ଏଠାରେ ଏକ ସ୍ଥାୟୀ ପ୍ରାଚୀର ସଦୃଶ ନିର୍ମାଣ କରି ସମୁଦ୍ରକୁ ନଦୀର ଦିଗ ବଦଳାଇ ଦିଆଯିବ। ଫଳରେ ଜୁଆର ଅାସିଲେ ଅଧିକ କ୍ଷୟକ୍ଷତି ହେବନି। ଏହି ନିର୍ମାଣ ସମୟରେ ଚେନ୍ନାଇସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍‌ ଓସେନ୍ ଟେକ୍ନୋଲୋଜିର ସହାୟତା ନେବାକୁ କୁହାଯାଇଛି। ଏହି କାମକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରିବାକୁ ଦୁଇଟି ସଂସ୍ଥାକୁ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ ସଂସ୍ଥା ନଦୀ ଖୋଳି ବାଲି ସ୍ଥାନାନ୍ତର କରିବ, ଆଉ ଏକ ସଂସ୍ଥା ପଥର ପ୍ୟାକିଂ କରିବ। ଏହି କାମ ଏକ ମାସ ମଧ୍ୟରେ ସରିଲେ ଏହି ବେଳାଭୂମିରେ ଇକୋ ରିଟ୍ରିଟ୍ ଆୟୋଜନ ହେବ ବୋଲି ଯୋଜନା ହୋଇଛି।

ସମ୍ବନ୍ଧିତ ଖବର