ଗୋରୁମହିଷାଣୀ ଲୌହଖଣିରେ ଶ୍ରମିକ ଅଶାନ୍ତି

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗୋରୁମହିଷାଣୀ ଲୁହାଖଣି ଏସିଆ ମହାଦେଶର ସର୍ବପ୍ରଥମ ଲୌହଖଣି ଭାବେ ପରିଚିତ। ତେବେ ଉକ୍ତ ଲୌହଖଣିରେ ପୁଣି ଶ୍ରମିକ ଓ କର୍ମଚାରୀ ଅଶାନ୍ତି ଦେଖାଦେଇଛି। ଆଜି ଗୋରୁମହିଷାଣୀ ବାଦାମପାହାଡ଼ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ସୁରେଶ ସୋରେନଙ୍କ ନେତୃତ୍ବରେ ଶତାଧିକ ଖଣି କର୍ମଚାରୀ ଖଣି କାର୍ଯ୍ୟାଳୟକୁ ଘେରାଉ କରି ଖଣି ପ୍ରବନ୍ଧକ ବିକାଶ ରଂଜନ ନାୟକଙ୍କୁ ପୂର୍ବରୁ ଦିଆଯାଇଥିବା ୬ଦଫା ଦାବି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ।

ଛଟେଇ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ, ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ପ୍ରଦାନ, ବୋନସ ଓ ଛୁଟି ଟଙ୍କା ପ୍ରଦାନ,  ସମସ୍ତ କର୍ମଚାରୀଙ୍କ ପିଏଫ୍‌ ଜମା କରାଯିବା, ଓଭରଟାଇମ ପଇଠ କରାଯିବା, ମୃତ କର୍ମଚାରୀମାନଙ୍କୁ କ୍ଷତିପୂରଣ ପ୍ରମୁଖ ଦାବି କରାଯାଇଥିଲା। ସୂଚନାଯୋଗ୍ୟ,  ଖଣି ଲିଜ୍‌ଧାରୀ ଘନଶ୍ୟାମ ମିଶ୍ର ଆଣ୍ତ ସନ୍‌ସ ପ୍ରା.ଲି ଚଳିତ ଥର ଲିଜ୍‌ ପ୍ରାପ୍ତ କରିବା ପରେ ପ୍ରଥମ ୨ବର୍ଷ ବିଏସ୍‌ ମାଇନିଂ ନାମକ ଏକ ଠିକା ସଂସ୍ଥା ଦ୍ବାରା ଲୁହାପଥର ଉତ୍ତୋଳନ କରୁଥିଲେ।

କୌଣସି କାରଣବଶତଃ କମ୍ପାନି ଗୋରୁମହିଷାଣୀ ଲୌହଖଣିରେ ଖଣି ଖନନ କାର୍ଯ୍ୟ ବନ୍ଦ କରିଥିଲା। ପରେ ବାଜୱା କମ୍ପାନି ନାମକ ଏକ ଠିକା ସଂସ୍ଥା ଖଣି ଖନନ କାର୍ଯ୍ୟଭାର ଲିଜଧାରୀ ଜିଏମ୍‌ଏସ୍‌ ଠାରୁ ନେଇଥିଲା। ମାତ୍ର ଏହି କମ୍ପାନି ଖଣି ପ୍ରଭାବିତ ଅଂଚଳରେ କର୍ମଚାରୀଙ୍କୁ ନିୟୋଜିତ ନ କରି ବାହାର ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବାରୁ ଅସନ୍ତୋଷ ଦେଖାଦେଇଛି।  ଏ ସଂପର୍କରେ ଗୋରୁମହିଷାଣୀ ଲୌହଖଣି ପ୍ରବନ୍ଧକ ଶ୍ରୀ ନାୟକଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଗୋରୁମହିଷାଣୀ-ବାଦାମପାହାଡ଼ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ସୋରେନ ଖଣି କର୍ତ୍ତୃପକ୍ଷଙ୍କୁ ୧୫ ଦିନର ଅବଧି ମଧ୍ୟରେ ଦାବି ପୂରଣ କରାନଗଲେ ଖଣିକାର୍ଯ୍ୟ ବନ୍ଦ ପାଇଁ ଚେତାବନୀ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର