ମାଛ କିଣିବାକୁ ଯାଇଥିଲେ, ଡଙ୍ଗାରୁ ଖସି ଯୁବକ ମୃତ

ଇବଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ କୁର୍ମିମାଲ ଗ୍ରାମ ନିକଟ ଇବ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସମ୍ବଲପୁର ଜମାଦାରପାଲିର ସୁରେନ୍ଦ୍ର ଓରାମ (୩୦) ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଶନିବାର ଜମାଦାରପାଲିରୁ ସୁରେନ୍ଦ୍ର ଅନ୍ୟ ୩ ଜଣ ଲଖ ଓରାମ (୨୬), ଅହିତ ଓରାମ (୨୬), ହିରାଲାଲ ଓରାମ (୩୫)ଙ୍କ ସହ ମାଛ କିଣିବାକୁ ଡଙ୍ଗା ନେଇ କୁର୍ମିମାଲ ଗ୍ରାମକୁ ଆସିଥିଲେ। ଅପରାହ୍‌ଣ ୩ଟା ବେଳେ ସେମାନେ ଆସୁଥିବା ସମୟରେ କୁର୍ମିମାଲ ନିକଟ ଇବ୍‌ ନଦୀରେ ଆହୁଲା ମାରୁଥିବାର ସୁରେନ୍ଦ୍ର ହଠାତ୍‌ ପାଣିକୁ ଖସି ପଡ଼ିଥିଲେ।

ଏହା ଦେଖି ସାଙ୍ଗରେ ଥିବା ଅନ୍ୟ ତିନି ଜଣ ଡଙ୍ଗାରୁ ଡେଇଁ ପଡ଼ି ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇ ନଥିଲେ। ପରେ ସନ୍ଧ୍ୟାରେ ସେମାନେ କୁମ୍ଭାରବନ୍ଧ ଫାଣ୍ଡିରେ ଅଭିଯୋଗ କରିଥିଲେ। ରାତି ହୋଇ ଯାଇଥିବାରୁ ଖୋଜାଖୋଜି କରାଯାଇ ପାରି ନଥିଲା। ରବିବାର ଅଗ୍ନିଶମ ବାହିନୀ ସହାୟତାରେ ଖୋଜିବାରେ ଇବ୍‌ ନଦୀରୁ ସୁରନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର କରା ଯାଇଥିଲା। ବନହରପାଲି ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପୁଲିସ୍‌ ପରିବାରକୁ ଶବ ହସ୍ତାନ୍ତର କରିଛି। ସୁରେନ୍ଦ୍ର ଅପସ୍ମାର ରୋଗରେ ପୀଡ଼ିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଫାଣ୍ଡି ଅଧିକାରୀ ଅଶୋକ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର