ଗ୍ରାହକ ସାଜି ଲୁଟିଲେ ୭ ଲକ୍ଷ ଟଙ୍କାର ଅଳଙ୍କାର

କଟକ : ଗ୍ରାହକଙ୍କ ପରି ସୁନା କିଣିବାକୁ ଆସିଥିବା ଦୁଇ ଲୁଟେରା ଅଳଙ୍କାର ଦୋକାନରୁ ବଡ଼ଧରଣର ଲୁଟ୍ କରିଛନ୍ତି। ଦୋକାନରୁ ପ୍ରାୟ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ଦୋକାନ କର୍ମଚାରୀ ଲୁଟେରା ଦ୍ବୟଙ୍କୁ ପିଛା କରି କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଧକ୍କା ମାରି ଚମ୍ପଟ୍‌ ମାରିଥିବା ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦୋଳମୁଣ୍ତାଇ ଛକରେ ଥିବା ଜଗନ୍ନାଥ ଜୁଏଲାରୀକୁ ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସିଥିଲେ। ଜଣେ ବାହାରେ ଛିଡ଼ା ହୋଇଥିବାବେଳେ ଅନ୍ୟ ଜଣେ ଦୋକାନ ଭିତରକୁ ଆସିଥିଲା। ଉଭୟ ମୁହଁରେ ମାସ୍କ ପିନ୍ଧିଥିଲେ। ଦୋକାନ ଭିତରକୁ ଆସିଥିବା ଲୁଟେରା ଜଣକ ଅଳଙ୍କାର କିଣିବାକୁ କହିବାରୁ ଦୋକାନ ମାଲିକ ଡ୍ର ରୁ ଅଳଙ୍କାର କାଢ଼ି ଦେଖାଇଥିଲେ। ଏକାଧିକ ଡିଜାଇନର ଅଳଙ୍କାର ଦେଖାଇବାକୁ କହି ଦୋକାନୀଙ୍କୁ ଅନ୍ୟମନସ୍କ କରାଇଥିଲା ଲୁଟେରା। ଦୋକାନୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଏକ ବ୍ୟାଗ୍‌ରେ ଥିବା ୧୫୦ ଗ୍ରାମ ଓଜନର ଅଳଙ୍କାର ଲୁଟି ନେଇଥିଲେ। ଦୋକାନ ମାଲିକ ଜାଣିପାରିବା ପରେ ଦୁଇ ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ତାଙ୍କୁ ଧକ୍କା ମାରି ଝୋଲାସାହି ଆଡ଼କୁ ଫେରାର ହୋଇଯାଇଥିଲେ। ମୁହଁରେ ମାସ୍କ ପିନ୍ଧିଥିବାରୁ ଚେହେରା ସ୍ପଷ୍ଟ ହେଉନଥିବା ବେଳେ ସେମାନଙ୍କ ବୟସ ୩୦ ପାଖାପାଖି ହେବ ବୋଲି ପୁଲିସ ଅନୁମାନ କରୁଛି। ଦୋଳମୁଣ୍ତାଇ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଢ˚ଗରେ ଅଳଙ୍କାର ଦୋକାନରୁ ଲୁଟ୍‌ ଘଟଣା ସାଧାରଣ ଲୋକଙ୍କୁ ଚକିତ କରିଛି।

ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା
ରରୁଆଁ : ଫାଇନାନ୍‌ସ କମ୍ପାନିର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗୁରୁବାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଫାଇନାନ୍‌ସ କମ୍ପାନି ଏସ୍‌କେଏସ୍‌ର କର୍ମଚାରୀ ଶୁଭେନ୍ଦୁ ଦାସ ନିଜ ବାଇକ୍‌ (ଓଡି୦୯କେ-୩୨୧୪)ରେ ଶୁକୃଳି ଓ ଖିଚିଂ ଅଞ୍ଚଳରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ ମହିଳାଙ୍କଠାରୁ ୧ ଲକ୍ଷ ୭ ହଜାର ୫୧ ଟଙ୍କା ଆଦାୟ କରି ଫେରୁଥିଲେ। ରରୁଆଁ ଥାନା ଖିଚିଂ ନାଟ୍ୟ ମଣ୍ଡପ ଆମ୍ବତୋଟା ପାଖରେ ତିନିଜଣ ଯୁବକ ହଠାତ ଶୁଭେନ୍ଦୁଙ୍କୁ ଅଟକାଇବା ସହ ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ସବୁତକ ଟଙ୍କା ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର