ଡକାଡ଼କି ହୋଇ ଆରପାରିକୁ ଚାଲିଗଲେ ପୁଅବୋହୂ, ୮୦ ବର୍ଷୀୟା ଜେଜେମା’ କାନ୍ଧରେ ୪ ନାତିନାତୁଣୀଙ୍କ ଭାର

ଶାଳଚୁଆ: ବୟସର ଅପରାହ୍ନରେ ୪ ନାତି ନାତୁଣୀଙ୍କ ଭାର ବୋହୁଛନ୍ତି କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତ ଗାଇପାଣିଖିଆ ଗ୍ରାମ ମହିଷା ସାହିର ବୃଦ୍ଧା ପାଣି ମାହାକୁଡ଼ (୮୦)। ତେବେ ବର୍ଷକ ପୂର୍ବେ ସବୁ ଠିକ୍‌ ଥିଲା। ପୁଅ, ବୋହୂ ଓ ୪ ନାତି ନାତୁଣୀଙ୍କ ନେଇ ହସଖୁସିରେ ଚାଲୁଥିଲା ସଂସାର। ତେବେ ପାଣିଙ୍କ ସୁଖ ସହିଲାନି ଦଇବ। ବର୍ଷେ ତଳେ ବୋହୂ ଚମ୍ପା ଅଜଣା ବ୍ୟାଧିରେ ପଡ଼ି ଆରପାରିକୁ ଚାଲିଗଲା। ବୋହୂ ମୃତ୍ୟୁର ୪ ମାସ ନଯାଉଣୁ ପୁଅ ମଙ୍ଗୁଳୁ ରୋଗଗ୍ରସ୍ତ ହୋଇ ବିଛଣା ଧରିଲା ଓ ଦିନ କେଇଟା ପରେ ଆଖି ବୁଜିଦେଲା। ନିମିଷକ ମଧ୍ୟରେ ପାଣିଙ୍କ ସୁନା ସଂସାର ଭାଙ୍ଗି ଚୂର୍‌ମାର୍‌ ହୋଇଗଲା। ଏବେ ନାତି ବୁଦ୍ଧ (୧୮), ସୁକ (୧୦), ନାତୁଣୀ ନିତିମା (୧୦) ଓ ରାଇମଣି(୪)ଙ୍କୁ ନେଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ପାଣି।

ଏ ବୟସରେ ମୂଲମଜରି ଲାଗିବାକୁ ଦେହରେ ଜୁ’ ନାହିଁ। ବଡ଼ନାତି ବୁଦ୍ଧ କାମଧନ୍ଦା କରି ଯେଉଁ ଦି’ପଇସା ଆଣୁଛି ତାହା ତେଲଲୁଣ ସଉଦାକୁ ନିଅଣ୍ଟ। ତେଣୁ ପ୍ରାୟ ସମୟରେ ଗୋଟିଏ ଓଳି ଖାଇଲେ ଆର ଓଳି ଉପାସରେ ଶୋଇବାକୁ ପଡ଼ୁଥିବା କାନ୍ଦି କାନ୍ଦି ଜଣାଇଛନ୍ତି ପାଣି। ସରକାରୀ ସହାଯ୍ୟ ବୋଲି ତାଙ୍କ ନାଁରେ ମିଳୁଛି ୫ କେଜି ଚାଉଳ ଓ ୭୦୦ଟଙ୍କା ଭତ୍ତା। ଏ ଦୁଃଖ ଭିତରେ ବି ନାତି ନାତୁଣୀଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଆଶା ରଖିଛନ୍ତି ପାଣି। ତେଣୁ ସରକାର ନିଷ୍ପାପ ପିଲାମାନଙ୍କୁ ଥଇଥାନ କରି ପାଠପଢ଼ା ବ୍ୟବସ୍ଥା କରିବା ସହ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ଘରଖଣ୍ଡେ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର