ଲଘୁ ଖଣିଜ ମହାଦୁର୍ନୀତି: ରାହାଡ଼ପୁର ପାହାଡ଼ରୁ ଶହେ କୋଟି ଟଙ୍କାର ଲଘୁଖଣିଜ ଲୁଟ୍

ଜିଲ୍ଲାରେ ଲଘୁ ଖଣିଜରୁ ରାଜସ୍ବ ଆଦାୟ ଲକ୍ଷ୍ୟ ୮୦କୋଟି ଟଙ୍କା
ଲିଜ୍‌ଧାରୀ-ଅଧିକାରୀଙ୍କ ମଧ୍ୟରେ ଭିତିରି ବୁଝାମଣା

ଯାଜପୁର/ସଦର : ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ମହାଦୁର୍ନୀତିର ଫର୍ଦ ପରେ ଫର୍ଦ ଖୋଲିବାରେ ଲାଗିଛି। ଜିଲ୍ଲାରେ ଲଘୁ ଖଣିଜ ବାବଦକୁ ୮୦ କୋଟି ଟଙ୍କା ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ କେବଳ ଗୋଟିଏ ପାହାଡ଼ ରାହାଡ଼ପୁରରୁ ୧୦୦ କୋଟି ଟଙ୍କାର ଲଘୁଖଣିଜ ଲୁଟ୍‌ ହୋଇଛି। ପାହାଡ଼, ପର୍ବତ, ନଦୀକୁ ଖୋଳିତାଡ଼ି ଲଘୁଖଣିଜ ସମ୍ପଦ ଲୁଟ ହେଉଛି। ରାଜସ୍ବ ବିଭାଗ ତାହା ଧରିବା ଦୂରର କଥା କେତେ ରାଜସ୍ବ ଆଦାୟ ହୋଇପାରିବ, ତାହାର ମଧ୍ୟ ସଠିକ୍ ଆକଳନ କରିପାରିନାହିଁ। ଏଠାରେ ଲିଜଧାରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା ସ୍ପଷ୍ଟ ହେଉଛି।

ଯାଜପୁର ଜିଲ୍ଲାରୁ ସହଜରେ ଅନ୍ୟ ଜିଲ୍ଲାକୁ କୋଟି କୋଟି ଟଙ୍କାର ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ ହେଉଛି। ନମୁନା ସ୍ବରୂପ ଧର୍ମଶାଳା ତହସିଲ ଅଞ୍ଚଳରେ ପଥର ମାଫିଆ, ଅସାଧୁ ‌ବ୍ୟବସାୟୀଙ୍କ ସହିତ ସଂପୃକ୍ତ ବିଭାଗର କେତେକ ଅଧିକାରୀଙ୍କ ଅସାଧୁମେଣ୍ଟ ରାଜସ୍ବ ଲୁଟ୍ ପାଇଁ ବାଟ ଖୋଲି ଦେଇଛନ୍ତି। ଏପରିକି ଚୋରା କାରବାର ରୋକିବା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୁରକ୍ଷା ଓ ଯାଞ୍ଚକୁ କଡ଼ାକଡ଼ି କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ବେଆଇନ୍ ଖଣିଖାଦାନ କାରବାରରେ ଶହ ଶହ କୋଟି ଟଙ୍କା ରାଜସ୍ବ ହଡ଼ପ ହେଉଛି। କେନ୍ଦୁଝରରେ ଗତ ଦଶନ୍ଧିରେ ସ୍ଥାନୀୟ ପୁଲିସ ଓ ଭିଜିଲାନ୍ସ ଖଣି ମାଫିଆଙ୍କ ପଛରେ ପଡ଼ିଲା। ମାତ୍ର ଶାହା କମିଶନ ହଜାର ହଜାର କୋଟି ଟଙ୍କା ରାଜସ୍ବ ଫାଙ୍କି ପାଇଁ ଖଣି ଲିଜଧାରୀ ଓ ସରକାରୀଙ୍କୁ ଦାୟୀ କଲେ। ଠିକ୍ ସେହିପରି ଧର୍ମଶାଳାରେ ପୁଲିସ, ତହସିଲ ପକ୍ଷରୁ ରାସ୍ତାରେ ଗାଡ଼ି ଓ ପଥର ଚୋରି ରୋକିବା ପାଇଁ ଧରପଗଡ଼ ସହ ୧୪୪ଧାରା ଜାରି କରୁଛନ୍ତି। ଅଥଚ ହଜାରେ ଟନ ପାଇଁ ଅନୁମତି ନେଇ ଲିଜଧାରୀମାନେ ୧୦ଗୁଣ ଖାଦାନ ଖୋଳି ‌କୋଟି କୋଟି ଟଙ୍କା ମୁନାଫା କରୁଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ।

ରାହାଡ଼ପୁରରେ ଖାଦାନ ପାଇଁ ୩୫ହଜାର ଘନ ମିଟର ପାଇଁ ପରିବେଶ ଅନୁମତି ମିଳିଥିବା ‌ବେଳେ ପ୍ରତି ମାସରେ ଏହାଠାରୁ ବହୁଗୁଣ ଅଧିକ ପଥର ଖନନ ଚାଲିଛି। ଦୈନିକ ୫ହଜାର ଟନ କଳାପଥର ଏଠାରୁ ଚାଲାଣ ହେଉଛି। ମାସିକ ୧ଲକ୍ଷ ୫୦ ହଜାର ଟନ୍ ହେଉଥିବାବେଳେ ବର୍ଷକୁ ୧୮ଲକ୍ଷ ଟନ କଳାପଥର ଗୋଟିଏ ଖାଦାନରୁ ଚାଲାଣ ହେଉଛି। ବିକାଶ ଓ ସରକାରୀ ନିର୍ମାଣ ନାମରେ ‌ବେଆଇନ କାରବାରକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବା ଯୋଗୁଁ ଏଠାରୁ ଉପକୂଳ ୫ଟି ଜିଲ୍ଲାକୁ ଶହ ଶହ ଗାଡ଼ିରେ ପ୍ରତିଦିନ ବେଆଇନ କଳାପଥର ଚାଲାଣ ହେଉଛି। ଧର୍ମଶାଳାର ୯୭ ସୈରାତ ମଧ୍ୟରୁ ମାତ୍ର ୨୪ଟି ସୈରାତ ଏବେ କାଗଜପତ୍ରରେ ଚାଲିଥିବା ବେଳେ ଅଧିକାଂଶ ବେଆଇନ୍ ଭାବେ ବିନା ରାଜସ୍ବ ପ୍ରଦାନରେ ଚାଲିଛି। ଜିଲ୍ଲାର ସ୍କ୍ବାଡ୍‌ ଭଳି ରାଜ୍ୟର ସ୍ବତନ୍ତ୍ର ଟିମ୍ ଦ୍ବାରା ତଦନ୍ତ କରାଗଲେ କେବଳ ଧର୍ମଶାଳା ତହସିଲରୁ ହିଁ ସରକାର ଶହ ଶହ କୋଟି ଟଙ୍କା ରାଜସ୍ବ ଆଦାୟ ସହିତ ମାଫିଆ ରାଜ୍କୁ‌ ନିୟନ୍ତ୍ରଣ କରିପାରନ୍ତେ ବୋଲି କେତେକ ବରିଷ୍ଠ ରାଜସ୍ବ ଅଧିକାରୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର