ମିଲର୍‌ଙ୍କ କଟ୍‌ନିଛଟ୍‌ନି ନୀତି, ପ୍ରଶାସନକୁ ଫେରାଦ ହେଲେ ଚାଷୀ

ଚିକିଟି : ଗଞ୍ଜାମ ଜିଲ୍ଲାରେ ଗତ ୧୬ ତାରିଖରୁ ଧାନମଣ୍ଡି ଖୋଲାଯାଇଥିଲେ ହେଁ, ଏଯାଏ ଧାନକିଣା ତ୍ବରାନ୍ବିତ ହୋଇପାରୁନି। ଏଭଳି ପରିସ୍ଥିତିରେ ମିଲର୍‌ମାନଙ୍କ କଟ୍‌ନିଛଟ୍‌ନି ନୀତିରେ ଚାଷୀ ଅତିଷ୍ଠ ହୋଇସାରିଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଚିକିଟି ବ୍ଲକ୍ କୋଟିଲିଙ୍ଗି ଗ୍ରାମରେ। ମିଲର୍‌ମାନଙ୍କ ମନମୁଖି କାର୍ଯ୍ୟକଳାପ ବିରୋଧରେ ୨୦୦ରୁ ଅଧିକ ଚାଷୀ ସ୍ବରୋତ୍ତୋଳନ କରିବା ସହ ତହସିଲଦାରଙ୍କୁ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଚାଷୀଙ୍କ ଅଭିଯୋଗ ଅନୁସା‌ରେ, କୋଟିଲିଙ୍ଗି ପଞ୍ଚାୟତରେ ଚାଷୀଙ୍କଠୁ ଧାନ କିଣିବା ପାଇଁ ଚାରିଟି ମଣ୍ଡିକୁ ଦାୟିତ୍ବ ମିଳିଛି। କିନ୍ତୁ ମିଲର୍ ମାନେ ଧାନର ମାନ ପାଇଁ କ୍ବିଣ୍ଟାଲ୍ ପିଛା ୯ କିଲୋ ଅଧିକ ଧାନ ‌ନେଉଛନ୍ତି। କିନ୍ତୁ ଚାଷୀଙ୍କୁ ବସ୍ତା ଦେଉନାହାନ୍ତି କି, ନିର୍ଦ୍ଧାରିତ ଭଡ଼ା ଦେଉନାହାନ୍ତି। ସେହିପରି ବଳିଆରସିଂପଲ୍ଲୀର ଜଣେ ମିଲ୍‌ ମାଲିକ ରାଜନୈତିକ ଆକ୍ରୋଶ ରଖି ଚାଷୀଙ୍କ ଧାନ ରଖୁନାହାନ୍ତି। ମିଲର୍‌ମାନଙ୍କ କଟ୍‌ନିଛଟ୍‌ନି ନୀତି ଯୋଗୁଁ ଚାଷୀ କ୍ଷତି ସହୁଛନ୍ତି। ଫଳରେ ଗ୍ରାମର ଚାଷୀ ନିରଞ୍ଜନ ରେଡ୍ଡୀ ଏବଂ ପୂର୍ବତନ ସରପଞ୍ଚ ମନ୍ମଥ ରାଓଙ୍କ ନେତୃତ୍ୱରେ ଗ୍ରାମରେ ଆହୂତ ଏକ ଜରୁରୀ‌ ବୈଠକରେ ଶତାଧିକ ଚାଷୀ ଏକାଠି ହୋଇଥିଲେ। ପରେ ତହସିଲ ଅଫିସ୍‌ରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ପାଇଁ ଚାଷୀ ଚେତାବନୀ ଦ‌େଇଛନ୍ତି।

 

ସମ୍ବନ୍ଧିତ ଖବର