ଭିଜିଲାନ୍ସ ଜାଲରେ ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର, ୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ଭୁବନେଶ୍ବର : ଦିନେ ସେ କହୁଥିଲେ, ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି। ଯାହା ଫଳରେ ତଦନ୍ତ ପ୍ରକ୍ରିୟାରେ ଅବକାରୀ ବିଭାଗ ପ୍ରଭାବିତ ହେଉଛି। ଏ ନେଇ ଅବକାରୀ କମିସନରଙ୍କୁ ଚିଠି ମଧ୍ୟ ଲେଖିଥିଲେ। କିନ୍ତୁ ଆଜି ସେହି ଅଫିସର ଜଣକ ନିଜେ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଉଛନ୍ତି ପୁରୀ ଜିଲ୍ଲାର ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା। ସଞ୍ଜୟ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଏହାକୁ ନେଇ ପୁରୀ ଜିଲ୍ଲାରେ ପୁଲିସ ଓ ଅବକାରୀ ବିଭାଗରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ଭିଜିଲାନ୍ସଠାରୁ ମିଳିଥିବା ସୂଚନା ମୁତାବକ, ବୁଧବାର ଦିନ ଅବକାରୀ ଇନ୍ସପେକ୍ଟର ଶ୍ରୀ ପଣ୍ଡା ଏକ କେସ ଡାଏରି ଦାଖଲ କରିବାକୁ ୧୮ ହଜାର ଟଙ୍କା ଦାବି କରୁଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଇନ୍ସପେକ୍ଟର ଶ୍ରୀ ପଣ୍ଡା ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଭିଜିଲାନ୍ସ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ରୁଜୁ କରିଛି। ଭିଜିଲାନ୍ସ ସେହି ଆଧାରରେ ଇନ୍ସପେକ୍ଟର ଶ୍ରୀ ପଣ୍ଡାଙ୍କ ପୁରୀ ସରକାରୀ ବାସଭବନ, ପୈତୃକ ଘର ଅନ୍ୟ ସ୍ଥାନରେ ଚଢ଼ଉ ଚଳାଇଛି। ଭୁବନେଶ୍ବର ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଛି।

ଏଠାରେ ପ୍ରକାଶଥାଉକି, ଦିନେ ଯିଏ ଦୁର୍ନୀତକୁ ବିରୋଧ କରୁଥିଲେ ଆଜି ସେ ନିଜେ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର