ବନାଞ୍ଚଳ ଅଧିକାରୀଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଠାବ

୧.୫୭ ଲକ୍ଷ ନଗଦ ଜବତ, ୩ଟି କୋଠା, ୫ଟି ପ୍ଲଟ୍‌, କାର୍‌

ସୁନ୍ଦରଗଡ଼/ ଟାଙ୍ଗରପାଲି : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ମଣିହୀରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ହସ୍ତଗତ ଖବର ଅନୁସାରେ, ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ପାଖରୁ କୋଟିଏ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।

ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶକ୍ରମେ ୫ଜଣ ଡିଏସ୍‌ପି, ୮ଜଣ ଇନ୍‌ସ୍ପେକ୍ଟର, ୨ ଏସ୍‌ଆଇ ଓ ଅନ୍ୟ କର୍ମଚାରୀ ତାଙ୍କ ଉଜ୍ଜଳପୁର ସରକାରୀ ବାସଭବନ ସମେତ ବଲାଙ୍ଗୀର ନେହରୁ ନଗରରେ ଥିବା ଶ୍ବଶୁର ଘରେ, ବଲାଙ୍ଗୀର ଚନ୍ଦନଭାଟି ପଞ୍ଚାୟତ ବ୍ରାହ୍ମଣୀପାଲିର ପୈତୃକ ଘର ଓ ବୁର୍ଲା ସହରରେ ଏକକାଳୀନ ଚଢ଼ାଉ କରି କୋଟିଏ ଟଙ୍କାର ସମ୍ପତ୍ତି ଠାବ କରିଛି। ଏଯାଏ ସରକାରୀ ବାସଭବନରୁ ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା ସହ ଜୀବନବୀମା ଓ ବ୍ୟାଙ୍କ ଜମା ୩୮ ଲକ୍ଷ, ୩୭୧ ଗ୍ରାମ ସୁନାଗହଣା ମିଳିଛି। ବୁର୍ଲା ସହର ୟୁନିଟ-୧ରେ ତିନିଟି କୋଠା ଠାବ ହୋଇଛି। ସେଥିମଧ୍ୟରୁ ଗୋଟିଏ ତିନି ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ କୋଠା ୧ କୋଟି, ସେଠାରେ ଅନ୍ୟ ଏକ କୋଠା ୧୩.୯୭ ଲକ୍ଷ, ବୁର୍ଲା ସହରର ପ୍ରମୁଖ ଅଞ୍ଚଳରେ ୨୦.୯୩ ଲକ୍ଷର ୫ଟି ମୂଲ୍ୟବାନ ପ୍ଲଟ୍‌, ଗୋଟିଏ ମାରୁତି କାର, ୩ଟି ବାଇକ୍‌ ଓ ୧୪.୩୦ ଲକ୍ଷର ଆସବାବପତ୍ର ଠାବ କରିଛି ଭିଜିଲାନ୍ସ। ତଦନ୍ତ ଓ ଆକଳନ ଚାଲିଥିବାରୁ ଅଧିକାରୀଙ୍କ ସମ୍ପତ୍ତି ବଢ଼ିପାରେ ବୋଲି ଭିଜିଲାନ୍ସ କହିଛି।

ଉଲ୍ଲେଖଯୋଗ୍ୟ ଯେ ବନାଞ୍ଚଳ ଅଧିକାରୀ ଶ୍ରୀ ମଣିହୀରା ସୁନ୍ଦରଗଡ଼ ବନଖଣ୍ଡରେ ବନ ଅଧିକାରୀ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ବନାଞ୍ଚଳ ଅଧିକାରୀ ଭାବେ ପଦୋନ୍ନତି ଦେଇ ତାଙ୍କୁ ବେଲପାହାଡ଼ ବଦଳି କରାଯାଇଥିଲା। ସେଠାରେ କିଛି ବର୍ଷ ବିତାଇବା ପରେ ୫ ବର୍ଷ ତ‌ଳେ ସେ ଉଜ୍ଜଳପୁର ବନାଞ୍ଚଳକୁ ବଦଳି ହୋଇ ଆସିଥିଲେ। ଏହିସମୟରେ ତାଙ୍କ ନାମରେ ଚାରାରୋପଣ ଓ ବନ ଉନ୍ନୟନର ଅନ୍ୟ ଯୋଜନ‌ାରେ ଦୁର୍ନୀତି କରି ବହୁ ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର