‘ବାଲିଯାତ୍ରା ମହୋତ୍ସବକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟର ମାନ୍ୟତା ପ୍ରଦାନ କରାଯାଉ’, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ କଟକରେ ଉଦଘାଟନ ହୋଇଛି ଏତିହାସିକ ବାଲିଯାତ୍ରା ମହୋତ୍ସବ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟର ଗାଥା ବହନ କରିଆସୁଥିବା ଏହି ମହୋତ୍ସବକୁ ଚଳିତ ବର୍ଷ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଏବେ ଏହାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ସେ ଆଜି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଅର୍ଥନୈତିକ ଦୃଷ୍ଟିରୁ ଭାରତ ସରକାର ଦକ୍ଷିଣ ପୂର୍ବ ରାଷ୍ଟ୍ରମାନଙ୍କ ସହ ଉତ୍ତମ ସହଭାଗିତା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପ ଓଡ଼ିଶାର ଏହି ଐତିହ୍ୟ ସମ୍ପନ୍ନ ପରମ୍ପରା ପ୍ରତି ପ୍ରକୃଷ୍ଟ ସମ୍ମାନ ହେବ ବୋଲି ଚିଠିରେ ଦର୍ଶାଯାଇଛି।

କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଲିଯାତ୍ରା (ବୋଇତ ବନ୍ଦାଣ) ଓଡ଼ିଆ ସାଧବ ପୁଅମାନଙ୍କ ବଳିଷ୍ଠ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରିଥାଏ। ପୁରାତନକାଳରେ ଓଡ଼ିଆ ସାଧବ ପୁଅମାନେ ବଡ଼ ବଡ଼ ବୋଇତରେ ଏସିଆ ମହାଦେଶର ଦକ୍ଷିଣ ପୂର୍ବ ଦେଶ ବାଲି, ଜାଭା, ସୁମାତ୍ରା ଦେଶକୁ ବ୍ୟବସାୟ କରିବାକୁ ଯାଉଥିଲେ। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଏହି ଯାତ୍ରା ଆରମ୍ଭ କରାଯାଉଥିଲା। ଓଡ଼ିଶାରେ ଉତ୍ପାଦିତ ଦ୍ରବ୍ୟସବୁ ନେଇ ସେସବୁ ଦେଶରେ ବିକ୍ରିବଟା କରି ଧନ ରତ୍ନ ରାଜ୍ୟକୁ ଆଣୁଥିଲେ। ବ୍ୟବସାୟ ପାଇଁ ସାଧବ ପୁଅଙ୍କ ଯାତ୍ରା ଯୋଗୁଁ କଳିଙ୍ଗ ସଂସ୍କୃତି ଓ ପରମ୍ପରାର ମଧ୍ୟ ବିଦେଶରେ ପ୍ରଚାର ଓ ପ୍ରସାର ଲାଭ କରିଥିଲା। ଏହି ଐତିହ୍ୟସମ୍ପନ୍ନ ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କଟକର ମହାନଦୀ ତଟରେ ବାଲିଯାତ୍ରା ମହୋତ୍ସବ ପାଳନ କରାଯାଇଆସୁଛି।

ମୁଖ୍ୟମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି, ଦକ୍ଷିଣ ପୂର୍ବ ରାଷ୍ଟ୍ରମାନଙ୍କ ସହ ଓଡ଼ିଆ ସଂସ୍କୃତିର ଆଦାନ ପ୍ରଦାନ, ଭାଷା ଶିକ୍ଷା, ରୋଷେଇ ପ୍ରଣାଳୀ, ବସ୍ତ୍ର ପରିପାଟି, ନୃ୍ତ୍ୟ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସୁସମ୍ପର୍କ ସ୍ଥାପନ ହୋଇପାରିଥିଲା। ସମାନ୍ତରାଳ ଭାବେ ଏବର ଇଣ୍ଡୋନେସିଆ ରାଜଧାନୀ ବାଲିରେ ବି ଓ଼଼ଡ଼ିଆ ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଦେଇ ଉସବ ପାଳନ କରାଯାଉଛି। ଯହାକୁ କି ଦୀର୍ଘ ବର୍ଷରୁ କଟକରେ ପାାଳନ କରାଯାଇଆସୁଛି। ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଅବିଚ୍ଛିନ୍ନ ଅଂଶ ଭାବେ ଏହି ମହୋତ୍ସବ କାହିଁ କେତେ କାଳରୁ ଓଡ଼ିଆଙ୍କ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ପ୍ରତିବର୍ଷ ଏହି ମହୋତ୍ସବକୁ ପାଳନ କରୁଥିବା ଶତାବ୍ଦୀ ସହର କଟକ ବି ବାଲିଯାତ୍ରା ଯୋଗୁଁ ବିଶ୍ବ ଦରବାରରେ ପରିଚୟ ସୃଷ୍ଟି କରିଛି। ଏସବୁ ଦୃଷ୍ଟିରୁ ଏପରି ଐତିହ୍ୟ ସମ୍ପନ୍ନ ମେଳାକୁ ଜାତୀୟ ମାନ୍ୟତା ଦେଇ କେନ୍ଦ୍ର ସରକାର ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ପ୍ରତି ଉଚିତ ସମ୍ମାନ ଦେବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଚିଠିରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର