୫ ମାସ ହେଲା ବାହାରିଲାଣି ପରୀକ୍ଷା ଫଳ : ପ୍ରକାଶ ପାଉନି ଯୁକ୍ତ୨ ପୁନଃଯାଞ୍ଚ ମାର୍କ

ଭୁବନେଶ୍ବର : ମେ’ ମାସରୁ ବାହାରିଲାଣି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇ ସାରିଲେଣି। ୫ ମାସର ପାଠପଢ଼ା ବି ସରିବାକୁ ବସିଲାଣି। ଆଉ ଗୋଟିଏ ମାସ ପରେ ସେମାନେ ପ୍ରଥମ ସେମିଷ୍ଟାର ପରୀକ୍ଷା ଦେବେ। ହେଲେ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକର ପୁନଃଯାଞ୍ଚ ଏପର୍ଯ୍ୟନ୍ତ ସରିନି। ମାର୍କ ବଢ଼ିବ ବୋଲି ଆଶା ରଖିଥିବା ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିୟାନ୍ତ ହୋଇଯାଇଥିଲେ ମଧ୍ୟ କର୍ତୃପକ୍ଷଙ୍କର ଏଥିପ୍ରତି ହେୟଜ୍ଞାନ ନାହିଁ। ଆଜି ବାହାରିବ, କାଲି ବାହାରିବ, ୧୦ ଦିନ ପରେ ବାହାରିବ କହି କର୍ତୃପକ୍ଷ ଦିନ ଗଡ଼ାଉଥିବାରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ନାମଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପିଛା ଛାଡ଼ୁନି ବିବାଦ। ଗତଥର ପରୀକ୍ଷା ଆରମ୍ଭରୁ ରେଜଲ୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ, ସବୁବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଶ୍ନପତ୍ର ଲିକ୍‌ ହେବାର ଅଭିଯୋଗ ଆସିଥିଲା। ଏଥିସହ ଖାତା ମୂଲ୍ୟାୟନ ଓ ପରୀକ୍ଷା ଫଳ ପ୍ରକାଶରେ ବି ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହଇରା‌ଣ ହେବାକୁ ପଡ଼ିଥିଲା। ଏବେ ଉତ୍ତର ଖାତାକୁ ନେଇ ପୁଣିଥ‌େର ବିବାଦ ମୁଣ୍ଡ ଟେକିଛି। ପୁନଃଯାଞ୍ଚ ମାର୍କ ପ୍ରକାଶ ପାଇ ନଥିବାରୁ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଭଲ ଯୁକ୍ତ୩ କଲେଜରେ ନାମଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ମେଡ଼ିକାଲ ଓ ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ନାମଲେଖାଇବା ବେଳେ କେତେକ ଛାତ୍ରଛାତ୍ରୀଙ୍କୁ ଭଲ ରୢାଙ୍କ ମିଳିପାରି ନାହିଁ। ସବୁଠାରୁ ବଡ଼ କଥା ହେଲା ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଲାପ୍‌ଟପ୍‌ ତାଲିକା ଆଜି ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନଥିବା ଜଣାପଡ଼ିଛି।

ମେ’ ୧୯ ତାରିଖରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀମାନେ ଉତ୍ତର ଖାତା ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ଜୁନ୍‌ ୪ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଥିଲା। ପରୀକ୍ଷାର୍ଥୀଙ୍କଠାରୁ ପ୍ରତି ପେପର ପିଛା ୨୦୦ ଟଙ୍କା ଲେଖାଏ ନିଆଯାଇଛି। ଆବେଦନ ଶେଷ ହେବା ପରେ ଜୁନ୍‌ ୩ୟ ସପ୍ତାହ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ମିଳିପାରିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ଜୁନ୍‌ ୯ରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ବାହାରିବା କ୍ଷଣି ପୁନଃଯାଞ୍ଚ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନ୍‌ ୨୫ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁନଃଯାଞ୍ଚ ପରୀକ୍ଷା ଫଳ ପ୍ରକାଶ ପାଇପାରି ନାହିଁ। ଚଳିତବର୍ଷ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ଖାତା ପୁନଃଯାଞ୍ଚ ଲାଗି ଆବେଦନ କରିଛନ୍ତି।

ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରେ ଅଧ୍ୟାପକ, ଅଧ୍ୟାପିକାମାନେ ଆନ୍ଦୋଳନ କରିଥିଲେ। ଯେଉଁଥିପାଇଁ ଖାତା ପୁନଃଯାଞ୍ଚ କରାଯାଇପାରି ନଥିଲା। ଏବେ ଖାତା ପୁନଃଯାଞ୍ଚ ସରିଛି। ଖୁବ୍‌ଶୀଘ୍ର ରେଜଲ୍ଟ ପ୍ରକା‌ଶ କରାଯିବ।

ସମ୍ବନ୍ଧିତ ଖବର