ଏଥର ଅନଲାଇନ୍‌ରେ ଧାନ ସଂଗ୍ରହ

ଖରିଫ ଧାନ ସଂଗ୍ରହରେ ସ୍ବଚ୍ଛତା ପାଇଁ ଜିଲ୍ଲାପାଳଙ୍କ ସହ କଥା ହେଲେ ସମବାୟ ମନ୍ତ୍ରୀ
ଶୀଘ୍ର ଅମଳ ହୋଇଥିବା ଜିଲ୍ଲାରେ ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ
୯ଟି ଜିଲ୍ଲାରେ ୧୫୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ ପାଇଁ ନିୟୋଜିତ
ଚଳିତବର୍ଷ ଧାନ ବିକ୍ରି କରିବାକୁ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ପଞ୍ଜୀକୃତ

ଭୁବନେଶ୍ବର : ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ମାଧ୍ୟମରେ କରାଯିବ। ଧାନ ସଂଗ୍ରହ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତ୍ତିତ ୫’ଟି’କୁ କଡ଼ାକଡ଼ି ପାଳନ କରାଯିବ। ଆଜି ଖରିଫ୍ ଧାନ ସଂଗ୍ରହ ନେଇ ଲୋକସେବା ଭବନରେ ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆସନ୍ତା ନଭେମ୍ବର ପହିଲାରୁ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଥିବାରୁ ଚାଷୀମାନଙ୍କୁ ଆଗୁଆ ଅନଲାଇନ୍ ଟୋକନ୍ ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ପଞ୍ଜୀକୃତ ହୋଇଥିବା ଚାଷୀଙ୍କଠୁ ଧାନ ସଂଗ୍ରହ କରାଯିବ। ଧାନ ବିକ୍ରି କରିଥିବା ଚାଷୀଙ୍କୁ ଯେପରି ୨୪ ଘଣ୍ଟାରୁ ୪୮ ଘଣ୍ଟା ମଧ୍ୟରେ ଅନଲାଇନ୍ ଯୋଗେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାପ୍ୟ ପ୍ରଦାନ କରାଯିବ। ଜିଲ୍ଲା ସ୍ତରରେ ଥିବା ପ୍ୟାକ୍ସ, ଲ୍ୟାମ୍ପସଗୁଡ଼ିକରେ ଅବିରତ ଇଣ୍ଟରନେଟ ସୁବିଧା ଉପଲବ୍ଧ କରିବାକୁ ବୈଠକରେ ଆଲୋଚନା କରାଯାଇଛି।

ଗୁରୁବାର ଲୋକସେବା ଭବନରେ ଖରିଫ ଧାନ ସଂଗ୍ରହ ନେଇ ଭିଡିଓ କନଫରେସିଂ ଜରିଆରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିଲେ। ଧାର୍ଯ ସମୟରେ ଧାନ କିଣାଯିବା ସହ ମିଲରମାନେ ଯେପରି ସଂଗୃହୀତ ଧାନକୁ ଚାଉଳ କରି ସରକାରଙ୍କୁ ଠିକ୍ ସମୟରେ ହସ୍ତାନ୍ତର କରିବେ ସେଥିପାଇଁ ଏବେଠୁ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯-୨୦ ବିପଣନ ବର୍ଷ ପାଇଁ ସରକାର ମୋଟ ୬୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖରିଫ ଋତୁରେ ୫୦ ଲକ୍ଷ ମେଟ୍ରିକ ଟନ୍ ଓ ରବି ଋତୁରେ ୧୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ। ଯେଉଁସବୁ ଜିଲ୍ଲାରେ ଶୀଘ୍ର ଧାନ ଅମଳ ହୋଇଥିବ ସେସବୁ ଜିଲ୍ଲାଗୁଡ଼ିକରେ ନଭେମ୍ବର ପହିଲାରୁ ୧୫ ତାରିଖ ଭିତରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ। ବିଳମ୍ବରେ ଅମଳ ହୋଇଥିବା ଜିଲ୍ଲାଗୁଡ଼ିକରେ ନଭେମ୍ବର ୧୬ରୁ ୩୦ ତାରିଖ ମଧ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବ। ଧାନ ସଂଗ୍ରହ କରିବା ପୂର୍ବରୁ କଷ୍ଟମ ମିଲରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ମିଲରମାନେ ପୂର୍ବ ବର୍ଷର ଶତପ୍ରତିଶତ ଚାଉଳ ସରକାରଙ୍କୁ ହସ୍ତାନ୍ତର କରି ନ ଥିବେ ସେମାନଙ୍କୁ ଏଥରକ ଧାନ ପ୍ରଦାନ କରାଯିବନି। ଏଥରକ ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଆଦି ୯ଟି ଜିଲ୍ଲାରେ ୧୫୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ କରାଯିବ। ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗୀକରଣ କାର୍ଯ୍ୟକୁ ଚଳିତମାସ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ। ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗ ଆସିଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣି ଥରେ ସେ ସ୍ପଷ୍ଟ କରି ଦେଇଥିଲେ। ଏଥିପାଇଁ ବରିଷ୍ଠ ଅଧିକାରୀମାନେ ନିୟମିତ ଜିଲ୍ଲା ଗସ୍ତ କରି ତଦାରଖ କରିବେ। ଏହି ଆଲୋଚନା ବେଳେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ କମିସନର ବୀରବିକ୍ରମ ଯାଦବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍. ମୁଥୁକୁମାରଙ୍କ ସମେତ ସମବାୟ ସମିତି ସମୂହ ନିବନ୍ଧକ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର