ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ଧୁମଧାମ୍‌ରେ ପାଳିତ ହେଲା ନୂଆଁଖାଇ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ସର୍ବତ୍ର ଆନନ୍ଦ ଉଲ୍ଲାସ ଓ ଭାଇଚାରାର ସହ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ। କୁହାଯାଏ, ପେଟପାଟଣାର ପର୍ବ, ଜୀବନଜୀବିକାର ପର୍ବ, ଚାଷ ଓ ଚାଷୀର ପର୍ବ ହେଉଛି ନୂଆଁଖାଇ। ପୁଣି ଭାଇଚାରା ଓ ମିଳନର, ସ˚ସ୍କୃତି ଓ ସ୍ବାଭିମାନର ପର୍ବ ନୂଆଁଖାଇ। ଏହା ଆଜି ପୁଣିଥରେ ପ୍ରମାଣିତ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରତିଟି ଗାଁ ଓ ସହରରେ। ପ୍ରତି ଘରେ ଓ ପ୍ରତି ପରିବାରରେ। ସବୁ ମନୋମାଳିନ୍ୟ ଭୁଲି ଏକତା ଓ ମମତାର ଡୋରିରେ ବାନ୍ଧି ହୋଇ ଯାଇଛନ୍ତି ଆବାଳ ବୃଦ୍ଧବନିତା। ସମସ୍ତଙ୍କ ମନରେ ଖୁସି। ନିଜର ପହିଲି ଫସଲ ଇଷ୍ଟଦେବୀଙ୍କୁ ଅର୍ପଣ କରିଛନ୍ତି। ଆଉ ତାଙ୍କ ଆଶୀର୍ବାଦ ନେଇ ପରିବାରର ସମସ୍ତଙ୍କ ସହ ମିଶି ନୂଆଁ ଖାଇଛନ୍ତି। ଆଗକୁ ପୂରା ବର୍ଷ ଭଲରେ କଟିବ ବୋଲି ସମସ୍ତେ ଆଶାପୋଷଣ କରିଛନ୍ତି।

ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ମଙ୍ଗଳବାର ସକାଳ ଠିକ୍‌ ୧୦ଟା ୫ରୁ ୧୦ଟା ୨୦ ମଧୢରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନବାନ୍ନ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶଙ୍ଖ ବଜାଇ ପଟୁଆରରେ ନେଇ ପୂଜକଗଣ ମନ୍ଦିରରେ ପହଞ୍ଚିଥିଲେ। ନିର୍ଧାରିତ ଲଗ୍ନରେ ମନ୍ଦିର ଭିତରୁ ଶଙ୍ଖ ଧ୍ବନି ଶୁଭିବା ମାତ୍ରେ ଘଣ୍ଟ, ଶଙ୍ଖ, ନିସାନ୍‌, ମାଦଲ୍‌ ଆଦି ବାଦ୍ୟ ଧ୍ବନିରେ ପରିସର ଦୁଲୁକି ଉଠିଥିଲା। ମାଁଙ୍କ ପାଖରେ ଭୋଗ ଲାଗିଲା ପରେ ପୂଜକମାନେ ବେଢ଼ା ପୂଜା ସହ ପାର୍ଶ୍ବ ଦେବଦେବୀଙ୍କୁ ନବାନ୍ନ ଲାଗି କରିଥିଲେ। ଏହାପରେ ମାଁଙ୍କ ନିକଟରେ ସ୍ବତନ୍ତ୍ର ଆଳତି କରା ଯାଇଥିଲା। ନବାନ୍ନ ଅର୍ପଣ ପରେ ମନ୍ଦିରର ଦ୍ବାର ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲି ଦିଆ ଯାଇଥିଲା। ମଙ୍ଗଳବାର ଭୋରରୁ ପୂଜକମାନେ ମାଁଙ୍କୁ ନୂଆ ବସ୍ତ୍ର, ଅଳଙ୍କାରରେ ସଜ୍ଜିତ କରିଥିଲେ। ପୂଜକମାନଙ୍କ ଘରେ ସ˚ପୂର୍ଣ ନିଷ୍ଠା ଓ ନୀତି ନିୟମର ସହ ନୂଆ ଧାନରେ ମାଁଙ୍କ ପାଇଁ ନବାନ୍ନ ଭୋଗ (ନୂଆ ଚାଉଳ), ଖିରି, ପିଠା, ସାରୁ ଶାଗ ଆଦି ପ୍ରସ୍ତୁତ ହୋଇଥିଲା।

ସେହିପରି ପାଟଣାଗଡ଼ରେ ମାଁ ପାଟଣେଶ୍ବରୀଙ୍କଠାରେ ଅତ୍ୟନ୍ତ ନିଷ୍ଠାର ସହ ନବାନ୍ନ ଭୋଗ ଲାଗି ହୋଇଥିଲା। ବଲାଙ୍ଗୀରରେ ମାଁ ସମଲେଶ୍ବରୀଙ୍କୁ ଭାବ ଓ ଭକ୍ତିର ସହ ନୂଆଁ ଭୋଗ ଅର୍ପଣ କରା ଯାଇଥିଲା। ସୋନପୁରରେ ଅଧିଷ୍ଠତ୍ରୀ ଦେବୀ ସୁରେଶ୍ବରୀଙ୍କଠାରେ ନୀତି ନିଷ୍ଠାର ସହ ନୂଆ ଅନ୍ନ ଲାଗି ହୋଇଥିଲା। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରପାଲି ସମେତ ବିଭିନ୍ନ ସହର ଓ ଗାଁରେ ସେଠାକାର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରା ଯାଇଥିଲା। ଗାଁମାନଙ୍କରେ ଝାଙ୍କରମାନେ ଗ୍ରାମ ଦେବଦେବୀଙ୍କୁ ପୂଜା କରିଥିଲେ। ଚାଷୀମାନେ ନିଜ କ୍ଷେତ (ବିଲ)କୁ ଯାଇ ଧରଣୀ ମାତାଙ୍କୁ ପୂଜା କରିଥିଲେ। ନୂଆଁଖାଇ ଅବସରରେ ଗୋମାତାଙ୍କୁ ବି ପୂଜାର୍ଚନା କରା ଯାଇଥିଲା। ନୂଆ ଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା। ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆଁ ଅନ୍ନ ପ୍ରସାଦ ବାଣ୍ଟି ଥିଲେ। ତାହାକୁ ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ। ନୂଆଁ ଖାଇ ସାରିବା ପରେ ଗୁରୁଜନମାନଙ୍କୁ ଜୁହାର‌୍‌, ମୁଣ୍ତିଆ ମାରି ଆଶୀର୍ବାଦ ନେବାର ନିଆରା ପର˚ପରା ଆରମ୍ଭ ହୋଇଥିଲା। ସାନମାନେ ବଡ଼ମାନଙ୍କୁ ଜୁହାର ଭେଟ୍‌ ହୋଇଥିଲେ। ପରିବାର ସଦସ୍ୟଙ୍କ ପରେ ଗାଁ, ପଡ଼ାର ବନ୍ଧୁ, ପଡେ଼ାଶୀଙ୍କୁ ଭେଟି ଜୁହାର‌୍‌ ଭେଟ୍‌ ହୋଇଥିଲେ।

ଅପରାହ୍‌ଣରୁ ଗାଁମାନଙ୍କରେ ଖେଳ, କୁଦ, ନାଚ, ଗୀତ, ଭଜନ, କୀର୍ତନ ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିଲା ଯାହା ରାତି ଯାଏ ଚାଲିଥିଲା। ସହରମାନଙ୍କରେ ବି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ପଶ୍ଚିମ ଓଡ଼ିଶାର ସବୁ ମନ୍ଦିରରେ ଦେବଦେବୀଙ୍କ ଦର୍ଶନ ପାଇଁ ଅପରାହ୍‌ଣରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଧାଡ଼ି ଲମ୍ବିଥିଲା। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଲୋକଙ୍କ ଜୀବନଧାରା ଅନ୍ୟତମ ଅଂଗ ପାଲଟି ଥିଲାବେଳେ ଆଜି ନୂଆଁଖାଇ ଶୁଭେଚ୍ଛା ବାର୍ତ୍ତାରେ ଏଗୁଡ଼ିକ ଛାଇ ଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର