ନୂଆପଡା, ଅତାବିରା, ହିନ୍ଦୋଳ ଏନ୍‌ଏସି ନିର୍ବାଚନ ମାମଲା : ପୂର୍ଣ୍ଣାଙ୍ଗ ଶୁଣାଣି ଏପ୍ରିଲ ୫ରେ; ରହିତାଦେଶ ଜାରି

କଟକ : ନୂଆପଡା, ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଘଂନ ହୋଇଥିବା ଦର୍ଶାଇ ରୁଜୁ ୩ଟି ପୃଥକ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲର ପୂର୍ଣ୍ଣାଙ୍ଗ ଶୁଣାଣି ଏପ୍ରିଲ ୫ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ୨୦୧୮, ମାର୍ଚ୍ଚ ୬ ତାରିଖରେ ନୂଆପଡା ଏନ୍‌ଏସିର ନିର୍ବାଚନ ଉପରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ଓ ନିର୍ବାଚନ କମିସନଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ମାମଲାରେ ଦାଖଲ ଜବାବରେ ଦର୍ଶାଯାଇଛି ଯେ ୩ଟି ଏନଏସିର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ନେଇ ନୂଆପଡା, ବରଗଡ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳମାନେ ୨୦୧୭, ଅକ୍ଟୋବର ୧ ସୁଦ୍ଧା ବିଜ୍ଞପ୍ତି ଜାରି କରିଥିଲେ। ଏପରି ବିଜ୍ଞପ୍ତିକୁ ଆଧାର କରି ୨୦୧୮, ଫେବ୍ରୁଆରି ୨୬ରେ ରାଜ୍ୟ ସରକାର ଏହି ୩ଟି ଏନଏସି ନିର୍ବାଚନ ସଂପର୍କରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ପରେ ନିର୍ବାଚନ ପ୍ରକ୍ରିୟା ସଂପର୍କରେ ମାର୍ଚ୍ଚ ୬ରେ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ୍‌ ପ୍ରକାଶ ପାଇଥିଲା। ନୂଆପଡା, ଅତାବିରା ଓ ହିନ୍ଦୋଳ ଏନଏସିର ନିର୍ବାଚନ ତାରିଖ, ପ୍ରାର୍ଥୀପତ୍ର ଦାଖଲ, ପ୍ରତ୍ୟାହାର ଓ  ଭୋଟ ଗ୍ରହଣ ସହ ଗଣତି ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ କମିସନ୍‌। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏହି ୩ଟି ଏନ୍‌ଏସିର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଏପ୍ରିଲ ୧୨ ତାରିଖରେ ପୂରୁଥିବା ବେଳେ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସରିବା ଉଚିତ। ଏଥି ପାଇଁ ମାର୍ଚ୍ଚ ୬ରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ସମ୍ବନ୍ଧିତ ଖବର