ଦିଲ୍ଲୀରେ ଓଡ଼ିଆ ଯୁବ ଡାକ୍ତରଙ୍କ କରୋନାରେ ମୃତ୍ୟୁ

ପତ୍ନୀ ଓ ଦୁଇ ଛୋଟ ଝିଅ ବି ଆକ୍ରାନ୍ତ

ନୂଆଦିଲ୍ଲୀ/କଟକ : ନୂଆଦିଲ୍ଲୀରେ କରୋନା ସଂକ୍ରମଣରେ ଜଣେ ଯୁବ ଓଡ଼ିଆ ଡାକ୍ତର ପ୍ରାଣ ହରାଇଛନ୍ତି। ତାଙ୍କ ପତ୍ନୀ ଓ ଦୁଇ ଛୋଟ ଝିଅ ବି ଏଥିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି। ଏଭଳି ଏକ ଘଟଣା ଅନେକଙ୍କୁ ସ୍ତବ୍ଧଚକିତ କରି ଦେଇଛି। ନୂଆଦିଲ୍ଲୀର ସକେଟ୍ ଅଞ୍ଚଳରେ ରହୁଥିବା ଏହି ମୃତ ଯୁବ ଓଡ଼ିଆ ଡାକ୍ତର ହେଲେ ଅଶ୍ବିନୀ କୁମାର ପ୍ରତାପ (୪୦)। ନୂଆଦିଲ୍ଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ଆଣ୍ଡ ଫ୍ୟାମିଲ ୱେଲଫେୟାର (ଏନଆଇଏଚ୍‌ଏଫ୍‌)ରେ କାର୍ଯ୍ୟରତ ଡାକ୍ତର ପ୍ରତାପ ଗଲା ୧୩ ତାରିଖରେ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା। ତାଙ୍କୁ ରାଜୀବ ଗାନ୍ଧୀ ସୁପର‌ ସ୍ପେଶାଲିଟି ହସପିଟାଲରେ ଭର୍ତି କରାଯାଇଥିଲା। ଚିକିତ୍ସା କରାଯାଉଥିବା ବେଳେ ଆଜି ସେଠାରେ ତାଙ୍କର ପରଲୋକ ଘଟିଛି। ଅନ୍ୟପଟେ ତାଙ୍କର ପତ୍ନୀ ଓ ସାଢେ ତିନି ବର୍ଷର ଦୁଇ ଝିଅ ମଧ୍ୟ କରୋନାରେ ସଂକ୍ରମିତ ଥିବା ସୂଚନା ମିଳିଛି। ସେମାନେ କିଛି ଦିନ ତଳେ ଓଡ଼ିଶା ଫେରି ଆସିଥିବା ବେଳେ ଭୁବନେଶ୍ବରର କିମ୍ସରେ ରହି ଚିକିତ୍ସିତ ହେଉଛନ୍ତି।

ମୃତ ଡାକ୍ତର ପ୍ରତାପ ହେଉଛନ୍ତି କଟକ ଜିଲ୍ଲା ଡମପଡ଼ା ବ୍ଲକ ସିମିଳିପୁର ଅଞ୍ଚଳର ମୂଳ ବାସିନ୍ଦା। ତାଙ୍କର ବାପା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ହୋଇଥିବା ବେଳେ ତାଙ୍କର ପରଲୋକ ଘଟିଛି। ଗାଁରେ ଡାକ୍ତର ପ୍ରତାପଙ୍କର ମା ଓ ଭାଇ ରହୁଛନ୍ତି। ଡାକ୍ତର ପ୍ରତାପ ବ୍ରହ୍ମପୁରର ଏମ୍‌କେସିଜି କଲେଜ୍‌ ଆଣ୍ଡ ହସ୍ପିଟାଲରେ ଏମବିବିଏସ୍ ଓ ପିଜି ଶିକ୍ଷା ଶେଷ କରିବା ପରେ ଦିଲ୍ଲୀ ଯାଇ ସେଠାରେ ଚାକିରି କରିଥିଲେ। ସେ ପୂର୍ବରୁ କିଛି ବର୍ଷ ଡବ୍ଲୁଏଚ୍‌ଓର ଅଧିକାରୀ ଭାବେ ପଶ୍ଚିମବଙ୍ଗରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଦିଲ୍ଲୀରେ ତାଙ୍କର ଆଉ କେହି ପରିବାର ଲୋକ ନ ଥିବାରୁ ହସ୍ପିଟାଲରେ ତାଙ୍କ ମୃତଦେହକୁ ରଖା ଯାଇଛି। ଡବ୍ଲୁଏଚଓର ଓଡ଼ିଶା ଟିମ୍ ଲିଡର ଡାକ୍ତର ନିହାର ରଏ ଡାକ୍ତର ପ୍ରତାପଙ୍କ ସଂପର୍କରେ ଦିଲ୍ଲୀ ସରକାରଙ୍କ ସହ ଯୋଗାଯୋଗ ରଖିଥିବା ସୂଚନା ମିଳିଛି।

ଏହାସହିତ କରୋନା ଯୋଗୁଁ ଦିଲ୍ଲୀ ଅଞ୍ଚଳରେ ୯ ଜଣ ପ୍ରବାସୀ ଓଡ଼ିଆଙ୍କର ମୃତ୍ୟୁ ଘଟିଲାଣି। ଏହାସହିତ କରୋନା ରୋଗରେ ପୀଡ଼ିତ ଅନେକ ପ୍ରବାସୀ ଓଡ଼ିଆ ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର