‘ଇଫି ୨୦୨୨’ର ଭାରତୀୟ ପାନୋରାମା ବିଭା‌ଗରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଖୁସୀ ଖବର । ଆସନ୍ତା ମାସରେ ଗୋଆରେ  ଅନୁଷ୍ଠିତ ହେବାକୁ ଥିବା ସମ୍ମାନଜନକ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର (ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ) ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି ଓଡ଼ିଆ ଛବି ‘ପ୍ରତୀକ୍ଷା’। ‘ଜୟ ଭୀମ୍’, ‘ଆରଆରଆର’ ଓ ‘କଶ୍ମୀର ଫାଇଲ୍ସ’ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ସହ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହେବା ନେଇ ‘ଇଫି ୨୦୨୨’ ପକ୍ଷରୁ ଘୋଷଣା କରାଯାଇଛି।

ଚଳିତ ଥର ଭାରତୀୟ ପାନୋରାମାରେ ମୋଟ ୨୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଚୟନିତ ହୋଇଛି । ଏହି ୨୫ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ରଭାବେ ‘ପ୍ରତୀକ୍ଷା’ ମନୋନୀତ ହୋଇଛି । ଏଥର ୪ଟି ହିନ୍ଦୀ, ୩ଟି ଲେଖାଏଁ ମରାଠୀ ଓ ତାମିଲ ଚଳଚ୍ଚିତ୍ର, ୨ଟି ଲେଖାଏଁ କନ୍ନଡ, ତେଲଗୁ, ମାଲାୟାଲମ ଚଳଚ୍ଚିତ୍ର ତାଲିକାରେ ରହିଛି । ସେହିପରି ଗୋଟିଏ ବଙ୍ଗଳା ଓ ଇରୁଲା ଚଳଚ୍ଚିତ୍ର ବି ପ୍ରଦର୍ଶିତ ହେବ ।

ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ । ଗୋଆ ଚଳଚ୍ଚିତ୍ର ଉତ୍ସବ ପରି ଅନ୍ତର୍ଜାତୀୟସ୍ତରରେ  ଚଳଚ୍ଚିତ୍ର ଉତ୍ସବରେ ଦେଶର କେତୋଟି ବଛା ବଛା ଫିଚର ଫିଲ୍ମ ବର୍ଗରେ ସ୍ଥାନ ପାଇବା କେବଳ ‘ପ୍ରତୀକ୍ଷା’ ପାଇଁ ନୁହେଁ, ସମଗ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଗୌରବର କଥା ବୋଲି ମନେକରାଯାଉଛି।

୫୩ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ।

ଅନୁମପ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’  ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ଓ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଅଙ୍କେଶ-ଆଶିଷ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଗୀତ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର