ମାଲ୍‌ ‌ବୋଝେଇ ଗାଡ଼ିରେ ରଜନୀକାନ୍ତଙ୍କ ଶୈଳୀରେ ଟମାଟୋ ଭର୍ତ୍ତି କରି ଭାଇରାଲ୍‌ ହେଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଆପଣ ଅନେକ ଯୁଗାଡ଼ ଭିଡିଓ ଦେଖିଥିବେ। ବେଳେ ବେଳେ ସେହି ଭିଡିଓ ସବୁ ଦେଖିଲେ ଆଶ୍ଚର୍ଯ୍ୟ ବି ଲାଗେ ଯେ କିପରି ଲୋକେ ଜୀବନକୁ ଏତେ ସହଜ କରିପାରୁଛନ୍ତି। ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ଜଣେ ଯୁବକ ଏକ ନିଆରା ତରିକାରେ ବିଲାତି ବାଇଗଣ(ଟମାଟୋ)କୁ ମାଲ୍‌ ବୋଝଇ ଗାଡ଼ିରେ ଭର୍ତ୍ତି କରୁଛନ୍ତି।

ଏହି ଭିଡିଓଟି ସାଗର ନାମକ ଏକ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ଟମାଟୋ ଝୁଡ଼ିକୁ ଯେପରି ଭାବେ ସମସ୍ତେ ଗାଡ଼ିରେ ବୋଝଇ କରନ୍ତି ସେପରି କରୁନାହାନ୍ତି। ଧାଡ଼ି ହୋଇ ଅନେକ ଟମାଟୋ ଭର୍ତ୍ତି ବାଲ୍‌ଟି ଥୁଆ ହୋଇଛି। ସେହି ବାଲ୍‌ଟିରୁ ଗୋଟାଏ ଗୋଟାଏ ଧରି ଯୁବକ ସେହି ଗାଡ଼ି ଉପରୁ ଫିଙ୍ଗୁଛନ୍ତି। ଗାଡ଼ି ଭିତରେ ଟମାଟୋ ପଡ଼ିଯିବା ସହ ବାଲ୍‌ଟି ଆସି ବାହାରେ ପଡୁଛି। ଏହି ନିଆରା ଭିଡିଓକୁ ଦେଖି ‌ଅନେକ ଲୋକ ଯୁବକଙ୍କ ପ୍ରଶଂସା କରୁଛନ୍ତି।

ଏହି ଭିଡିଓଟି ଟ୍ବିଟର୍‌ରେ ସେୟାର ‌ହେବା ପରେ ୧୦ ମିଲିୟନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି। ଯୁବକଙ୍କ ଦକ୍ଷତା ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହୋଇଛନ୍ତି। ତାଙ୍କର ଏପରି ନିଆରା ଶୈଳୀ ପାଇଁ ତାଙ୍କୁ ପୁରସ୍କୃତ କରାଯିବା ଉଚିତ ବୋଲି କିଛି ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି। କେହି କେହି ଏଥିରେ ରଜନୀକାନ୍ତଙ୍କ ଶୈଳୀ ବୋଲି ବି ଲେଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଏହା ଏକ ଖୁବ୍ ନିଆରା ଦକ୍ଷତା। ସେହିପରି ଅନ୍ୟ ଜଣେ ଲେଖିଛନ୍ତି କି ଏହା ବିଜ୍ଞାନ ଅଟେ।

ସମ୍ବନ୍ଧିତ ଖବର