‌ବଜେଟ୍‌ ୨୦୨୧-୨୨ର ଲକ୍ଷ୍ୟ: ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା, ଅଭାବ ସତ୍ତ୍ବେ ଅଜାଡ଼ିଲେ

୧ଲକ୍ଷ ୭୦ ହଜାର କୋଟିର ବଜେଟ୍‌
୨୬% ବଢ଼ିଛି ବଜେଟ୍ ଆକାର
ଫୋକସରେ ସ୍ବାସ୍ଥ୍ୟ,ପିଇବା ପାଣି, ଏମ୍‌ଏସ୍‌ଏମ୍ଇ
ଶିକ୍ଷା, ପର୍ଯ୍ୟଟନ,କ୍ରୀଡ଼ାକୁ ବି ଅଧିକ ଅନୁଦାନ
ଗମନାଗମନ ଓ ଗୃହ ନିର୍ମାଣ ମୁଖ୍ୟ କାର୍ଡ
ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି

ଭୁବନେଶ୍ବର : କୋଭିଡ୍‌ରେ ଅସ୍ତବ୍ୟସ୍ତ ହୋଇଯାଇଥିଲା ଓଡ଼ିଶା। ବିପର୍ଯ୍ୟସ୍ତ ହୋଇଯାଇଥିଲା ଅର୍ଥନୀତି। ବିକାଶ ସଙ୍କୁଚିତ ହୋଇଯାଇଥିଲା। ଏହାସତ୍ତ୍ବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଏକ ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୧ଲକ୍ଷ ୭୦ ହଜାର କୋଟି ଟଙ୍କା। ୨୦୨୦-୨୧ ସଂ‌‌ଶୋଧିତ ଆକଳନ ଅନୁସାରେ ଏହା ୨୬% ଅଧିକ।

ଏ ମଧ୍ୟରେ ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୭୫ ହଜାର କୋଟି ଟଙ୍କା,
ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩୦୫୦ କୋଟି ଟଙ୍କା, ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬୯୫୦ କୋଟି ରହିଛି। ଏହାବ୍ୟତୀତ ଓଡ଼ିଶା ଖଣିଜ ସଂପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡ୍‌ସି), ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍) ଓ ସରକାରୀ ଉଦ୍ୟୋଗମାନଙ୍କ ଠାରୁ ୮ ହଜାର କୋଟି ଟଙ୍କା ବଜେଟ୍ ବହିର୍ଭୂତ ସମ୍ବଳ ବ୍ୟୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଯଦିଓ ୨୦୨୦-୨୧ରେ ୧ଲକ୍ଷ ୫୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଇଥିଲା, କରୋନା ପରିସ୍ଥିତିରେ ସଂଶୋଧିତ ଅଟକଳ ପରିମାଣ ୧ଲକ୍ଷ ୩୫ ହଜାର କୋଟିକୁ ଖସିଯାଇଥିଲା। ଏହାପରେ ପାଖାପାଖି ୩୫ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ ପାଇଁ ସରକାର ଆସନ୍ତା ବର୍ଷ ଲାଗି ସାହସ ଦେଖାଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ ମହାମାରୀ କାରଣରୁ ରାଜ୍ୟ ଅର୍ଥନୀତି ଶିଥିଳ ପଡ଼ିଯାଇଥିଲା। ଏବେ ଅର୍ଥନୀତିରେ ପୁନରୁଦ୍ଧାର ଲକ୍ଷଣ ଦେଖାଗଲାଣି। ଏଣୁ ସରକାର ପ୍ରଗତିର ମୂ​ଳଧାରାକୁ ଫେରିଆସିବା ଲାଗି ନିଷ୍ପତ୍ତି ନେଇଛନ୍ତି ଓ ଏକ ପରିବର୍ତ୍ତିତ ନୂତନ ଓଡ଼ିଶାର ପରିକଳ୍ପନା କରାଯାଇଛି।

ସରକାର ଦାବି କରିଛନ୍ତି ଯେ ଏହି ବଜେଟ୍‌ରେ ଏକ ପରିବର୍ତ୍ତନକାରୀ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି। ଏହାବ୍ୟତୀତ ସରକାର କୃଷି, ଶିକ୍ଷା, ଜୀବନ- ଜୀବିକା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଦକ୍ଷତା ବିକାଶ, କ୍ରୀଡ଼ା, ପର୍ଯ୍ୟଟନ ଓ ସଂସ୍କୃତି ଉପରେ ବଜେଟ୍‌ରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି।

କିନ୍ତୁ ବଜେଟ୍‌କୁ ନିରେଖି ଦେଖିଲେ, ଗୋଟିଏ କଥା ବୁଝାପଡ଼ିଯାଉଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିବା ଏବଂ ଅଧାପନ୍ତରିଆ ରହିଯାଇଥିବା ଅନେକ କାର୍ଯ୍ୟକ୍ରମ ଓ ଯୋଜନା ଉପରେ ଏହି ବଜେଟ୍‌ରେ ସରକାର ଅର୍ଥ ବରାଦ କରିଛନ୍ତି। କେବଳ ସେତିକି ନୁହେଁ, ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସନ୍ତାବର୍ଷ ହେବାର ସମ୍ଭାବନା ରହିଥିବା ପରିପ୍ରେକ୍ଷୀରେ ଉଭୟ ଓ ଗାଁ ଏବଂ ସହରରେ କେତେ ଅଧିକ ଖର୍ଚ୍ଚ ହେବ, ତାହା ଉପରେ ମୁଖ୍ୟତଃ ଦୃଷ୍ଟି ଦିଆଯାଇଥିବା ସଙ୍କେତ ମିଳୁଛି। ବିଜେଡି ଇସ୍ତାହାରରେ ଯେଉଁ ସବୁ ସଂକଳ୍ପ ନିଆଯାଇଥିଲା, ତାର ଦ୍ରୁତ କାର୍ଯ୍ୟକ୍ରମ ଲାଗି ବଜେଟ୍‌ରେ ବିପୁଳ ଅର୍ଥ ବ୍ୟୟବରାଦ ହୋଇଛି।

କୋଭିଡ୍‌ ପରବର୍ତ୍ତୀ ପରିସ୍ଥିତିରେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ସେବାକୁ ସରକାର ଅଧିକ ଫୋକସ୍‌ କରିଛନ୍ତି। ଏହିକ୍ରମରେ ଏସ୍‌ସିବି ଭେଷଜ ମହାବିଦ୍ୟାଳୟକୁ ଏମ୍‌ସ ପ୍ଲସରେ ରୂପାନ୍ତରିତ ଯୋଜନାରେ ୫୦୦କୋଟି ବରାଦ ହୋଇଛି। ତୃଣମୂଳସ୍ତର ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସରକାର ଅଧିକ ଗୁରୁତ୍ବ ଦେଇ ତା’ ପାଇଁ ଅର୍ଥ ବରାଦ କରିଛନ୍ତି। ପୁରୀରେ ଅବଢ଼ା ଯୋଜନାକୁ ୫୪୨ କୋଟି, ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଥିବା ୬୫ ଏକର ଜମିର ବିକାଶ ଲାଗି ହୋଇଥିବା ଏକାମ୍ର ଯୋଜନାରେ ୨୦୦ କୋଟି, ସମଲେଇ ଯୋଜନା ଅଧୀନରେ ୨୦୦ କୋଟି ଏବଂ ରାଉରକେଲାରେ ୧୫ ଏକରରୁ ଅଧିକ ଜମିରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ପାଇଁ ୯୦ କୋଟିର ଅର୍ଥ ବରାଦ କରାଯାଇଛି। ଆସନ୍ତା ଦିନ ପାଇଁ ଏସୁବୁକୁ କାର୍ଡ ଧରି ସରକାର ନିର୍ବାଚନ ଗୋଟିଚାଳନା କରିବା ସମ୍ଭାବନାକୁ ଏଡ଼ାଇଦେଇ ହେବ ନାହିଁ।

ଅନ୍ୟପକ୍ଷରେ ଚାଷୀ ଅସନ୍ତୋଷ ନୂଆଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିବା ପରିପ୍ରକ୍ଷୀରେ ଏଥର କୃଷି ବଜେଟ୍‌ ଆକାର ୧୭ ହଜାର ୪୬୯ କୋଟି ଟଙ୍କା ଥିଲେ ହେଁ ବଜେଟ୍‌ ବାହାର ଅର୍ଥକୁ ମିଶାଇ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସରକାର କାଳିଆ ଯୋଜନାରେ ୧୮୦୦ କୋଟି ବରାଦ କରିଛନ୍ତି। ରାଷ୍ଟ୍ରୀୟ କୃଷି ବିଜ୍ଞାନ ଯୋଜନାରେ ୪୫୦ କୋଟି, ସବୁ ପ୍ରମୁଖ ନଦୀରେ ଜଳ ସଂରକ୍ଷଣ ପାଇଁ ୭୯୫ କୋଟି, କୃଷକମାନଙ୍କୁ ସୁଧ ଛାଡ଼ ବାବଦରେ ୮୧୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାବ୍ୟତୀତ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ପୂର୍ବ ତୁଳନାରେ ପ୍ରାୟ ୧୭% ଅଧିକ ଅର୍ଥ ବରାଦ ହୋଇଛି।

ସ୍ବାସ୍ଥ୍ୟ (୧୩ ହଜାର କୋଟି) ଭଳି ପାନୀୟ ଜଳ କ୍ଷେତ୍ରରେ ଏଥର ରେକର୍ଡ ଅର୍ଥ ବରାଦ କରାଯାଇଛି। ପାଖାପାଖି ୧୨ ହଜାର କୋଟି ଟଙ୍କା ଏ କ୍ଷେତ୍ରରେ ଖର୍ଚ୍ଚ ହେବ। ୭୦ଲକ୍ଷ ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ ବଜେଟ୍‌ରେ ଅର୍ଥ ବରାଦ ହୋଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗମନାଗମନ ବ୍ୟବସ୍ଥାର ବିକାଶ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଲାଗି ମିସନ ଶକ୍ତି ଗୃହ, ଅପପୁଷ୍ଟି ବା କୁପୋଷଣ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ସରକାର। ଏସବୁ ପାଇଁ ବଜେଟ୍‌ରେ ବଡ଼ ପରିମାଣର ଅର୍ଥ ଦିଆଯାଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଆସନ୍ତାବର୍ଷ ୫ଲକ୍ଷ ଗୃହ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସହରାଞ୍ଚଳରେ ମଧ୍ୟ ୨୦ ହଜାର ବାସଗୃହ ନିର୍ମାଣ ଲକ୍ଷ୍ୟ ରହିଛି। ଏହା ଏକ ବଡ଼ ନିର୍ବାଚନୀ କାର୍ଡ ହେବ ବୋଲି ସଙ୍କେତ ମିଳିଛି। ଅନ୍ୟପକ୍ଷରେ ମନରେଗାରେ ୫୦୦ କୋଟିର କର୍ପସ ଫଣ୍ଡ ଏବଂ ମୌ​ଳିକ ସେବା ଯୋଗାଇବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରାଞ୍ଚଳ ସଂସ୍ଥାକୁ ୬୯୫୦ କୋଟି ଟଙ୍କା ହସ୍ତାନ୍ତର ଉଭୟ ଅଞ୍ଚଳରେ ବଡ଼ ପ୍ରଭାବ ରଖିବ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୮୬% ଅଧିକ ଅର୍ଥ ବରାଦ କରାଯାଇଛି। ଏହାଦ୍ବାରା ଅଧିକରୁ ଅଧିକ ସଂସ୍ଥା ଆଗକୁ ଆସିବେ ଓ ରୋଜଗାର ବଢ଼ିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅର୍ଥ ଦୁଇଗୁଣା ହୋଇଥିବା ପରିପ୍ରେକ୍ଷୀରେ ଏଥର ମୂଳ ବଜେଟ୍‌ରେ ସରକାର ୧୮୦ କୋଟି ବରାଦ କରିଛନ୍ତି। ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଫୋକସ୍‌ରୁ ହଟିନାହିଁ। ବିଜୁ କେବିକେ ଯୋଜନାରେ ମଧ୍ୟ ପୂର୍ବଭଳି ୨୫୦ କୋଟିର ବରାଦ ହୋଇଛି। ବିଧାୟକ ପାଣ୍ଠି ୩କୋଟି ହିସାବରେ ଅର୍ଥ ବରାଦ କରାଯାଇଛି ଓ ଏହାବାଦ ଆଉ ୧୦୦ କୋଟି ରହିଛି, ଯାହା ରାଜ୍ୟର ସ୍ବତନ୍ତ୍ର ଧରଣର ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ।

ମୋଟାମୋଟି ଭାବେ କହିବାକୁ ଗଲେ ବଜେଟ୍‌ ଏକଥା ସୂଚାଉଛି ଯେ ସାଧାରଣ ଲୋକଙ୍କ ଆଖିରେ ଏକ ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇବା ପାଇଁ ଓ ନୂଆ ଓଡ଼ିଶା ଗଠନ ଦିଗରେ ସରକାର ଏବେ ବି ଅଟଳ ଅଛନ୍ତି। କୋଭିଡ୍ ସରକାରଙ୍କୁ ଲକ୍ଷ୍ୟଚ୍ୟୁତ କରିପାରିନାହିଁ।

ସମ୍ବନ୍ଧିତ ଖବର