ପ୍ରଥମ ଦିନ ପ୍ରଥମ କ୍ୟାବିନେଟ୍‌ : ‘କାଳିଆ’ ଟଙ୍କା, ମହିଳାଙ୍କୁ ହଜାରେ କୋଟି

ଏସ୍‌ଏଚ୍‌ଜି ୪୦ ପ୍ରକାର କାର୍ଯ୍ୟରେ ନିୟୋଜିତ ହେବେ, ୭୫ ଲକ୍ଷକୁ ବଢ଼ିଲା କାଳିଆ ହିତାଧିକାରୀ ସଂଖ୍ୟା, ଟଙ୍କା ପାଇଲେ ୮.୪ ଲକ୍ଷ କାଳିଆ ହିତାଧିକାରୀ

ଭୁବନେଶ୍ବର : ଗତ ଏପ୍ରିଲ ମାସରେ କାଳିଆ ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ବାବଦରେ ସହାୟତା ରାଶି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ବାଟ ଓଗାଳିଲା। ନିର୍ବାଚନ କମିସନ କାଳିଆ ଟଙ୍କା ବଣ୍ଟା ଉପରେ ରୋକ୍‌ ଲଗାଇଲେ। ଫଳରେ ଚାଷୀମାନେ କାଳିଆ ଟଙ୍କା ପାଇପାରିଲେ ନାହିଁ। ଏହାକୁ ଦୃଷ୍ଟିରେ ରଖି ନୂଆ ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ କାଳିଆ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲେ। ଆଜି ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ବୁଧବାର ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, କାଳିଆ ଯୋଜନାରେ ଆହୁରି ୩୩ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଫଳରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଛି।

ଆଜି ନବୀନ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି। ଏହା ସହିତ ମିସନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ମାନଙ୍କ ଜରିଆରେ ସରକାର ୧ ହଜାର କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ ସଂପାଦନା କରାଇବେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ କାଳିଆ ଓ ମିସନ ଶକ୍ତି ସଂପର୍କିତ ୨ଟି ପ୍ରତିଶ୍ରୁତି ମୁଁ ଦେଇଥିଲି। ଆଜି ସରକାର ଗଠିତ ହେବା ଦିନ ହିଁ ସେହି ୨ଟି ପ୍ରତିଶ୍ରୁତି ପୂରଣ କରିଛୁ।

ବର୍ତମାନ କାଳିଆ ଯୋଜନାରେ ୪୨ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି। ଆଜି ସେହି ତାଲିକାରେ ଅଧିକ ୩୩ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ‌ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ଏହା ଚାଷୀଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଫଳରେ କାଳିଆ ଯୋଜନାର କଳେବର ବୃଦ୍ଧି ପାଇଛି। ସରକାର ଗଠନ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରାୟ ୮.୪ ଲକ୍ଷ କାଳିଆ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ସରକାର। ଖୁବଶୀଘ୍ର ଅବଶିଷ୍ଟ ହିତାଧିକାରୀଙ୍କୁ ମିଳିବ। ଅତିରିକ୍ତ ୨୫ ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କ୍ୟାବିନେଟ୍‌ ସୂଚନାନୁସାରେ, ବର୍ଧିତ ୭୫ ଲକ୍ଷ ହିତାଧିକାରୀ ତାଲିକାରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ, ୨୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର। ବର୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୪୨.୬୫ ଲକ୍ଷ କୃଷି ପରିବାରଙ୍କୁ କାଳିଆ ଟଙ୍କା ମିଳିଛି। ସେମାନଙ୍କ ମଧ୍ୟରେ ୩୩.୨୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଓ ୯.୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର। ସମୁଦାୟ ୩୨.୩୪ ଲକ୍ଷ କୃଷି ପରିବାର ମଧ୍ୟରୁ ୧୬.୭୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଓ ୧୫.୬ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ ଏହି କାଳିଆ ଯୋଜନାରେ ଚଳିତ ବର୍ଷ କାଳିଆ ସହାୟତା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ ଦେଇଛି ଆଜିର କ୍ୟାବିନେଟ୍‌ ବୈଠକ। ତେବେ ଏହା ପୂର୍ବରୁ ସହାୟତା ପାଇଥିବା ୪୨.୬୫ ଲକ୍ଷ କୃଷି ପରିବାରଙ୍କୁ ଚଳିତ ବର୍ଷ ନିର୍ଧାରିତ କାଳିଆ ସହାୟତା ଦିଆଯିବ। ଏହି ଯୋଜନାରେ ସାମିଲ ହୋଇନଥିବା ଯୋଗ୍ୟ ଚାଷୀ ପରିବାରଙ୍କୁ ଦରଖାସ୍ତ କରିବାକୁ ସୁଯୋଗ ଦିଆଯାଉଛି, ଯାହାଫଳରେ କେହି ଯୋଗ୍ୟ ଚାଷୀ ଯୋଜନାରୁ ବାଦ୍‌ ପଡ଼ିବେ ନାହିଁ।

ମିସନ ଶକ୍ତି ମାଧ୍ୟମରେ ମହିଳା ଏସ୍‌ଏଚ୍‌ଜିଙ୍କୁ ୧ ହଜାର କୋଟି ଟଙ୍କା ସରକାରୀ କାର୍ଯ୍ୟ କରାଇବା ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ୍‌। ମହିଳା ସଶକ୍ତୀକରଣ ଦିଗରେ ଏହା ଐତିହାସିକ ପ୍ରୟାସ ବୋଲି ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୪୦ ପ୍ରକାରର କାର୍ଯ୍ୟ ଯଥା: ଧାନ ସଂଗ୍ରହ, ସ୍କୁଲପିଲାଙ୍କୁ ୟୁନିଫର୍ମ, ହସ୍‌ପିଟାଲ୍‌କୁ ଖାଦ୍ୟ ଯୋଗାଣ, ମଶାରି, ମଧ୍ୟାହ୍ନ ଭୋଜନ, ମଞ୍ଜି ଉତ୍ପାଦନ, ଚାରା ରୋପଣ, ମାଛଚାଷ, ମିଟର ରିଡିଂ ଓ ବିଲ୍‌ ଆଦାୟ ଇତ୍ୟାଦି କାର୍ଯ୍ୟରେ ସାମିଲ କରାଯିବ।

ସମ୍ବନ୍ଧିତ ଖବର