ଭୁବନେଶ୍ବର : ୨୦୧୮ ମାର୍ଚ୍ଚ ୨୦ ତାରିଖରେ ତାଳଚେର ସିରିଡ଼ି ସାଇ ମନ୍ଦିର ନିକଟ ରାସ୍ତାକଡ଼ରେ କିଛି ମାଟି ଧସି ଯାଇଥିଲା। ସେହିବର୍ଷ ଡିସେମ୍ବର ୫ ତାରିଖରେ ତାଳଚେର ଥାନା ସମ୍ମୁଖ ଜଣେ ବ୍ୟକ୍ତିଙ୍କ ଘରେ ପ୍ରାୟ ୫ ଫୁଟ୍‌ ଲମ୍ବ ଓ ୬ ଫୁଟ ଓସାରର ମାଟି ଦବି ଯାଇଥିଲା। ୨୦୧୯ ଅଗଷ୍ଟ ୧୩ ତାରିଖରେ ବାବୁଲାଲ କଲୋନି ପଛପାଖ ସାରଥି ନଗରରେ ଏକ ପୋତାକୂଅ ପ୍ରାୟ ୧୦ ଫୁଟ ଓସାର ଓ ୮ ଗଭୀରର ମାଟି ହଠାତ୍‌ ତଳକୁ ଦବି ଗଲା। ଭୂତଳ କୋଇଲା ଖନନ ପରେ ସୃଷ୍ଟି ହୋଇଥିବା ଖାଲି ଜାଗା ପୂରଣ ନ କରାଯିବାର ଏହା ହେଉଛି ପରିଣାମ।

Advertisment

publive-image The Hindu

ଯଦି ଏଠାେର କେବେ ଭୂମିକମ୍ପ ହେବ, ତେବେ ଅନୁଗୁଳ ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ଅଂଶର ସ୍ଥିତି କଣ ହେବ? ଯଦି କେବେ ହଠାତ୍ ତାଳଚେର ମାଟି ଦବିଯାଏ ତେବେ...?

ତୁର୍କୀ ଭୂମିକମ୍ପ ଖବର ପ୍ରସାରଣ ପରେ ଆଜି ଓଡ଼ିଶାର ଅନେକ ବୁଦ୍ଧିଜୀବୀ ଏହାକୁ ନେଇ ଚିନ୍ତାରେ। ତାଳଚେରବାସୀଙ୍କ ଭୟ ଏବଂ ଆଶଙ୍କା ବହୁଗୁଣିତ ହୋଇଗଲାଣି। ଏ ପ୍ରସଙ୍ଗରେ ନିକଟରେ ‘ସମ୍ବାଦ’ରେ ଏକାଧିକ ରିପୋର୍ଟ ପ୍ରକାଶ ପାଇବା ପରେ ବି ନା ରାଜ୍ୟ ସରକାର ଚିନ୍ତାପ୍ରକଟ କରୁଛନ୍ତି ନା କେନ୍ଦ୍ରର ଚିନ୍ତା ଅଛି। ମହାନଦୀ କୋଲ୍ ଫିଲ୍‌ଡ ଲିମିଟେଡ୍‌ କର୍ତ୍ତୃପକ୍ଷ ବି ନିର୍ବିକାର। ହଜାର ହଜାର ଲୋକଙ୍କ ଜୀବନ ସହିତ ଖେଳ ଚାଲିଛି।

ଅନୁଗୁଳ ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ଅଂଶ ବା ଅର୍ଥନୈତିକ କରିଡ଼ର ପ୍ରତି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଏବେ ବିଭିନ୍ନ ମହଲରେ ଚିନ୍ତାର କାରଣ ହେଲାଣି। ଏଥିସହିତ ଆଜି ତୁର୍କୀର ଭୂମିକମ୍ପର ଭୟାବହତା ସହିତ ରାଜ୍ୟରେ ତାଳଚେର ପ୍ରତି ରହିଥିବା ବିପଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି।

publive-image YouTube

ସେପଟେ ଆଜି ସଂସଦରେ ବି ତାଳଚେର ପ୍ରତି ଯେ ବିପଦ ଧୀରେ ଧୀରେ ଭୀଷଣ ରୂପ ଧାରଣ କରୁଛି, ଏକଥା କଟକ ସାଂସଦ ଭର୍ତ୍ତୃହରି ମହତାବ ସୋମବାର ଦିନ ଲୋକସଭାରେ ଉଦ୍‌ବେଗ ରଖିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ମହତାବ ଏ ସଂପର୍କରେ ସତର୍କବାଣୀ ମଧ୍ୟ ଶୁଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାଂସଦ ତଥ୍ୟ ରଖିଛନ୍ତି ଯେ ତୁର୍କୀରେ ସିନା ଏତେ ବଡ଼ ଭୂମିକମ୍ପ ହେଲା, ଓଡ଼ିଶାରେ କିନ୍ତୁ ସ୍ଥିତି ଆହୁରି ଗମ୍ଭୀର ରହିଛି। ତାଳଚେର କୋଇଲା ଖଣି ଅଞ୍ଚଳର ହାଣ୍ଡିଧୂଆ ଓ ଦେଉଳବେଢ଼ା ଖଣି ଭିତରେ ବାଲି ଭର୍ତ୍ତି କରାଯାଇନାହିଁ। ଏଣୁ ଏଠାରେ ମଧ୍ୟ ଭୂସ୍ଖଳନ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ସାଂସଦ ତଥ୍ୟ ରଖିଛନ୍ତି ଯେ ହାଣ୍ଡିଧୂଆ ଖଣି ୧୯୯୮ ମସିହାରୁ ବନ୍ଦ ହୋଇସାରିଲାଣି। ଏହାର ୫ଲକ୍ଷ ୮୫ ହଜାର କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହେବା କଥା। ମାତ୍ର ୨୫ବର୍ଷ ପରେ ବି ୪ଲକ୍ଷ ୩୨ହଜାର ୧୪୫ କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହୋଇଛି। ୧ଲକ୍ଷ ୫୨ ହଜାର ୮୫୫ କ୍ୟୁବିକ୍ ମିଟର ଅଞ୍ଚଳକୁ ଖାଲି ଛାଡ଼ି ଦିଆଯାଇଛି।

କେବ​ଳ ଏହି ଗୋଟିଏ ସ୍ଥାନରେ ଏମିତି ହୋଇଛି ତା ନୁହେଁ, ଦେଉଳବେଢ଼ା ଖଣି ସ୍ଥିତି ତା’ ଠାରୁ ଗମ୍ଭୀର। ୨୦୦୬ ମସିହାରୁ ଏହି ଖଣି ବନ୍ଦ ହେଲାଣି। ଏଠାରେ ୩ଲକ୍ଷ ୩୦ ହଜାର ୪୪୦ କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହେବାର ଆବଶ୍ୟକତା ରହିଛି। ଏଯାଏ ୧ଲକ୍ଷ ୬ ହଜାର ୧୦୦ କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହୋଇଛି। ଅର୍ଥାତ୍ ୨ଲକ୍ଷ ୨୪ ହଜାର ୩୦୦ କ୍ୟୁବିକ୍ ମିଟର ଅଞ୍ଚଳ ଛାଡ଼ି ଦିଆଯାଇଛି।

publive-image The Wire Science

ଶ୍ରୀ ମହତାବ ‌ସୋମବାର ଦିନ ସଂସଦରେ କହିଛନ୍ତି ଯେ ଏ ସଂକ୍ରାନ୍ତରେ ମହାନଦୀ କୋଇଲା ଖଣି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଯଦି ୯.୧୫ଲକ୍ଷ କ୍ୟୁସେକ୍‌ ମିଟର ବାଲି ଭର୍ତ୍ତି ହେବା ସ୍ଥାନରେ ୫.୦୩ଲକ୍ଷ (୫୪.୯୭%) କ୍ୟୁବିକ୍ ମିଟର ବାଲି ଭର୍ତ୍ତି କରାଯାଇ ବାକି ଅଂଶକୁ ଛାଡ଼ି ଦିଆଯିବ, ତେବେ ସ୍ଥିତି କ’ଣ ହେବ, ତାହା କେନ୍ଦ୍ର ସରକାର ହୃଦୟଙ୍ଗମ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍।

ଏଠାରେ ଉଲ୍ଲେଖଥାଉକି, ଯୋଶୀମଠ ଅଞ୍ଚଳ ଦବି ଯାଉଥିବା ନେଇ ଏବେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।