କ୍ଷମାପ୍ରାର୍ଥନା ବିଚାରକୁ ବିଳମ୍ବ କଲେ ସୁପ୍ରିମକୋର୍ଟ: ଏବେ ଅଦାଲତ ଅବମାନନାରୁ ଆଶ୍ବସ୍ତି ନାହିଁ

ନୂଆଦିଲ୍ଲୀ : ଅଦାଲତ ଅବମାନନା ଅଭିଯୋଗ ଉପରେ ଆଇନଜୀବୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ନିବେଦନର ଶୁଣାଣିକୁ ବିଳମ୍ବ କରିଛନ୍ତି ସୁପ୍ରିମକୋର୍ଟ। ଆଜି ଏହା ଉପରେ କଡ଼ା ଟିପ୍ପଣୀ କରିଛନ୍ତି ମାମଲାର ବିଚାର କରୁଥିବା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ବିଚାରପତି ଜଷ୍ଟିସ ସଂଜୟ କିଷନ କୌଲ ଏବଂ ବିଚାରପତି ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯେ‌ହେତୁ ଆମେ ପ୍ରୋସିଡିଂକୁ ବନ୍ଦ କରୁନାହୁଁ, ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଆବେଦନକୁ ବର୍ତ୍ତମାନ ବିଚାର କରିବା ଖୁବ୍ ଜଲଦି ହେବ। ଅଦାଲତ ଅବମାନନା ଅଭିଯୋଗକୁ ନେଇ କୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ପରିପ୍ରେକ୍ଷୀରେ ଆଜିର ଶୁଣାଣି ସମୟରେ କିଛି ଆଇନଜୀବୀ ବ୍ୟକ୍ତିଗତଭାବେ ଏବଂ କିଛି ଆଇନଜୀବୀ ଓକିଲମାନଙ୍କ ଜରିଆରେ କୋର୍ଟ ରୁମ୍‌ରେ ଉପସ୍ଥିତ ଥିଲେ।

ଖଣ୍ଡପୀଠ କହିଥିଲେ ଯେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଆବେଦନ ଦାଖଲ ହୋଇଥିବା ଆମ ନଜରକୁ ଆସିଛି। ଏହାକୁ ଦେଖିବାକୁ ପଡ଼ିବ, ବାସ୍ତବରେ କ୍ଷମା ପ୍ରାର୍ଥନା ହୃଦୟରୁ ଆସିଛି ନା ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଆସିଛି। ବର୍ତ୍ତମାନ ସମୟରେ ଅଦାଲତ ଅବମାନନା ଆପଣଙ୍କ ମୁଣ୍ଡ ଉପରେ ଝୁଲି ରହିବ। ଆମେ ଏହା ସ୍ପଷ୍ଟ କହିଦେଉଛୁ ଯେ ଆମେ ଅବମାନନାରୁ ଆଶ୍ବସ୍ତି ଦେବୁ ନାହିଁ। ଦେଖିବାକୁ ପଡ଼ିବ ଆପଣମାନେ କିଭଳି ବ୍ୟବହାର କରୁଛନ୍ତି, ଯାହା କି କ୍ରମାଗତ ଆଚରଣରେ ପ୍ରତିଫଳିତ ହେବ।

ଖଣ୍ଡପୀଠ କହିଲେ
ଆମେ ଏବେ ବି ବିଶ୍ବାସ କରୁନାହୁଁ ଆପଣ ଅନୁତପ୍ତ
ଏବେ ବିଚାର କଲେ ଜଲଦି ହୋଇଯିବ
ସେମାନେ ଆଉ କିଛି ଦିନ ଭୋଗ କରନ୍ତୁ

India TV News

ଖଣ୍ଡପୀଠଙ୍କୁ ଆଇନଜୀବୀ ବିଜୟ ହଂସାରିଆ କହିଥିଲେ ଯେ ଅଦାଲତ ଅବମାନନା ନୋଟିସ ଉପରେ ସମସ୍ତ ସଦସ୍ୟ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ, ଆମେ ଏବେ ବି ବିଶ୍ବାସ କରୁନାହୁଁ ଯେ ଆପଣମାନେ ଏ ନେଇ ଅନୁତପ୍ତ । ବର୍ତ୍ତମାନ ଯାହା କିଛି ହେଉଛି ତାହା ଆମର କାର୍ଯ୍ୟାନୁଷ୍ଠାନ ପାଇଁ। ଏମାନେ ପୂର୍ବରୁ ମଧ୍ୟ ଏଭଳି କରିଛନ୍ତି। ଆମେ ସମସ୍ତେ ବାରର ଅଂଶ ବିଶେଷ। ଯେଉଁଠି ଆପଣ ମୋକଦ୍ଦମାରେ ପକ୍ଷଙ୍କ ପାଇଁ ଯୁକ୍ତି କରି ଆଶ୍ବସ୍ତି ଦେବା କଥା, ସେଠାରେ ସଂପୂର୍ଣ୍ଣ ଉପଦ୍ରବ ଓ ଗୁଣ୍ଡାଗର୍ଦି ହୋଇଥିଲା। ଏହା ବହୁତ କଷ୍ଟ ଦେଉଛି। ତେଣୁ ବାର ସଦସ୍ୟମାନଙ୍କ ବିରୋଧରେ ଆମକୁ କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ଖଣ୍ଡପୀଠ କହିଛନ୍ତି।

ଶୁଣାଣି ସମୟରେ ଅଦାଲତ ଅବମାନନା ପ୍ରସଙ୍ଗକୁ ବିଚାର କରିବା ପାଇଁ ଆଜି ଖଣ୍ଡପୀଠ କୌଣସି ପ୍ରକାର ନରମ ମନୋଭାବ ପୋଷଣ ଆଭାସ ମିଳିନଥିଲା। ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତ୍ତାର କହିଥିଲେ ଯେ କ୍ଷମା ପ୍ରାର୍ଥନା ସହ ଆଇନଜୀବୀମାନଙ୍କୁ ଅଣ୍ଡରଟେକିଂ ମଧ୍ୟ ଦେବାକୁ ପଡ଼ିବ। ଯେପରିକି ସେମାନେ ଭବିଷ୍ୟତରେ ଆନ୍ଦୋଳନାତ୍ମକ କାର୍ଯ୍ୟକଳାପରେ ସାମିଲ ହେବେ ନାହିଁ। ଏହା ଉପରେ ଖଣ୍ଡପୀଠ କହିଥିଲେ ଯେ ବାର କାଉନସିଲ ଅଫ ଇଣ୍ଡିଆ ଶୃଙ୍ଖଳାଗତ ପ୍ରୋସିଡିଂ ଜାରି ରଖିବ। ଶୁଣାଣି ବେଳେ ବାର କାଉନସିଲ ଅଫ ଇଣ୍ଡିଆର ସଭାପତି ବିକାଶ ସିଂହ ଉପସ୍ଥିତ ଥିଲେ। ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ ଆଇନଜୀବୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆଇନଜୀବୀମାନେ ୫୮ ଦିନରୁ ଉର୍ଦ୍ଧ୍ବ ହେଲା ଜେଲରେ ଅଛନ୍ତି। ସେମାନଙ୍କ ସହିତ ମାରପିଟ ହେଉଛି। ଏହାକୁ ନେଇ ସୁପ୍ରିମକୋର୍ଟ କହିଥିଲେ, ଏଭଳି କଥା କୁହନ୍ତୁ ନାହିଁ। ସେମାନେ ଅନ୍ୟ ଲୋକଙ୍କୁ ତଥା ଅଧିକାରୀଙ୍କୁ ମାରପିଟ କରିଥିଲେ। ସେମାନେ ଏବେ ତାହା ଭୋଗ କରୁଛନ୍ତି ଏବଂ ଆଉ କିଛି ଦିନ ସେମାନେ ଭୋଗ କରନ୍ତୁ।। ସେମାନେ ଭଙ୍ଗାରୁଜାରେ ସାମିଲ ଥିଲେ। ଏହା ସହ ଖଣ୍ଡପୀଠ ଆହୁରି କହିଲେ ଯେ ସେମାନେ ସମ୍ବନ୍ଧିତ କୋର୍ଟଗୁଡ଼ିକରେ ଜାମିନ ଆବେଦନ କରିପାରିବେ‌। ଆମେ ସମ୍ବନ୍ଧିତ କୋର୍ଟଗୁଡ଼ିକୁ ଜାମିନ ନ ଦେବା ପାଇଁ ରୋକ ଲଗାଇନାହୁଁ ବୋଲି ଖଣ୍ଡପୀଠ କହିଥିଲେ।

 

ବାର କାଉନସିଲ ଅଫ ଇଣ୍ଡିଆ (ବିସିଆଇ)ର ସଭାପତି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ ଡିସେମ୍ବର ୧୪, ୨୦୨୨ର ଆଦେଶରେ ଜାମିନ ଆବେଦନ ମାମଲାରେ ହସ୍ତକ୍ଷେପ ନକରିବା (ନୋ ଇନଡଲଜେନ୍ସ) ବୋଲି ଉଲ୍ଲେଖ ରହିଛି। ତାହା ଜାମିନ ଆବେଦନ ଶୁଣାଣିରେ ବାଧକ ହୋଇଛି। ଏହାକୁ ସ୍ପଷ୍ଟ କରାଯାଉ। ଯାହାଦ୍ବାରା ଜାମିନ ଆବେଦନରେ ସ୍ପଷ୍ଟତା ଆସିପାରିବ ଓ ଆଇନଜୀବୀମାନେ ଜାମିନ ଆବେଦନ କରିପାରିବେ ବୋଲି ସେ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଆହୁରି କହିଲେ ଯେ ଆମେ କୌଣସି ଜାମିନ ଆବେଦନ ଏଠାରେ କରୁନାହୁଁ। ଏ ନେଇ ସୁପ୍ରିମକୋର୍ଟ ଆଇନଜୀବୀ ବିକାଶ ସିଂହଙ୍କୁ କୋର୍ଟଙ୍କ ସେହି ଆଦେଶକୁ ମଧ୍ୟ ଦେଖାଇବାକୁ କହିଥିଲେ।

Times of India

‌ଏହା ଉପରେ ଖଣ୍ଡପୀଠ କହିଥିଲେ ଯେ ଆମ ଆଦେଶର ଉଦ୍ଦେଶ୍ୟ ଥିଲା, ଆଇନଜୀବୀ ହିସାବରେ ସେମାନଙ୍କୁ ବିଶେଷାଧିକାର ପ୍ରଦାନ କରାଯାଇପାରିବ ନାହିଁ। ଜାମିନ ଆବେଦନ ଆଇନ ଅନୁସାରେ ବିଚାର କରାଯିବ। ଏଥି ସହିତ ପ୍ରତ୍ୟେକ ମାମଲାର ପରିସ୍ଥିତି ଏବଂ ତଥ୍ୟ ଆଧାରରେ ଜାମିନ ଆବେଦନର ବିଚାର କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ବାର କାଉନସିଲ ଅଫ୍‌ ଇଣ୍ଡିଆ (ବିସିଆଇ) ଦ୍ବାରା ଶୁଣାଣି ବେଳେ ଆଇନଜୀବୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଥିଲା। ବିସିଆଇ ସଦସ୍ୟଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଆଦେଶକୁ ପାଳନ କରାଯାଉଥିବା ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା।

କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାର ଏ ନେଇ ଧ୍ୟାନ ଦେବାକୁ ଖଣ୍ଡପୀଠ କହିଥିଲେ। ଆଜିର ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ସମ୍ବଲପୁର କୋର୍ଟ ଭର୍ଚୁଆଲ ବୋଲି ଉଲ୍ଲେଖ କରାଯାଇଥିବା ନେଇ ବାର କାଉନସିଲ ଅଫ ଇଣ୍ଡିଆର ଜଣେ ଓକିଲ ଖଣ୍ଡପୀଠଙ୍କ ଦୃ‌ଷ୍ଟି ଆକର୍ଷଣ କରିଥିଲେ ଓ ଏ ନେଇ ଆପତ୍ତି ଉଠାଇଥିଲେ। ଓଡ଼ିଶାର ୧୦ଟି େକାର୍ଟରେ ଏହି ବ୍ୟବସ୍ଥା େହାଇଥିବାରୁ କେବଳ ସମ୍ବଲପୁର ଭର୍ଚୁଆଲ କୋର୍ଟ ଉଲ୍ଲେଖ ସହ ହାଇକୋର୍ଟ ‘ନମନକ୍ଲେଚର’ ବ୍ୟବହାର ନକରିବା ପାଇଁ ସେ ପ୍ରସ୍ତାବ ରଖିଥିଲେ। ଏ ନେଇ ଓଡ଼ିଶା ହାଇକୋର୍ଟ ବିଚାର କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୭ ତାରିଖରେ ହେବ।

ସମ୍ବନ୍ଧିତ ଖବର